Information

ଓଡିଆ ସାହିତ୍ୟ ଓ ସଂସ୍କୃତିର ନିଆରା ସ୍ଵର... ତିନିଶହରୁ ଉର୍ଦ୍ଧ ଲେଖକ ଲେଖିକା ଏବଂ ଦୁଇଲକ୍ଷରୁ ଉର୍ଦ୍ଧ ପାଠକ ପାଠିକା ମାନଙ୍କର ପ୍ରିୟ ଇ-ସାହିତ୍ୟ ପୋର୍ଟାଲ ବଣମଲ୍ଲୀର ମହକ ଆପଣଙ୍କୁ ସ୍ଵାଗତ ଜଣାଉଛି ।

ରମ୍ୟରଚନା - ପରକୀୟ ରସ - ଜୟନ୍ତ ମହାପାତ୍ର


“ଦଶ ଝିଅଙ୍କ ଭିତରୁ ବାଛି ମୋତେ ବାହାହବା ପାଇଁ ହଁ କରିବାକୁ ଛାଡ଼ିଦେଲେ ଆଜି ଯାଏଁ ତମର ପ୍ରତ୍ୟେକ ନିଷ୍ପତ୍ତି, ପ୍ରତ୍ୟେକ ପଦକ୍ଷେପ ଭୁଲ । ଭୁଲ କରିବ ତମେ ଆଉ କଷ୍ଟ ସହିବି ମୁଁ ? ସେଥିରେ ପୁଣି କିଛି କହିଦେଲେ ବାଧି ଯାଉଛି । ଯଦି ଶୁଣିବାର ଶକ୍ତି ନାହିଁ ତେବେ ଭୁଲ କାହିଁକି କରୁଛ ? ମୋ ଜୀବନଟାକୁ ତୁମେ ପୁରା ନଷ୍ଟ କରି ସାରିଲା ପରେ ଏବେ ମୋ ପାଟିଟାକୁ ବି ବନ୍ଦ କରିବାକୁ ଚାହୁଁଛ ? ମୋତେ ଅବଳା ନାରୀ ଭାବିବାର ଭୁଲ କରିବନି କେବେ । ଯମକୁ ଥରହର କରିଦବା ଭଳି ଲୋକ ମୁଁ । ଯଦି ଏତେ ଯନ୍ତ୍ରଣା ହେଉଛି, କବାଟ ଖୋଲା ଅଛି, ଗେଟରେ ତାଲା ପଡ଼ିନି, ସ୍କ୍ରିନ୍ ଟା ବି ଟେକି ଧରିଛି ।”, ସୁମତୀ ତାର ଚିତ୍କାରଟା ବନ୍ଦ କରି ମୋ ଆଡ଼କୁ କଟମଟ କରି ଚାହିଁ ଥିଲା କି ମୁଁ ଗାଡ଼ି ଚାବି ନେଇ ବାହାରକୁ ଚାଲି ଆସିଲି ।

ନିତି ଦିନିଆ ଏ କଟର ପଟର ଶୁଣିବାକୁ କଣ ବାହା ହେଇଥିଲା ମଣିଷ ? ଏକା କଥାକୁ ଫଟା ରେକର୍ଡ଼ ଭଳିଆ ଘୋଷି ହଉ ଥିଲେ ମଧ୍ୟ ପ୍ରଥମ ଥର ପାଇଁ କହିଲା ଭଳିଆ ତୃପ୍ତି କେମିତି ନିଆ ହୁଏ, ତାହା ସୁମତୀଠାରୁ ଶିଖିବା କଥା । ସବୁ ସାଙ୍ଗ ମାନେ କେତେ ସୁଖ ଶାନ୍ତିରେ ରହୁଛନ୍ତି, କିନ୍ତୁ ମୋ ଭାଗ୍ୟକୁ ଏମିତିକା ? ଘର ଭିତରକୁ ଯିବା ପୁର୍ବରୁ ପାଣିପାଗର ବିବରଣୀ ନବାକୁ ପଡ଼ୁଛି । ଛିଃ, ଏଇଟା ଘର ନା କୁରୁକ୍ଷେତ୍ରର ଯୁଦ୍ଧଭୂଇଁ ? ମହାଭାରତ ଯୁଦ୍ଧ ବି ଅଠର ଦିନରେ ସରି ଯାଇଥିଲା, ମୋର ତ ଚାଲିଛି ଯେ ଚାଲିଛି, ସରିବାର ନା ନଉନି । ସୁକୁଟୀ ଭାଉଜ କେତେ ଭଲ । କେତେ ମିଠା ତାଙ୍କ କଥା । ଗୌରାଟା ଶଳା ଭାଗ୍ୟବାନ ବାହାରିଲା । ସୁମତୀକୁ ଜୀବନ ସାଥୀ ରୂପେ ପାଇ ମୋର ଛାତି ଗର୍ବରେ ଫାଟି ପଡ଼ିଥିଲା ଦିନେ । କିନ୍ତୁ ଉଠୁଥିବା ଷ୍ଟକ ମାର୍କେଟର ସୁଖ ଭଳି ଏଇଟା ବି କ୍ଷଣିକେ ରହି ସରିଗଲା । ଭଗବାନ ଯେତେବେଳେ ମଧୂରତା ଭଳି ଗୁଣ ଗୁଡ଼ିକୁ ବାଣ୍ଟୁ ଥିଲେ, ମୋ ସ୍ତ୍ରୀଟା କଣ ସେ ଧାଡ଼ିରେ ନଥିଲା ? କୁଠୁ ବା ଥିବ, ସେତ ଅନ୍ୟ ଧାଡ଼ିରେ ରହି କର୍କଶତା ଆଉ ବର୍ବରତାକୁ କିଣୁ ଥିବ । ଭୁଲ ଜିନିଷ କିଣିବାର ଅଭ୍ୟାସଟା, ଆଜି ପର୍ଯ୍ୟନ୍ତ ବଦଳିଲା ନାହିଁ, କିନ୍ତୁ କଥା କଥାକେ ମୋର ଭୁଲ ବଛା ହେଉଛି ?

