Children World

ଓଡିଆ ସାହିତ୍ୟ ଓ ସଂସ୍କୃତିର ନିଆରା ସ୍ଵର... ତିନିଶହରୁ ଉର୍ଦ୍ଧ ଲେଖକ ଲେଖିକା ଏବଂ ଦୁଇଲକ୍ଷରୁ ଉର୍ଦ୍ଧ ପାଠକ ପାଠିକା ମାନଙ୍କର ପ୍ରିୟ ଇ-ସାହିତ୍ୟ ୱେବ ପୋର୍ଟାଲ ବଣମଲ୍ଲୀର ମହକ ଆପଣଙ୍କୁ ସ୍ଵାଗତ ଜଣାଉଛି ।

କ୍ଷୁଦ୍ରଗଳ୍ପ - ଡାହାଣୀ - ପ୍ରମୋଦ କୁମାର ପଣ୍ଡା


ସକାଳୁ ସକାଳୁ ମଧୁପୁର ଗାଁ ର ପରିଡା ସାହିରେ ହୁରି ପଡିଗଲା, ଗୋପିଆ ମା ଟା ଡାହାଣୀ | ନିପଟ ମଫସଲର  ଏଇ ଛୋଟିଆ ଗାଁ ଟାରେ ଚାହୁଁ ଚାହୁଁ କଥାଟା ନିଆଁ ଲାଗିଲା ପରି ଚାରିଆଡେ ବ୍ୟାପିଗଲା | ମାଇପେ ଗାଁ ଦାଣ୍ଡକୁ ଦିନବେଳଟା ରେ ସୁଦ୍ଧା ପିଲାଙ୍କୁ ଛାଡିଲେନି | ଚାରିଆଡେ କୋକୁଆ ଭୟ | କଣ କରିବେ | ଗାଁ ର ଭେଣ୍ଡିଆ ସବୁ ଏକାଠି ହୋଇ ମୁଖିଆ ହରିବନ୍ଧୁ ଶ୍ରୀଚନ୍ଦନଙ୍କ ପାଖରେ ପହଞ୍ଚିଲେ  | କଥା ହେଲା ସନ୍ଧ୍ୟାବେଳେ ଭାଗବତ ମଣ୍ଡପରେ ସମସ୍ତେ ଏକାଠିହୋଇ ଏହାର ପ୍ରତିକାର କରିବେ |

ଅଗାଧୁ ମାଇପର ନାଁ ନେତ | ଭୁଆସୁଣୀ ବୟସରେ ହଇଜାରେ ଅଗାଧୁ ଚାଲିଗଲା ଆରପାରିକୁ | କୋଳରେ ବରଷକର ପୁଅ ଗୋପିଆ | ନେତର ବୟସ ହେଇ ହେଇ ଷୋହଳ କି ସତର ହେବ | ଦିହରେ ଯୌବନ ଲହଡି ଭାଙ୍ଗୁଥାଏ | ଗରୀବ ମାଇପ ସଭିଙ୍କ ଶାଳୀ ପରି ନେତ ଉପରେ ଭେଣ୍ଡାଠୁ ବୁଢା ପର୍ଯ୍ୟନ୍ତ ସମସ୍ତଙ୍କ ଆଖି | ବିଚାରି ବଡ ଅସୁବିଧା ରେ ଥାଏ | ଗେରସ୍ତ ଥିଲାବେଳେ ମୂଲ ମଜୁରି ଲାଗି ଯାହା ଆଣୁଥିଲା ସେ ଗଲାପରେ ପୁରା ଠ ଠା ଠି | ନେତର ବାପଘର ବି ଟାଣୁଆ ନଥିଲେ | ତେଣୁ ବିଚାରୀ ଶାଶୁଘରେ ଭାଗ୍ୟକୁ ଆଦରି ପଡିଥାଏ | ଶଶୁର ବୁଢା ଯାହା ଯୁଆଡୁ ଯୋଗାଡକରି ଢୋକ ପାଣି କରି ଘର ଚଳଉଥିଲା , ସେବି ବେଡି ଉପରେ କୋରଡା ଭଳି ପୁଅ ଯିବାର ମାସ ଚାରିଟାରେ ଆରପାରିକୁ ଟିକେଟ କାଟିଲା | ତା ପରେ ପରେ ଶାଶୁ ବୁଢୀ ମଧ୍ୟ ପୁଅ ଓ ଗେରସ୍ତକୁ ଝୁରି ଝୁରି ବୁଢା ଯିବାର ଚାରି ଛ ମାସ ପରେ ଉପରକୁ ଚାଲିଲା | ରହିଲେ କେବଳ ନେତ ଆଉ ଦୁଧଖିଆ ଛୁଆ ଗୋପିଆ | ଲୋକେ କୁହାକୁହି ହେଲେ, " ଅଲକ୍ଷଣୀ ଟା ବଅଁଶ ବୁଡେଇ ଦେଲା | ପୁରା ଡାହାଣୀ ଟା ତ |"

