Children World

ଓଡିଆ ସାହିତ୍ୟ ଓ ସଂସ୍କୃତିର ନିଆରା ସ୍ଵର... ତିନିଶହରୁ ଉର୍ଦ୍ଧ ଲେଖକ ଲେଖିକା ଏବଂ ଦୁଇଲକ୍ଷରୁ ଉର୍ଦ୍ଧ ପାଠକ ପାଠିକା ମାନଙ୍କର ପ୍ରିୟ ଇ-ସାହିତ୍ୟ ୱେବ ପୋର୍ଟାଲ ବଣମଲ୍ଲୀର ମହକ ଆପଣଙ୍କୁ ସ୍ଵାଗତ ଜଣାଉଛି ।

କ୍ଷୁଦ୍ରଗଳ୍ପ - ପ୍ରତିକ୍ଷିତ ନାୟିକା - ସତ୍ୟ ପ୍ରକାଶ ସେଠୀ


ମୁଁ କଲେଜରେ ପଢୁଥାଏ । ମନ୍ଦାକିନୀ ମୋ କ୍ଲାସମେଟ୍ । ତେଣୁ ଉଭୟଙ୍କ ଭିତରେ ନିକଟ ନୈକଟ୍ଯ ସମ୍ପର୍କ ଗଢି ଉଠିବା ସ୍ୱାଭାବିକ । ମୁଁ ଶ୍ରେଣୀ ପ୍ରତିନିଧି,ପୁଣି ଅନର୍ସ department ସେକ୍ରେଟାରୀ । ସେଥିପାଇଁ ଖାତିରଟା ମୋର ଅଧିକା । ସାଙ୍ଗ ସାଥୀମାନେ ସବୁ କଥାରେ ମୋତେ ପଚାରି ହୁଅନ୍ତି । ନେତୃତ୍ୱ ନେବାର କଳାଟି ମୋଠିଁ ଟିକିଏ ବେଶୀ । ଫଳରେ ଛୋଟ ବଡ଼ କଥାରେ ସମସ୍ତେ ମୋତେ ଆଦୃଜା ହୁଅନ୍ତି ।ତେଣୁ ଏକ ପ୍ରକାରର ମୁଁ ହିରୋ, ନହେଲେ ବି ସାଇଡ ହିରୋ । ପୁଣି ବାଇକ ନେଇ କଲେଜ ଯାଏ। ପର୍ସଟା ବି ପ୍ରାୟତଃ ମୋଟା ରହେ । ଦେଖିବାକୁ ତ ରାଜ କୁମାର ପରିକା, ନଚାହୁଁଥିବା ଲୋକ ଚାହୁଁଥାଏ । ଝିଅଙ୍କ କଥା ତ ନକହିଲେ ଭଲ, ମୋ ଉପରୁ ତାଙ୍କର ନଜରଟା ଜମାରୁ ହଟେ ନାହିଁ । କେତେ ପ୍ରକାରର ବାହାନା କରି, ସୁଯୋଗ ସୁବିଧା ଉଣ୍ଡି, ମୋହରି ଆଡକୁ ଖାଲି ଚାହିଁ ରହୁଥାଆନ୍ତି । ସତେ ଯେମିତି ମୋତେ ପଟେଇବା ପାଇଁ ଝିଅଙ୍କ ଭିତରେ ଗୋଟେ ରକମର ପ୍ରତିଯୋଗୀତା । ହେଲେ ମୁଁ କାହାକୁ ଧରାଛୁଆଁ ଦିଏ ନାହିଁ । ଗୋଟେ ସମାନ ଦୂରତା ସମସ୍ତଙ୍କଠୁଁ ରଖି ଚାଲିଥାଏ । ତଥାପି କେତେକ ନୋଟ୍ ଟା ବା ବହିଟା ମାଗିବା ବାହାନା କରି ଅବା ମିଛି ମିଛିକା ସାହାଯ୍ଯ ନେବା ଆଳରେ ମୋତେ ପ୍ରେମ କରୁଥିବା ମୁଁ ସ୍ପଷ୍ଟ ଲକ୍ଷ୍ୟ କରିଛି । ପିକନିକରେ ମୋ ପଛରେ ଗୋଡାଇବା ଓ ମୋତେ ବିଭିନ୍ନ ପ୍ରକାରର ଇଙ୍ଗିତ ଦେବା ମଧ୍ୟ ମୁଁ ଉପଲବ୍ଧି କରିଛି । କିନ୍ତୁ ମୁଁ ଏତେଟା ଉତ୍ସାହିତ ହୋଇ ପାରୁ ନଥିଲି ବା ପ୍ରେମ ରାଗିଣୀର ଭାବ ଧାରାରେ ଉଦବୁଦ୍ଧ ହୋଇ ପ୍ରେମ ମଧୁର ଗୀତି ‘ମୁଁ ତୁମକୁ ଭଲ ପାଏ’ ଗାଇପାରୁ ନଥାଏ । ମନ୍ଦାକିନୀ କିନ୍ତୁ ମୋ ପିଛା ଛାଡୁ ନଥାଏ । “ଆଇ ଲଭ ୟୁ, ଵୈଟିଂ ଫର୍ ରିପ୍ଲାଏ” କହି ସାରିଥାଏ ।