ମନ ଭିତରେ ଫଁ ଫଁ ହେଇ ପବନା ଭଳି ଏଣେ ତେଣେ ବୁଲି ବୁଲି ଆଉ କିଛି ବାଟ ନ ପାଇ ଅଫିସକୁ ଚାଲି ଆସିଲି । କାମ ଭିତରେ ଭୋଳ ଥିଲା ବେଳେ ସମୟର ନିଘା ନଥିଲା । ହଠାତ୍ ଅଫିସର ଥଣ୍ଡା ବାତାବରଣଟାରେ କାହିଁ କେଜାଣି ଉଷ୍ମତାର ଏକ ଛୋଟ ଢେଉ ଖେଳିଗଲା ଭଳି ଦେଖାଗଲା । ସହକର୍ମୀ ମାନେ କ’ଣ ପାଇଁ ଗୋଟେ ଫୁସରୁ ଫାସର ହେଉଛନ୍ତି, ଠଉରେଇବା ମୁସ୍କିଲ ହେଉଥିଲା । ଏମିତି କଣ ହେଲା ଯାହା ମୋ’ ଛଡ଼ା ବାକି ସମସ୍ତଙ୍କୁ ଜଣା ? ମୋ ଘର କଥା କ’ଣ ପଦାରେ ପଡ଼ିଗଲା ? ସକାଳୁ ସକାଳୁ ଘରୁ ତଡ଼ା ଖାଇ ଏଠି ଆସି ବସିଛି ବୋଲି କଣ ସିକ୍ୟୁରିଟି ଗାଡ଼ଟା ସମସ୍ତଙ୍କୁ କହିଦେଲା ? ଏମିତି ଭାବୁଥିଲା ବେଳେ ନକୂଳର ପାଟିଟା ଶୁଣାଗଲା । ଅନ୍ୟ ଦିନରେ ବିରକ୍ତିକର ଲାଗୁଥିବା ନକୂଳର ଲେଭେଡ଼ା ହସଟା, ଆଜି କାହିଁକି କେଜାଣି ମନଟାରେ କୌତୂହଳ ସୃଷ୍ଟି କଲା ।

ଅସମ୍ଭାଳ ହେବାରୁ ଧୀରେ ଧୀରେ ଯାଇ ନକୂଳକୁ ପଚାରି ଦେଲି, “କଣ ହେଲା କିରେ ? ତମେମାନେ ସମସ୍ତେ ଏମ.ଡି. ଥିଲାବେଳେ ବି ବସି ଏଠି ଖଟି ଚଲେଇଛ ?” ମୋ କଥା ଶୁଣି ନକୂଳ କହିଲା, “ଲୋଚନ ଭାଇ, ଲାଗୁଛି ତମେ ଅଜଣା ଚାଉଳର ଭାତ ଖାଉଛ ? ଆଜିକାର ବ୍ରେକିଙ୍ଗ୍ ନିଉଜ ଶୁଣି ନାହଁ ବୋଧେ । ଆଇ.ପି.ସି. ସେକସନ୍ ୪୯୭ ସୁପ୍ରିମକୋର୍ଟ ଏବେ ରଦ୍ଧ କରିଦେଲା । ଏହାର ଆନୁସାରେ ଅନ୍ୟ ବିବାହିତା ସ୍ତ୍ରୀ ଲୋକଙ୍କ ସହିତ କେଳି କରୁଥିଲା ବେଳେ ଯଦି ଧରା ପଡ଼ିଗଲେ, ପୁରୁଷ ଲୋକଙ୍କୁ ଆଉ ଆଗ ଭଳିଆ ଜେଲ ଦଣ୍ଡ ଭୋଗିବାକୁ ପଡ଼ିବନି । ଅନ୍ୟ ଭାଷାରେ କହିଲେ ଲଗାମଛଡ଼ା ହେଇ ଖେଳ କରିବାର ଦିନ ଆସିଗଲା ।”

