
ଉପାସ ରହିଲୁ ହବିଷ କରିଲୁ
ଆମିଷ ଛାଡିଲୁ ତୁହି,
ବୁଡ଼ ପକେଇଲୁ ଚଉରା ପୂଜିଲୁ
ଧୂପ ଦୀପ ଭକ୍ତି ଦେଇ ॥
ମନ୍ଦିରକୁ ଗଲୁ କ୍ଷୀର ବି ଢାଳିଲୁ
ଶିବଙ୍କ ଲିଂଗରେ ଯାଇ ,
ଫୁଲ ଫଳ ଦେଇ ମୁଣ୍ଡିଆ ମାରିଲୁ
ଠାକୁର ପାଖରେ ତୁହି ॥
ଧର୍ମ ମାସ ବୋଲି ସବୁ ତୁ ମାନିଲୁ
ଧର୍ମ କିଆଁ କଲୁ ନାହିଁ,
ବୁଢା ବାପା ମାଆ ଦିଟାକୁ ତୁହି
ଭୋକରେ ରଖିଲୁ କାହିଁ ॥
ନୀତି ରୀତି ସବୁ ମନେ ରଖିଲୁ ତୁ
ଛୁଆକୁ ତୋ ଭୁଲି ଗଲୁ,
ଅଝଟ କରିଲା ବୋଲି ପିଲାଟା ତୋ
ଝାଡ଼ୁରେ ତାକୁ ମାରିଲୁ ॥
ପୋଥି ପୁରାଣ ତୁ ଭଲରେ ପଢ଼ିଲୁ
ଦୁଃଖୀଙ୍କୁ ଶୁଣିଲୁ ନାହିଁ,
ଖାଲି ଥାଳି ନେଇ ଫେରି ଗଲା ସିଏ
ନ ଦେଲୁ ଚାଉଳ ତୁହି ॥
ମୁରୁଜ ପକେଇ ସୁନ୍ଦର କରିଲୁ
ଚଉରା ମୂଳକୁ ତୋର,
ଗୋରୁ ଗାଈଙ୍କୁ ତୁ ତୋରାଣି ଦେଲୁନି
ଏ କେମିତିକା ଉପଚାର ॥
ଅତିଥିଙ୍କ ସେବା ଭଲରେ କଲୁନି
ମନେ କଷ୍ଟ କିଆଁ ଦେଲୁ,
ଧରମ ମାସରେ ମଣିଷ ଧରମ
କରିବାକୁ ଭୁଲି ଗଲୁ ॥
ମାନବ ସେବା ହିଁ ମାଧବ ସେବା
ପ୍ରକୃତ ଧରମ ଅଟେ,
ମରମକୁ ବୁଝି କରମ କରିଲେ
ସୁଖରେ ଜୀବନ କଟେ ॥
କର୍ମ ହିଁ ଈଶ୍ୱର କର୍ମ ହିଁ ଧରମ
କର୍ମ ସବୁଠାରୁ ଉଚ୍ଚ ,
କର୍ମ ଅଟେ ପୂଜା କର୍ମ ଉପାସନା
କର୍ମ ବିନା ସବୁ ତୁଚ୍ଛ ॥
ସସ୍ମିତା ସାହୁ, ନାଶିକ, ମହାରାଷ୍ଟ୍ର