କ୍ଷୁଦ୍ରଗଳ୍ପ - ଗରିବ - ପ୍ରଶାନ୍ତ କୁମାର ନାଥ

କ୍ଷୁଦ୍ରଗଳ୍ପ - ଗରିବ - ପ୍ରଶାନ୍ତ କୁମାର ନାଥ

ଗୁରିଆ ପ୍ରଧାନ ଦିନ ମଜୁରିଆଟେ । ମୁଲ ଲାଗି ପେଟ ପୋଷେ । କେତେବେଳେ କାମ ମିଳିଲେ ଦି ମୁଠା ଶାନ୍ତିରେ ଖାଏ ତ କାମ ନମିଳିଲେ ଘରେ ଥିବା ଶାଗ ପେଜ ଖାଇ ଦିନ କାଟିଦିଏ । ଆଜିକାଲି ମୂଲିଆ ମାନଙ୍କ ଅବସ୍ଥା ଯାହା ନକହିଲେ ଭଲ । କେତେବେଳେ ସମସ୍ତେ କାମ ପାଇଁ ଖୋସାମତ କରୁଥିବେ ଯେ କେତେବେଳେ କାମଦାମ କିଛି ବି ମିଳୁ ନଥିବ । ତା ସାଥିରେ ପୁଣି ବରଷା ପବନ ତାଙ୍କ ଉପରେ ଦାଉ ସାଧେ । ଚତୁରୀ ମାସିଆ ଆସିଲେ ସେମାନଙ୍କ ପାଇଁ ଯେମିତି କାଳ ମାଡି ଆସେ । ଏହି ସମୟରେ ଏମାନଙ୍କୁ କାମ ମିଳେନି । ଝଡି ବରଷାରେ କାହାର ବା କି କାମ ହେବ ଏମାନଙ୍କୁ ଡାକିବେ ? ୟା ତା ଘରକୁ ଯାଇ ଆଗୁଆ କହି ପୋଛି କିଛି ପଇସା ଆଣନ୍ତି । ପରେ ପୁଣି ସେମାନଙ୍କ ଇଚ୍ଛା ଅନୁସାରେ ସେମାନଙ୍କ ଘରର କାମ କରି ପଇସା ଚୁକେଇବାକୁ ପଡେ ।

ଗୁରିଆର ଏକ ଛୋଟ ଚାଳ ଘର ଥିଲା । କାନ୍ଥ ଗୁଡିକ ମାଟିରେ ତିଆରି । ପବନ ମଝିରୁ ମଝିରୁ ଚାଳ ଉଡେଇ ନେଇଥିଲା ଯେ ହାଣ୍ଡି ଆଟିକା ମାଡ଼ିଆ ଥୋଇ ଯାହା ଯେମିତି ଚଳି ଯାଉଥିଲା । ସେଥିରେ ପୁଣି ବର୍ଷା ଛାଟି ମାଟି କାନ୍ଥ ଗୁଡିକ ଗଳି ପଡୁଥିଲା । ସେତିକିରେ ବୋଧେ ମନ ମାନିଲାନି ଯେ ତା ଘର ଆଗରେ ଥିବା ବରଗଛଟି ତା ଘର ଉପରେ ଉପୁଡି ପଡିଲା । ଭଗବାନଙ୍କ ଦୟାରୁ କାହାର କିଛି କ୍ଷତି ହେବ ପୂର୍ବରୁ ସେମାନେ ବାହାରକୁ ଚାଲି ଆସିଥିଲେ । ବିଚରା ରହିବାକୁ ବହୁତ ହଇରାଣ ହେଲା । ସାହୁ ଘର ଗାଈ ଗୋରୁ ସବୁ ବିକ୍ରି କରି ଦେଇଥିଲେ । ତାଙ୍କ ଗୁହାଳଟି ଖାଲି ପଡିଥିଲା । ସାହୁଘର ଦୟା କରିବାରୁ ସେହି ଗୁହାଳ ଘରଟି ସଫା କରି ନିଜର ପରିବାର ସହିତ ସେଇଠି କିଛି ଦିନ ରହିଲା । ଲୋକମାନେ ଯାହା ଯେମିତି ସାହାଯ୍ୟ କରିବାରୁ କିଛିଦିନ ଖାଇ ପିଇ ରହିଗଲା ସିନା ହେଲେ ଘରଟିକୁ ଆଉ ଥରେ ଠିଆ କରିବାକୁ ତା ପାଖରେ ସମ୍ବଳ ବା କେଉଁଠୁ ଆସିବ ? ସମସ୍ତେ କହିଲେ ସରକାରଙ୍କୁ ଜଣା ତୋତେ ନିଶ୍ଚୟ ଘର ଖଣ୍ଡେ ମିଳିବ । ୱାର୍ଡମେମ୍ବର ଙ୍କୁ କହିଲା ସିଏ କହିଲା ମୋ ହାତରେ କଣ ଅଛି ଯାହା ଆସୁଛି ସରପଞ୍ଚ ନିଜକୁ ନିଜେ ଯାହାକୁ ଯାହା ଦେବା କଥା ଦେଇ ଦେଉଛନ୍ତି, ତୁ ଯା ଟିକେ ସରପଞ୍ଚ ମହାଶୟଙ୍କ ଦେଖା କରିବୁ । ଗୁରିଆ ସରପଞ୍ଚଙ୍କୁ ଗୁହାରି କଲା ହୋଉ ଦେଖିବା କହି ତାକୁ ସାନ୍ତ୍ୱନା ଦେଲେ । ସେହି ଦିନ ଠାରୁ ତାଙ୍କ ଘରକୁ କେତେ ଥର ଦୌଡିଛି ତାର ହିସାବ ନାହିଁ ତା ପାଖରେ । କିଛି ଦିନ ଦୌଡ଼ିଲା ପରେ ତାକୁ ଦୟା ପୂର୍ବକ ଖଣ୍ଡେ ଜରିପାଲ ଦେଇ କହିଲେ ତୋର ତ ବୟସ ଅଛି ତୁ ନିଜେ ଖଣ୍ଡେ ଘର ତିଆରି କରି ପାରିବୁ । କିନ୍ତୁ ପଞ୍ଚାୟତରେ ଏମିତି ଅନେକ ଲୋକ ଅଛନ୍ତି ଯେଉଁମାନେ ସେତେକ ବି କରି ପାରିବେନି । ତୁ ଯା' ନିଜେ ରହିବାର ବ୍ୟବସ୍ଥା କରିବୁ ସବୁବେଳେ ସରକାରଙ୍କ ଉପରେ ଭରଷା କଲେ କଣ ଚଳିବ । ତୋ ଠାରୁ ଆହୁରି କେତେ କାହିଁ ଗରିବ ଲୋକ ଅଛନ୍ତି । ସେମାନଙ୍କୁ ଆଗେ ନମିଳିଲେ ସେମାନେ ରହିବେ କେମିତି ।
     
