
କିଏ ନିରାକାର ବିଶ୍ଵ କଳାକାର କୋଟିବିଶ୍ଵ ବିଶ୍ଵକର୍ମା
କଣ୍ଠେ କଣ୍ଠହାର ସୃଷ୍ଟି ମାଳ ମାଳ ଅଦ୍ଭୁତ ମୋ କଳାକାହ୍ନା ।।
ଅଭିନ୍ନ ପବନ ମଣିଷ ଜୀବନ କରିଅଛଇ ଧାରଣ
ସେହି ଭଗବାନ ଦୁର୍ବାଦଳ ଶ୍ୟାମ ଛନ୍ଦାପଦେ ରହୁମନ ।।
ହେ ବିଶ୍ବ ପୁରୁଷ ବିନ୍ଦୁ ଠାରୁ ସିନ୍ଧୁ ସର୍ବତ୍ର ତ ବିଦ୍ୟମାନ
ସଜୀବ ନିର୍ଜୀବ ତ୍ରଇଲୋକ୍ୟ ଧବ ନିର୍ଦ୍ଧନି ର ସିଏ ଧନ ।।
କୋଟିଏ ମିହିର ଆଭା ସମୁଜ୍ଵଳ ଅବା ରତିପତି କାମ
ନହେବ ଭାଜନ , ସେ ମୋ କଳାଜହ୍ନ ଯଶୋଦା,ନନ୍ଦ ନନ୍ଦନ ।।
ଅନନ୍ତ ଶୟନ ପ୍ରଶାନ୍ତ ବଦନ ନାଭିପଦ୍ମେ ବ୍ରହ୍ମଦେବ
ନୀଳ ଜଳଦ ବରଣ ଶ୍ୟାମ ତନୁ ମୋ ପ୍ରାଣଧନ ଭୋଦେବ ।।
ତ୍ରୈଲୋକ୍ୟ ବନ୍ଦିତ ଜୟ ଲକ୍ଷ୍ମୀକାନ୍ତ ନିରଜ ଚାରୁ ଲୋଚନ
ଯୋଗୀଜନ ବନ୍ଧୁ ଭକ୍ତ ପ୍ରେମ ବନ୍ଧୁ ବନ୍ଦେ ରାଜିବ ଚରଣ ।।
ବଇକୁଣ୍ଠ ପତି ପ୍ରଭୁହେ ଶ୍ରୀପତି ଚର୍ତୁଭୁଜ ନାରାୟଣ
କପିଳାଦି ମୁନି ଋଷି ଗୁଣୀ ଜ୍ଞାନୀ ସେବନ୍ତି ଯେଉଁ ଚରଣ ।।
ରତନ କଠଉ ଶୋଭିତ ଚରଣ ସର୍ବଦେବାଦେବୀ ଗଣ
ଗନ୍ଧର୍ବ ଅପ୍ସରା କରିଥାନ୍ତି ସେବା ସେହି ପଦେ ନିତି ଦିନ ।।
ତବ ଶ୍ରୀଚରଣେ ଶରଣ ମାଗୁଛି କରମ ହୀନ ପ୍ରଫୁଲ୍ଲ
ଦିଅ ହେ ଶରଣ ଆହେ ନାରାୟଣ ଘେନ ମୋର ପୁଜା ଫୁଲ ।।
ପ୍ରଫୁଲ୍ଲ ଚନ୍ଦ୍ର ମିଶ୍ର, ମଙ୍ଗଳାଯୋଡି, ଖୋର୍ଦ୍ଧା