ହେଲେ କଥାଟା ଏମିତି ହାଲୁକା ଭାବେ ଥିଲା ଯେ, ଯାହା କେବଳ ବନ୍ଧୁତା ସୁଲଭ ହାସ୍ୟରୋଳ ସୃଷ୍ଟି କରିବା ବ୍ୟତୀତ ମୁଁ କାହିଁ ତା’ର ଗୁରୁତ୍ଵ ସେତେଟା ବୁଝି ପାରୁ ନଥାଏ, ଯେତେଟା ହୁଏତ ସିରିଅସ୍ ଥିଲା ମନ୍ଦାକିନୀ । ହେଲେ ଥଟ୍ଟାଳିଆ ହସଟା ବ୍ୟତୀତ ଆଉ କିଛି ଉତ୍ତର ବୋଧେ ମୋ ପାଖରେ ନଥାଏ । ପୁଣି ପାଠ ପଢିଲା ବେଳେ ପ୍ରେମ ଓ ବିବାହର ପ୍ରତିଶୃତି। କଥାଟା ଅଡୁଆ ଲାଗୁଥାଏ, ମୁଁ ମଜାକ ଭାବୁଥାଏ। ମନ୍ଦାକିନୀ ଖୁବ୍ ଭଲ ଝିଅ। ଦେଖିବାକୁ ଆହୁରି ସୁନ୍ଦର। ବନ୍ଧୁତା ଆମର ନିବିଡ଼ରୁ ନିବିଡ଼ତର। ଭଲ ପାଇବାର ଅର୍ଥଟା ମୁଁ ବୁଝିବାକୁ ସକ୍ଷମ ନଥାଏ । ତଥାପି ଏପରି ପ୍ରଶ୍ନ ନିଜକୁ ଟିକିଏ ବ୍ୟଥିତ କରୁଥାଏ । ତେବେ କ’ଣ ମୁଁ ବେରସିକ ନା ପ୍ରେମ ଭାବଟା ମୋ ଭିତରେ ବିଲୁପ୍ତ? ନା ସେପରି କାହିଁ କିଛି ମନେ ହେଉନାହିଁ । ଏପରି ଏକ ଭାବନା ମୋତେ ଆନ୍ଦୋଳିତ କରିବାରୁ ମୁଁ ସଅଳ ସେଦିନ ବିଛଣାରେ ଲପଟି ଶୋଇଗଲି, ଆଉ ମନେ ମନେ ଶୋଇ ରହି ଭାବୁଥାଏ । ମନଟା ଧୀରେ ଧୀରେ ସ୍ବପ୍ନିଳ ହୋଇ ଯାଉଥାଏ । ସ୍ଵପ୍ନ ରାଇଜରେ ମୋର ଭାବାବେଶ – କାହା ସହ ଗୋଟେ ପ୍ରେମ ହୋଇ ଗଲେ କ’ଣ ଚଳନ୍ତା ନାହିଁ, ନା ମୋର ମନ ଲାଖି ପ୍ରେମିକା ମୋତେ ମିଳି ପାରି ନାହିଁ ? ମନେ ମନେ ଭାବେ – ମୋର ପ୍ରେମିକାଟି ଖୁବ୍ ସୁନ୍ଦର ହୋଇଥିବ । ସେ ତନୁ ପାତଳୀ, କଟି ସରୁ, ହାତ ଗୋଡ଼ ମସୃଣ, ଲମ୍ବ କେଶୀ, ଘନ କୁନ୍ତଳ, ଧାର ନାକୀ ଓ ମୀନ ନୟନା ହୋଇଥିବ । ଯାହାର ନୟନର ଛଟା ବା ଭ୍ରୂଲତା ଚାଳନାରେ ମୁଁ ନିମିଷକେ ସ୍ତବ୍ଧ ହୋଇ ଯାଉଥିବି ଅବା ତାହାର ମିଠା କଥାରେ ମୁଁ ପାଗଳ ଭ୍ରମର ପରିକା ଗୁଣ ଗୁଣ ହୋଇ ତା ‘ଚାରିପଟେ ଘୂରି ବୁଲିବାକୁ ଲାଗନ୍ତି। ଭାବନା ସହିତ ତାଳ ଦେଇ ଦେଖିଲି – ଆଖି ସାମ୍ନାରେ ନାରୀ ମୂର୍ତ୍ତିଟିଏ ଉଭା ହୋଇଛି । ଧୀରେ ଧୀରେ ଠଉରେଇବାର ବୃଥା ପ୍ରୟାସ କରୁଥାଏ । ଧୀରେ ଚିହ୍ନୁଥାଏ – ୟାକୁ ବୋଧେ କେଉଁଠି ଦେଖିଛି ?

