OUR READERS STATUS AROUND THE GLOBE : INDIA-362119 CANADA-354 CHINA-881 FRANCE-1727 GERMANY- 2083 QATAR - 61 SINGAPORE - 1114 UNITED STATES - 14819 UNITED KINGDOM - 553 UNITED ARAB EMIRATES - 926 UKRAINE-47 UNKNOWN REGIONS-5627

ମୋ ବୋଉ - ରମେଶ ଚନ୍ଦ୍ର ମିଶ୍ର

ମୋ ବୋଉ - ରମେଶ ଚନ୍ଦ୍ର ମିଶ୍ର


ମୋ ବୋଉର ଉଚ୍ଚତା ବୋଧେ
ଦୁନିଆରେ ସବୁଠାରୁ ବେଶୀ
ସେଇଥିପାଇଁ ତ
ନିତିଦିନ ସଞ୍ଜ ଆକାଶରୁ
ମୁଠା ମୁଠା ଜହ୍ନ ତାରା ତୋଳିଆଣି
ହାତରେ ମୋ ଗୁଞ୍ଜି ଦେଉଥିଲା
ଜହ୍ନକୁ ମୋ ସହ କଥାହେବା ପାଇଁ
ବାଧ୍ୟ କରୁଥିଲା ।

ବୋଉ ମୋର କେମିତି କେଜାଣି
ବୁଝିପାରେ ମନତଳ କଥା
ମାନସିକ ଜ୍ଜ୍ବଳନର ଉତ୍ତାପକୁ
ମାପିପାରେ ସେ କୋଉ ଯନ୍ତ୍ରରେ
ଯାଦୁ କଲା ଭଳି
ତା ହାତର ସାଉଁଳାରେ
ଲିଭିଯାଏ ବୁକୁତଳ ବ୍ୟଥା ।

ଅଳପ ପାଠରେ
ଦର୍ଶନର ଜଟିଳ ତତ୍ତ୍ବକୁ
କେତେ ସରଳରେ
ବଖାଣି ସେ ପାରେ,
ନକାରବାଦୀର ମନରେ
କେଉଁ ମନ୍ତ୍ର ପଢି ସତେ
ସକାରବାଦୀର ଧର୍ମୀୟ ଚେତନାର
ସୂକ୍ଷ୍ମ ଧାରାଟିଏ
ବୁହାଇ ସେ ପାରେ ।

ଆଇନର ମୋଟା ବହି ନପଢି ବି
ସେ ମୋ ବାପାଙ୍କ ସଠିକ୍ ପରାମର୍ଶଦାତ୍ରୀ
ସଂସାରର ଚଲାବାଟ ଦେଖାଇ ସେ ଦିଏ,
ଅଙ୍କାବଙ୍କା ଅରମା ବାଟରୁ ବିପଦର ଗନ୍ଧ
କେମିତି କେଜାଣି
ସେ ଠିକ୍ ବାରିପାରିଥାଏ ।
ଆସନ୍ନ ବିପଦରୁ କେଡେ ସହଜରେ
ରକ୍ଷା କରିଥାଏ ।

ବୋଉ ମୋର 'ମହାଲକ୍ଷ୍ମୀ ମନ୍ତ୍ର' ଜାଣିଥିଲା
ଅଳପ ରାନ୍ଧି ବି ସଭିଙ୍କୁ ପରଷେ
ଶାନ୍ତି ଓ ସନ୍ତୋଷ ଯେମିତି ତା ଅନୁଚରା,
ତା ରାନ୍ଧଣା, ପରଷଣାରେ
ସଭିଙ୍କ ହୃଦୟରେ କିଆଫୁଲ ଫୁଟି ଉଠୁଥିଲା ।

ସେ ଦୁଇ ବା ତିନି ବର୍ଷ
ସ୍କୁଲକୁ ଯାଇଥିଲା, କହେ
ଏତେ କମ୍ ପାଠରେ ବି ସେ
ପାଠପଢାରେ ଆମ ପଛେ
ଛାଇ ଭଳି ରହେ,
ନଆସିବା ପାଠ କହିଦିଏ ।

ସଂସ୍କାରର ଗୋଟି ଗୋଟି କଥା
ଶୂଆ ଭଳି କାନତଳେ ଘୋଷିହେଉଥିଲା
ସୁଖରେ ଦୁଃଖରେ ଭାଗ ବସାଇ
ମନକୁ ଫୁଲଭଳି ହାଲ୍କା କରୁଥିଲା
ଜୀବନର ଉତ୍କର୍ଷରେ
ତା ଓଠରୁ ବିମଳ ହସର
କ୍ଷୀଣ ଧାର ଝରୁଥିଲା ।

ରମେଶ ଚନ୍ଦ୍ର ମିଶ୍ର
ସମ୍ପାଦକ, ତ୍ରିଧାରା ସାହିତ୍ୟ ସଂସଦ, 
ବଇଣ୍ଡା, ଅନୁଗୋଳ

0 Comments