ନିଜର ମୁଣ୍ଡକାନ ଆଉଁସି ଗୁରିଆ ଘରକୁ ଫେରିଲା । ଆଉ ନିଜ ସ୍ତ୍ରୀ ପିଲାଛୁଆଙ୍କୁ ନେଇ ଜେନତେନ ପ୍ରକାର କୁଡ଼ିଆ ଖଣ୍ଡେ ତିଆରି କଲା । ଆଉ ତାର କାନରେ ବାରମ୍ବାର ପ୍ରତିଫଳନ ହେଉଥିଲା ଭୋଟ ସମୟରେ ସରପଞ୍ଚ ଦେଇଥିବା ପ୍ରତିଶୃତି ଗୁଡିକ । ଆଉ ସିଏ ବସି ବସି ଭାବୁଥିଲା ସତରେ ମୋ ଠାରୁ ଆହୁରି ଅନେକ ଗରିବ ଲୋକ ମାନେ ଅଛନ୍ତି, ଯାହାଙ୍କୁ ସରକାରୀ ସାହାଯ୍ୟ ମିଳିବା ଦରକାର । ଆର ସାହି ପରମାନନ୍ଦ ଖୁଣ୍ଟିଆ କେତେ ଗରିବ । ତାର ତିନି ତନୋଟି ପୁଅ ରୋଜଗାରିଆ ଜମି ବାଡିରୁ ଯାହା ଅମଳ ହେଉଛି ବରଷେ ଖାଇଲେ ସରିବନି ସେହିଁ ପ୍ରକୃତ ଗରିବ । ପ୍ରଫୁଲ୍ଲ ମିଶ୍ର ଯାହା ଗୁହାଳ ଭାଙ୍ଗିଯିବାରୁ ତାକୁ ଘର କରିବା ପାଇଁ ସରକାରୀ ସହାୟତା ମିଳିଛି ସେ ହିଁ ପ୍ରକୃତ ଗରିବ । ପର୍ଶୁରାମ ବାଇ ଆଗରୁ ସରକାରୀ ଚାକିରୀ କରିଥିଲା ରିଟାର୍ଡ ହେଇ ସାରିଛି,ମାସକୁ ପନ୍ଦର ହଜାର ଟଙ୍କା ପେନସନ୍ ପାଉଛି । ସେ ହିଁ ପ୍ରକୃତ ଗରିବ । ପଦନା ସାହୁ ର ଦୁଇ ପୁଅ ଏକାଠି ରୁହନ୍ତି ଛକ ଉପରେ ସେମାନଙ୍କର ଗୋଟେ ତେଜରାତି ଦୋକାନ ଅଛି ଦୁଇ ଦୁଇଟି ଇନ୍ଦିରା ଆବାସ ପାଇଛନ୍ତି ଗୋଟେ ଦୁଇ ମହଲା କୋଠା କରିଛନ୍ତି ମାର୍ବଲ ଚଟାଣ । ପାଦ ରଖିଦେଲେ ସରକିନା ଗୋଡ଼ ଖସି ଯାଉଛି । ସେହିଁ ପ୍ରକୃତ ଗରିବ । କିନ୍ତୁ ଏ ଗୁରିଆ ପ୍ରଧାନ ମୁଲ ଲାଗୁଛି । କେତେବେଳେ ଖାଇଲେ କେତେବେଳେ ଉପାସ ଶୋଉଛି । କିନ୍ତୁ ତାକୁ ଗରିବ ବୋଲି କିଏ କହୁଛି ସିଏ ପରା କଥା କହି ଶିଖିନି ପାଠ ପଢିନି ମୁରୁଖଟା । ସମସ୍ତଙ୍କ କଥାରେ ହଁ ଭରିବା ହିଁ ତା କାମ ।

0 Comments