ରହିଛି ତୁମର ଭରସା - ଘନଶ୍ୟାମ ସାହୁ

ରହିଛି ତୁମର ଭରସା - ଘନଶ୍ୟାମ ସାହୁ


ପଥରେ ପଥର ହୋଇ ପଡ଼ିଥିଲା
ଅହଲ୍ୟା କୁ କଲ ଉଦ୍ଧାର
ଜଞ୍ଜାଳ ଜାଲରେ ପତିତ ହୋଇ ମୁଁ
ବିକଳେ କରୁଛି ଚିତ୍କାର
ଉଦ୍ଧର ମୋତେ ଚକ୍ରଧର
ପତିତଜନଙ୍କୁ ଉଦ୍ଧରିଛ ବୋଲି
ପତିତପାବନ ନାମ ସାର ।।୧।
ଛାତିକୁ ପଥର କରିଛି ମୁଁ ପ୍ରଭୁ
କରିନି କେବେ ପ୍ରତିବାଦ
ଅନ୍ତରବେଦନା ଅନ୍ତରରେ ଚାପି
ସହିଛି ନିନ୍ଦା ଅପବାଦ
କରିଛି ଆଶ୍ରା ମୁଁ ତୁମକୁ
ପାଷାଣୀ ଅହଲ୍ୟା ପ୍ରାୟେକ ରହିଛି
ପ୍ରଭୁ କୃପା ଟିକେ ପାଇବାକୁ ।।୨।
ତୁମରି କରୁଣା ପାଇବାକୁ ପ୍ରଭୁ
ନ ହେବି କେବେ ମୁଁ କାତର
ଧ୍ରୁବ, ପ୍ରହଲ୍ଲାଦ, ଅହଲ୍ୟା ଯେପରି
ସ୍ତୁତି କଲେ ତୁମ ପୟର
ରହିଛି ତୁମର ଭରସା
ନାମ ଭଜି ଭଜି ଜୀବ ଯିବ ପଛେ
ରଖିଛି ତ ଦରଶନ ଆଶା ।।୩।

ଘନଶ୍ୟାମ ସାହୁ
ଯୁଗ୍ମ ସମ୍ପାଦକ-ତ୍ରିଧାରା ସାହିତ୍ୟ ସଂସଦ, ବଇଣ୍ଡ।,
ପୋ: ଅ: କିଶୋର ଗଞ୍ଜ, ଜିଲ୍ଲା-ଅନୁଗୋଳ

0 Comments