ସବୁ ଜ୍ୱାଳା ଠାରୁ ପେଟର ଜ୍ୱାଳା ଅଧିକ କଷ୍ଟଦାୟକ | ଅଣ୍ଟାଭିଡିଲା ନେତ | ଲୋକଙ୍କ ଟାହି ଟାପରାକୁ ଭୃକ୍ଷେପ ନକରି ଗାଁ ପାଖ ଚୁନ ଭାଟିରେ କାମକଲା | ଯାହା ମଜୁରି ପାଏ , ସେଥିରେ ମା ପୁଅ କୌଣସିମତେ ଚଳିଯାଆନ୍ତି |

ଏମିତିରେ କଟିଗଲା ବହୁତ ଦିନ | ଗୋପିଆ ଭେଣ୍ଡା ହୋଇଗଲା | ତାପରେ ଘର ଚଳେଇବାକୁ କଲିକତା ଚଟକଳରେ କାମ କରିବାକୁ ଚାଲିଗଲା | ଘରେ ନେତ  ଏକା | କ୍ରମେ ନେତ  ବୁଢୀ ହୋଇ ଗଲାରୁ ତାର ନଁ ହେଇଗଲା " ଗୋପିଆ ମା " | କଥା କଣ କି ଅନ୍ଧାରୁ ଅନ୍ଧାରୁ ରାଧୁ ପରିଡା ନିତ୍ୟକର୍ମ ସାରିବାକୁ ପୋଖରୀକୁ ଯାଇଥିଲେ |ପୋଖରୀ ହୁଡା ଉପରକୁ ଯେମିତି ଉଠି ଯାଇଛନ୍ତି, ଦେଖିଲେ ହୁଡାତଳେ ବିଲ ଉପରେ ଉର୍ଦ୍ଧ୍ୱ ଲଙ୍ଗଳାହୋଇ କିଏ ଗୋଟେ ମାଇପୀଟେ ଠିଆହୋଇଛି ବାଳ ମୁକୁଳାକରି | ପରିଡାଙ୍କର ନିତ୍ୟକର୍ମ ସେଇଠି ବନ୍ଦ ହୋଇଗଲା | ଭୟରେ ତାଙ୍କର ଦେହ ଥରିବାକୁ ଲାଗିଲା | ସେ ପାହାନ୍ତା ପାହାନ୍ତାରେ ଯେ ଡାହାଣୀ ହାବୁଡେ ପଡିଯାଇଛନ୍ତି ଏଥିରେ ସନ୍ଦେହ ନାହିଁ | ଗୁଡାଖୁ ଲଗା ତାଙ୍କର ବିଶି ଆଙ୍ଗୁଠିର ପାନଖିଆ ଦାନ୍ତଗୁଡାକୁ ଡିହ ମରା ଅଟକିଗଲଲା | ବଡ କଷ୍ଟରେ ସେ ଓସ୍ତଗଛ ଉହାଡକୁ ଲେପେଟି ଯାଇ ସେଇଠୁ ଲକ୍ଷ୍ୟକଲେ | ଝାପସା ଅନ୍ଧାରଟାରେ ଠଉରାଇ ନପାରି  କେବଳ ପ୍ରତିକୃତିକୁ ଚାହିଁଥିଲେ | ଧୀରେ ଧୀରେ ପୂର୍ବ ଆକାଶ ଫର୍ଚ୍ଚା ଦଶିବାରୁ କିଛିଟା ଆଲୁଅ ପଡିଲା |ପରିଡାଏ ଦେଖିଲେ...." ଆରେ ଏ ତ ଗୋପିଆ ମା " ସେ ଯାହା ଶୁଣୁଥିଲେ ପ୍ରତ୍ୟକ୍ଷରେ ଦେଖିଲେ | ସେଇଠୁ କୌଣସିମତେ ଜୀବନ ବଞ୍ଚେଇ ଏକାବେଳକେ ସାହିକୁ ମାଇଲେ ଡିଆଁ  ଓ ଏକଥା କି ଆଉ ପେଟରେ ରହେ ? 
        
ଭାଗବତ ପୀଠ ମଣ୍ଡପରେ ସାହିଯାକ ଲୋକ ଠୁଳ | ପିଣ୍ଡାରେ ମଧ୍ୟ ମାଇପି ସବୁ କାନ ଡେରିଥାନ୍ତି ଆଲୋଚନା ଶୁଣିବାକୁ | ମଣ୍ଡପ ତଳେ ଗୋଟିଏ କଣକୁ ହାତେ ଓଢଣା ଟାଣି ନୂଆବୋହୁ ପରି ଗୋପିଆ ମା ଠିଆହୋଇ ଥାଏ | ତା ଅଣ୍ଟାରେ ଗୋଟେ ଦଉଡା ବନ୍ଧାହୋଇ ପାଖରେ ଥିବା ବଉଳଗଛ ଦେହରେ ଭଲ ଭାବରେ ବନ୍ଧା ହୋଇଥାଏ | ହାତ ଦିଇଟା ବି ସେଥିରୁ ବାଦ୍ ପଡିନଥାନ୍ତି | ଆଜି ତାର ଭାଗ୍ୟ ନିରୁପଣହେବ | ଗଳାଖଙ୍କାର ମାରି ଦୀନବନ୍ଧୁ ସାନ୍ତରା କଥା ଆରମ୍ଭକଲେ | ଆପଣ ମାନେ ସବୁ ଶୁଣିଛନ୍ତି , ବର୍ତ୍ତମାନ ଏପରି ପରିସ୍ଥିତି ଆସି ପହଞ୍ଚିଛି ଯେ ଆମର ପିଲା ନିରାପଦ ନୁହନ୍ତି | ନିଜେ ରାଧୁ ପରିଡା ଏକଥା ଦେଖିଛନ୍ତି | ଏଭଳି ଭୟଙ୍କର ଡାହାଣୀ ଆମ ସାହିରେ ଥିବା ପର୍ଯ୍ୟନ୍ତ ଆମେ ନିରାପଦ ନୋହୁଁ | ତେଣୁ କଣ ପ୍ରତିକାର କରାଯିବ ଆପଣ ମାନେ ସ୍ଥିରକରନ୍ତୁ |
        
କେତେଲୋକ କେତେ କଥା କହିଲେ | କିଏ କହିଲା ଗାତ ଖୋଳି ପୋତିଦେବା | ଆଉ କିଏ କହିଲା ଗୁଣିଆ ଡକାଇ କିଳିଦେବା... ଇତ୍ୟାଦି....ଇତ୍ୟାଦି | ଗୋଟାଏ ଗୋଳ ଉଠିଲା ହୋ ହଲ୍ଲାର | ଗାଁ ମୁଖିଆ ହରିବନ୍ଧୁ ଶ୍ରୀଚନ୍ଦନ ଗମ୍ଭିର କଣ୍ଠରେ କହିଲେ, " ପ୍ରଥମେ ଅଭିଯୁକ୍ତାକୁ ତା ସପକ୍ଷରେ କିଛି କହିବାକୁ ନଦେଲେ ଆମର ଅନ୍ୟାୟ ହେବ | ତାପରେ ଗୋପିଆ ମା କୁ ସମ୍ବୋଧନ କରିବାରୁ ସେ ଧୀରେ ଧୀରେ କହିବାକୁ ଆରମ୍ଭକଲା --
        