ଅବୈଧ ସମ୍ପର୍କରେ ଘର ଭାଙ୍ଗିବା ଜଣାଶୁଣା କଥା, କିନ୍ତୁ ଜେଲର ହାୱାବି ଖାଇବାକୁ ପଡ଼ିପାରେ ସେ କଥା ଶୁଣି ଟିକେ ଆଶ୍ଚର୍ଯ୍ୟ ଲାଗିଲା । ଯଦି ଏମିତି ଗୋଟେ ଅବାନ୍ତର ନୀୟମ ଥିଲା, ସେଇଟା ହଟିବାର ହିଁ ଥିଲା । କିନ୍ତୁ ଲଗାମଛଡ଼ାର ଆଶଙ୍କାଟା ଟିକେ ହଜମ ହଉ ନଥିଲା । ଏମିତି ବି ମୋତେ ଜଣା ନଥିଲା, ଯଦି କରିବାର ଥାନ୍ତା ତେବେ କଣ ଆଜିର ସଂଶୋଧନ ପ୍ରସ୍ତାବ ପାସ୍ ହେବା ଯାଏଁ ଅପେକ୍ଷା କରିଥାନ୍ତି ? ଲାଗୁଛି ଆଜିକାଲି କିଛି ଲୋକ ଜୀରାରୁ ସିରା କାଢ଼ିବାକୁ ଗୋଟେ ବୃତ୍ତି କରି ସାରିଲେଣି । “ଆଇନର ଭୟ ଯଦି କୈଣସି ଯାଗାରେ ପ୍ରତିବନ୍ଧକ ସୃଷ୍ଟି କରି ଆମକୁ ରୋକି ଦେଇପାରେ ତେବେ ଆଇନର କୋହଳତା, ପ୍ରୋତ୍ସାହନ ବି ଦେଇପାରେ, ହଁ କି ନାହିଁ ? ଏମିତି ବି ଅଭାବେ ସ୍ୱଭାବ ନଷ୍ଟ ବୋଲି ମହାପୁରୁଷ ମାନେ କହି ଯାଇଛନ୍ତି, ତେଣୁ ଘରେ ସବୁ ଠିକଥିଲେ ଜଣେ ଜାଣିଶୁଣି ପଙ୍କକୁ ଡେଇଁବ ବା କାହିଁକି ? ଆଉ ଯଦି ସତରେ ଅସୁବିଧା ଅଛି, ଗୋଡ଼ ଖସିଲେ ଢୋ ।”, ନକୂଳର ଶେଷ କିଛି କଥା କାହିଁ କେଜାଣି ଚାହିଁଲେବି ବିରୋଧ କରି ହେଉ ନଥିଲା ।

ସନ୍ଧ୍ୟାରେ ନକୂଳ ଅଫିସରୁ ବାହାରୁ ଥିଲାବେଳେ ମୋତେ ଦେଖି ଅଟକି ଗଲା । ପାଖକୁ ଆସି କହିଲା, “ଲୋଚନ ଭାଇ, ଆଜି ଆମ ‘ଲାଇଫବଏ’ କ୍ଲବର ବିଶେଷ କାର୍ଯ୍ୟକ୍ରମ ଅଛି, ଆସୁନ ଟିକେ ? ଜଣେ ନାମୀ ଲଭଗୁରୁ ଆସୁଛନ୍ତି । ପ୍ରବଚନ ଦେବେ, ‘ରଙ୍ଗୀନ ଜୀବନ ସାର ୧୦୧ ଉପାୟ’ ।” କୌତୂହଳ ବସତଃ ପଚାରି ଦେଲି, “ନକୂଳ, ଏଇଟା ଗୋଟେ କି କ୍ଲବ ?” ନକୂଳ ତା’ର ଯାତ୍ରା ଶୈଳୀରେ ଜବାବ ଦେଲା, “ ‘ଲାଞ୍ଛିତ ଇଏ ଫସିଛି ବଞ୍ଚିବ ଏଠି’, ମାନେ ‘ଲାଇଫବଏ’ । ଅନ୍ୟ ଭାଷାରେ ବିବାହିତ ଭଦ୍ର ପୁରୁଷ ମାନଙ୍କ ଖଟି ସ୍ଥଳୀ ।” ମନରେ ଇଛା ଥିଲେ ବି “ସେ ଯାଗାକୁ ଯାଇ ମୋତେ ନାଁ ପକାଇବାର ନାହିଁ”, କହି ମନା କରି ଦେଲି । “ହ୍ୱାଟସଆପରେ ଠିକଣାଟା ପଠେଇ ଦେଇଛି, ଯଦି ପଛକୁ ମନ ପରିବର୍ତ୍ତନ ହେଲା, ଆସିଯିବ ।”, କହି ନକୂଳ ଚାଲିଗଲା ।

