Information

ଗଣିତ ଦିବସ - ନାରାୟଣ ଚନ୍ଦ୍ର ସେନାପତି


ହେ ଗଣିତ ଦିବସ
ମନମୋହନଙ୍କ ଆମନ୍ତ୍ରଣରେ ଯେବେ କଲ ପଦାର୍ପଣ
ମୋ ଜ୍ଞାନଭୂମି, ରାମାନୂଜନଙ୍କୁ କଲା ସ୍ମରଣ
ମହାସମାରୋହେ ପାଳି ସ୍ୱନକ୍ଷତ୍ର ଦିବସ
ଗଣିତକୁ ଭଲପାଇବାକୁ ସଭିଙ୍କୁ କଲ ନିବେଦନ
ଅନ୍ତରରେ ପ୍ରଜ୍ଜ୍ୱଳିତ କଲ ଚିନ୍ତା ଯୁକ୍ତିର କମ୍ପନ
ବିଦ୍ୟାର୍ଥୀ ଦେଖିଲା ସ୍ୱପ୍ନ
କଳିବାକୁ ଏ ବିଶ୍ୱବ୍ରହ୍ମାଣ୍ଡ
ସତରେ ତୁମ ଦୃଷ୍ଟିଭଙ୍ଗୀ ସ୍ୱତନ୍ତ୍ର...
ଆଉ ତୁମ ଆହ୍ୱାନ..ଅତୀବ ମହାନ॥
ତୁମେ ଏକ ଅଭିନବ ହିସାବ
ଗାଣିତିକ ଚାରିସୂତ୍ରରେ ଖୋଲ ଚାବି
ସରଳକର ଧାରାରେ ଖୋଲ କୌଶଳର ଦରଜା
ମୌଳିକତାର ହାତଧରି ପାରିହୁଅ
ଦୈନନ୍ଦିନ ଜୀବନର ତେଲଲୁଣ ଦୁନିଆଁ
ଧରି କଳି ପରଖି ଟଙ୍କାପଇସାର
ସଜ ମିଠା ପରଷ॥
ତୁମେ ଏକ ଅବର୍ଣ୍ଣନୀୟ ଆକଳନ
ଅଭିଜ୍ଞତାର କୁହୁକ ଛୁଆଁରେ କର କେତେ ଅନୁମାନ
ଅଣ ପରିମାପକ ସିନା
ହେଲେ ତୁମ ଅବିକଳ ସଠିକ୍ ମାପ କରେ ଆଶ୍ଚର୍ଯ୍ୟଚକିତ
ଦେଇ ଆନନ୍ଦ କରି ଗଣିତର ଜୟ ଗାନ॥
ତୁମେ ଏକ ପ୍ରାକୃତିକ ପରିମାପ
କଠିନ ତରଳ ଗ୍ୟାସୀୟ ..ସବୁ କିଛିକୁ
ମାପ ଯେବେ ଅଭିନବ ଭଙ୍ଗୀରେ
ସଠିକତା ନିରୂପିତ ହୁଏ ଧର୍ମ ନିକିତିରେ ତ
ବିଶ୍ୱାସ ପଳାରେ
ଅବା ଆସାର ସମୀରଣ ଚିହ୍ନରେ
ଦେଇ ଅପୂର୍ବ ସରଳ ନିର୍ଯ୍ୟାସ॥
ତୁମେ ଏକ ଅତୁଳନୀୟ ମାପ ଏକକ
ଦୈର୍ଘ୍ୟ ପ୍ରସ୍ଥ ଉଚ୍ଚତାର ତୂଳୀରେ
ଯେବେ ମାପ ତ୍ରିଭୂବନ ଇନ୍ଦ୍ରଧନୁକୁ
ଜିଜ୍ଞାସାର କ୍ଷେତ୍ରଫଳ ଲେଖିହୁଏ ବିଶ୍ଳେଷଣର ପରିସୀମାରେ
ସିଦ୍ଧାନ୍ତ ସଂଶ୍ଳେଷିତ ହୁଏ
ଆଶାର ପରିଧିରେ ଜ୍ଞାନ ବୃତ୍ତଟି ବୃତ୍ତାନ୍ତ ଲେଖେ
ତୁଳନା କରି ସୀମାର ଶତକଡା ଅସୀମର ଦଶମିକରେ
ଗଢେଇ ସମାଧାନ ମିଶ୍ର ଭଗ୍ନାଂଶ॥
ତୁମେ ଏକ ବୁଦ୍ଧିମାନଙ୍କ ବୁଦ୍ଧ୍ୟାଙ୍କ ସଙ୍କଳନ
ସ୍ମର ଯେବେ ଗାଲିଲିଓଙ୍କ ନଳ ଓ ବାଉଁଶକାଠିକୁ
ଆର୍କିମେଡିସଙ୍କ ଗଣନା କଳ୍ପନାରେ ଭସାଏ
ଘୁଷୁରୀ ଚିହ୍ନାନାମର ଅଙ୍କକଷା ଆଇନଷ୍ଟାଇନ୍ ହସିଦିଅନ୍ତି
ଉଦ୍ବେଗର ବର୍ଗଟା ହାତଠାରେ ପିଥାଗୋରେସଙ୍କୁ
ଇଉକ୍ଲିଡ୍ ମୁରୁକି ହସନ୍ତି ଜ୍ୟାମିତିକ ଚାହାଣିରେ
ଆର୍ଯ୍ୟଭଟ୍ଟଙ୍କ ସ୍ମୃତି କହେ ଗଣିତର ସଂଜ୍ଞା
ସତରେ ତୁମେ ଶତପ୍ରତିଶତ ବିଜ୍ଞାନ
ନିରାକାର ପରି ଅନୁଭବ
ମାତ୍ର ସର୍ବତ୍ର ବିଦ୍ୟମାନ॥
ଆସିଛ ଯଦି ହେ ବୁଦ୍ଧିଦାତା
ଶିଖାଅ ମୋ ଦେଶବାସୀଙ୍କୁ ଗଣିତ ଜ୍ୟାମିତି ଶାସ୍ତ୍ର
ସୃଷ୍ଟିକର ଅଗଣିତ ରାମାନୁଜ
ମାପି ପରଖି କଳି ମୋ ବିଶ୍ୱକୁ
ସାଜନ୍ତୁ କୂଶଳୀ ଗଣିତଜ୍ଞ
ବଢାନ୍ତୁ ଜ୍ଞାନ ବିଜ୍ଞାନର ଘନତା ସାନ୍ଧ୍ରତା
ଆଙ୍କନ୍ତୁ ବିଦ୍ୱାନର ଲେଖଚିତ୍ର
ପରିବେଶ ଗ୍ରାଫଖାତାରେ
ଦେଇ ଗର୍ବର ପୌନଃପୌନିକ ଘନଫଳ॥

ନାରାୟଣ ଚନ୍ଦ୍ର ସେନାପତି, ଜମ୍ଭରା, କେନ୍ଦୁଝର

Post a Comment