"କାଲି ସନ୍ଧ୍ୟାରେ ତା ଗାଈ ଗହୀରୁ ଫେରିଲାନି | ତା ଦାଣ୍ଡଦୁଆରେ ଖୁଦୁରୁକୁଣୀ ପିଲା ଦାସକାଠିଆ କରିବେ ବୋଲି ପେଣ୍ଡାଲ ବାନ୍ଧି ମାଇକି ଲଗାଇ ଯେଉଁ ଗହଳିକଲେ ଗାଈ ହୁରୁଡିଯାଇ ଘରକୁ ନଆସି ପୁଣି ଗହୀରକୁ ପଳେଇଲା | ମୁଁ ଗାଈଟାକୁ ଖୋଜି ଖୋଜି ଗହୀରୁ ଅଡେଇ ଆଣି ଯେତେ  ଘରକୁ ଆଣିବାକୁ ଚେଷ୍ଟା କଲି ସେ ଜମା ମଙ୍ଗିକରି ଆସିଲାନି | ସେଇ କନ୍ଧି ମୁଣ୍ଡରେ ହିଁ ରହିଲା | ସେଇଠୁ ମୁଁ କଣ କଲି ନା ମୋ ଲୁଗା କାନିଟାକୁ ତା ବେକରେ ବାନ୍ଧି ତାକୁ ଟାଣିକରି ଦାଣ୍ଡ ମୁହାଁ କଲାରୁ ସେ ଅନକସ୍ତେଇ ଗାଈଟା ଏ ଲୋକ ଗହଳି, ମାଇକି ସାଉଣ୍ଡ୍ ଓ ଆଲୁଅ ଦେଖି ହୁରୁଡିଯାଇ ପୁଣି ଗହୀରକୁ ମାଇଲା ଡିଆଁ | 
        
ସମସ୍ତେ ତା କଥାକୁ ମନ ଧ୍ୟାନ ଦେଇ ଶୁଣୁଥାନ୍ତି | ସବୁଆଡ ଚୁପ୍ ଚାପ୍ | ଖଣ୍ଡି କାଶ ମାରି ଦୀନବନ୍ଧୁ ସାନ୍ତରା ପଚାରିଲେ , ହେଲେ ଗାଈ ତ ଗହୀରକୁ ପଳାଇଲା ....ତା ସହିତ  ଏ ଘଟଣାର କଣ ସମ୍ପର୍କ ? ସେଇ କଥା ତ କହୁଚି | ତାପରେ ଟିକେ ଥଙ୍ଗେଇ ଥଙ୍ଗେଇ ଗୋପିଆ ମା କହିଲା, " ଗାଈଟା ....ଯେବେ ଝିଙ୍କି ନେଇଗଲା.....ତା ବେକରେ...ବନ୍ଧା ହେଇଥିବା ମୋ ପିନ୍ଧା ଲୁଗାଟା ବି ଗଲାନା..... | ସମସ୍ତେ ଚୁପ୍ | କଣ ଗୋଟେ ଚାପା ହସର ଗୁଞ୍ଜରଣ ଖେଳିଗଲା ଚାରିଆଡେ |
        
ନିଜକୁ ଟିକେ ସଞ୍ଜତକରି ଗୋପିଆ ମା ପୁଣି ଆରମ୍ଭକଲା , " ଏତେ ଗହଳିରେ ମୁଁ ମାଇପିଟା ଏ ଦାଣ୍ଡ ମଝିଟାରେ ଘରକୁ କେମିତି ଆସିଥାଆନ୍ତି ଯେ... .... ? ତେଣୁ ପୋଖରୀ ଆଡେ ପଳେଇଲି | ଭାବିଲି, ଭୋରୁ ଭୋରୁ କୋଉ ମାଇପି ଯଦି ପୋଖରୀକୁ ଆସେ ତେବେ ତାଠୁ ବଦଳା ଲୁଗାଟା ମାଗି ପିନ୍ଧିପକାଇବି | ମୋର ଏଇ ବିପଦକୁ କିଏ କଣ ଭାବି ଆଜି ମୋତେ ଗୋରୁ ଗାଈ ଭଳି ବାନ୍ଧିଛ | "
        
ସମସ୍ତେ ଟୁପୁରୁ ଟାପର ହେଲେ | ଗୋଟେ ଭେଣ୍ଡିଆ ଯାଇ ଗୋପିଆ ମାର ଦଉଡି ଖୋଲିଦେଲା | କିଏ କିଏ କହୁଥିବାର ଶୁଣାଗଲା, "ଆରେ ସେଇଥିପାଇଁ ଗୋପିଆ ମାର କବାଟ କାଲି ରାତିରେ ଖୋଲି ନଥିଲା ତେବେ ।"

ପ୍ରମୋଦ କୁମାର ପଣ୍ଡା
ବାଘମାରୀ, ଖୋରଧା

Post a Comment

0 Comments