“ଲଭଗୁରୁ …, ରଙ୍ଗୀନ ଜୀବନର ସାର …, ଅଭାବେ ସ୍ୱଭାବ ନଷ୍ଟ …, ସୁକୁଟୀ ଭାଉଜଙ୍କ ମିଠା କଥା …, ଜେଲର ଭୟ …”, ଆଦି କଥା ଗୁଡ଼ିକ ଆଖି ଆଗରେ ସିନେମା ଭଳି ଫ୍ଲାସ ହେଉଥିଲା ବେଳେ, ‘ଲାଇଫବଏ’ କ୍ଲବକୁ ଯିବା ପାଇଁ ଇଛା ହେଉଥିଲା । ଏମିତି ବି ଘରକୁ ନ ଫେରିବା ପାଇଁ ପଣ କରିଥିଲି । ତେଣୁ ହ୍ୱାଟସଆପ୍ ଖୋଲି ଠିକଣାଟା ଦେଖି ବାହାରି ପଡ଼ିଲି ।

ସେଠାରେ ପହଞ୍ଚି କବାଟ ଖୋଲି ପସୁ ପସୁ ସାମ୍ନାରେ ଗୌରାକୁ ଦେଖି ଗୋଡ଼ଟା ଆପେ ଆପେ ଅଟକି ଗଲା । ସେ ଏଠି କ’ଣ କରୁଛି ? ଲଭଗୁରୁ ପାଖରେ ଛିଡ଼ା ହେଇ କ’ଣ କହିବାକୁ ଯାଉଛି ? ପଛଘୁଞ୍ଚା ଦେଇ ଆଉ ଭିତରକୁ ନ ଯାଇ ବାହାରକୁ ଚାଲି ଆସିଲି । ଝରକା ପାଖକୁ ଯାଇ ଲୁଚି ଲୁଚି ଗୌରା କଥାକୁ ଶୁଣିବାକୁ ଚେଷ୍ଟା କଲି ।

ଲଭଗୁରୁ ଗୌରାକୁ ପ୍ରୋତ୍ସାହନ ଦେଇ କହି ଚାଲିଲେ, “ଏଠି ତୁମେ ଯାହା କହିବ, ସେ କଥା ଏହି ଚାରି କାନ୍ଥ ଭିତରେ ଆବଦ୍ଧ ହେଇ ରହିବ । ଥରେ କହି ଦେଲେ ମନ ହାଲକା ହେଇଯିବ । ନ କହି ମନ ଭିତରେ ବାନ୍ଧି ରଖିଲ, ବୋଝ ପରି ସବୁ ଦିନ ପାଇଁ ରହିଯିବ । ତେଣୁ କିଛି ଚିନ୍ତା ନ କରି କହି ଦିଅ ।” ଲଭଗୁରୁଙ୍କର ପ୍ରୋତ୍ସାହନ ପାଇ ଗୌରା ସବୁ ସଙ୍କୋଚ ଛାଡ଼ି ଆରମ୍ଭ କରିଦେଲା, “ମୋ ସ୍ତ୍ରୀ ସୁକୁଟୀ ମୋ ଜୀବନଟାକୁ ଦୁର୍ବିସହ କରି ସାରିଲାଣି । ସବୁ ସାଙ୍ଗ ମାନେ କେତେ ସୁଖ ଶାନ୍ତିରେ ରହୁଛନ୍ତି, କିନ୍ତୁ ମୋ ଭାଗ୍ୟ ଖରାପ । ମୋ ସାଙ୍ଗ ଲୋଚନ ବଡ଼ ଭାଗ୍ୟବାନ । ଲୋଚନର ସ୍ତ୍ରୀ ସୁମତୀ କେତେ ଭଲ, କେତେ ମିଠା ତାଙ୍କ କଥା …”

ରାତି ନଅଟା ବେଳେ ବାହାରେ ଥିବାରୁ ଟିକେ ମନସ୍ତାପ ହେଲା । ସକାଳର ସବୁ ରୋଷ ଥଣ୍ଡା ପଡ଼ିଗଲା । ଆଉ ଅପେକ୍ଷା ନକରି କ୍ଲବର କାର୍ଯ୍ୟକ୍ରମକୁ ଅଧାରେ ଛାଡ଼ି ଘରାଭିମୁଖୀ ବାହାରି ପଡ଼ିଲି ।

Jayanta Mohapatra
Royal Lagoon, Bhubaneswar

Post a Comment

0 Comments