ସ୍ଵପ୍ନ ଭାଙ୍ଗିଗଲା ବେଳକୁ ସେ ସେଠୁ ଉଠି ଚାଲି ଯାଇଥାଏ । କିନ୍ତୁ ମନଟା ଏକଦମ୍ ଅଶାନ୍ତ । ସ୍ୱପ୍ନର ନାୟିକା କଥା ଭାବି ଭାବି ଆଉ ନିଦ ଆସୁ ନଥାଏ । ମନେ ମନେ ପୁଣି ଭାବୁଥାଏ ୟାକୁ ବୋଧେ କେଉଁଠି ଝାପ୍ସା ଦେଖିଛି । କିନ୍ତୁ ସ୍ପଷ୍ଟ ଭାବେ କିଛି ପ୍ରତୀତ ହେଉ ନଥାଏ । ମୋ ସ୍ୱପ୍ନର ନାୟିକା ମନ୍ଦାକିନୀ ନୁହଁ ତ ? ଏଭଳି ଅଶାନ୍ତ ମନ ନେଇ ତରବରରେ ସେଦିନ ମୁଁ ବିଛଣା ଛାଡ଼ିଲି । ମନଟା ଆଦୌ ବୋଲ ମାନୁ ନଥାଏ । ହଠାତ୍ ଅନୁଭବ ହେଲା ମୁଁ ଯେମିତି ପ୍ରେମିକ ନାଗର ପାଲଟି ଯାଇଛି । ପ୍ରେମ ପାରାବାରରେ ଉବୁଟୁବୁ ହୋଇ କୂଳ କିନାରା କିଛି ପାଉ ନଥାଏ। ମନଟା ଯେପରି ସତରେ କାହାକୁ ଖୋଜି ହେଉଥାଏ ।

ବେଗି କଲେଜ ବାହାରି ପଡ଼ିଲି, ଆଜି ଆଉ ସାଙ୍ଗ ସାଥୀ କିଛି ଲୋଡ଼ି ନାହିଁ । ଏକା ଏକା ଚାଲିଲି କଲେଜ ଫାଟକ ଆଡ଼କୁ । ଏହି ସମୟରେ ଠିକ୍ ହଠାତ୍ କେହି ସାଙ୍ଗ ଗୋଟେ ପୁଣି ମୋର ସମସ୍ତ ଭାବନାକୁ ବିପର୍ଯ୍ୟସ୍ତ କରି ପକାଇ, ରାସ୍ତା ସେପଟରୁ ‘ବିଶ୍ଵଜିତ !’ ବୋଲି ଚିଲେଇଦେଲା । ମୁଁ ‘ହାଏ ଫ୍ରେଣ୍ଡ୍’ – କହି, ହିତାହିତ ଜ୍ଞାନ ଭୂଲି ରାସ୍ତା ଆର ପଟକୁ ମାଡ଼ି ଗଲି । ଗୋଟେ ପଟରୁ ଅଟୋ ଓ ଅନ୍ୟ ପଟରୁ ସୁନ୍ଦର ରୂପବତୀ ତରୁଣୀଟିଏ ସ୍କୁଟିରେ, ମଝିରେ ମୁଁ । ଅଟୋ ସହ ଲଢ଼ି ଯିବା ଭଙ୍ଗୀରେ କାଚ ଉପରେ ଦୁଇ ହାତରେ କସରତ, କାଚଟା ଭାଙ୍ଗି ଯାଉଥିବାର ଦୃଶ୍ୟ ଓ ଝିଅଟା ଛିଟିକି ଯାଉଥିବା ମୋ ନଜର ଅଛି । ଆଉ କିଛି ମୁଁ ଦେଖି ନାହିଁ । ବେହୋସ୍ ଅବସ୍ତାରେ ନିଜକୁ ଆବିଷ୍କାର କଲାଠୁଁ – ପାଖ ହସ୍ପିଟାଲରେ ପଡ଼ିଛି, ଚାରିଆଡ଼େ ଷ୍ଟିଚ୍ ପଡ଼ିଥିବାର ଅନୁଭବ ହେଲା । କେହି ଜଣେ ତା’ର ଦୁଇ ପାପୁଲିକୁ ତକିଆ କରି ମୋ ମୁଣ୍ଡ ତଳେ ରଖିଥିବାର ଅନୁଭବ କଲି। ବେଶ୍ ନରମ ଲାଗୁଥାଏ । ଧୀରେ ଆଖି ଖୋଲି ଚାହିଁଲି – ପାଖରେ ନାରୀ ମୂର୍ତ୍ତିଟିଏ ନିଜକୁ ଦୋଷୀ ମଣିବା ଠାଣିରେ ମନ ଦୁଃଖରେ ଛିଡା ହୋଇଥାଏ । ମୁହଁଟି ଚିକ୍ ଚିକ୍ କରୁଥାଏ, ହାତ ଦୁଇଟି ବୋଧେ ମୋ ମୁଣ୍ଡ ତଳେ। ମୁଁ ଅପ୍ରତିଭ ହୋଇ ଉଠୁଥାଏ । ବ୍ୟସ୍ତ ହେବାରୁ ନାରୀ ମୂର୍ତ୍ତିଟି ପାଟି ଖୋଲିଲେ-“bleeding ବନ୍ଦ ହୋଇ ନାହିଁ, ପାଟି ଚୁପି ରଖ । ମୋ ଯୋଗୁଁ ତୁମର ଏ ଦୁର୍ଦ୍ଦଶା । ମୁଁ ଗାଡ଼ିର ସ୍ପିଡ୍ କଣ୍ଟ୍ରୋଲ୍ କରି ପାରିଲି ନାହିଁ। ଫଳରେ ଦୁର୍ଘଟଣା ହୋଇ ଗଲା । ତୁମର ଏ ବିପତ୍ତି ପାଇଁ ସମ୍ଭବତଃ ମୁଁ ଦାୟୀ ।” ମୁଁ କିଛି କହିବା ପୂର୍ବରୁ ମୋ ଗଣ୍ଡ ଦେଶକୁ ଭିଜାଇ ସାରିଥିଲା ତା’ ଆଖିରୁ ବୋହି ଆସୁଥିବା କେଇ ଠୋପା ଲୁହ । ମୁଁ ନୀରବ ପାଲଟି ଯାଉଥାଏ । ବେଶ୍ କିଛି ମୁହୂର୍ତ୍ତ ପରେ ସାଙ୍ଗମାନେ ଆସି ମୋତେ ନେଇ ଯାଇଥିଲେ ହଷ୍ଟେଲ ରୁମ୍ ଭିତରକୁ, ଆଉ ନାରୀ ମୂର୍ତ୍ତିଟି ରହି ଯାଇଥିଲା ଢେର ପଛରେ। ତା’ ଆଖିରେ ଢଳଢଳ ହେଉଥିଲା ଲୋତକର ବାରିଧାରା । ଆବିଷ୍କାର କଲାଠୁଁ ଜାଣିଲି – ଅନିନ୍ଦ୍ୟା ସୁନ୍ଦରୀ ରୂପବତୀ ନାରୀ ମୂର୍ତ୍ତିଟି ହେଉଛି, ପ୍ରୀତିଗନ୍ଧା । ସେ ମୋ ତଳ କ୍ଲାସରେ ପଢ଼େ, ଆମରି କଲେଜର ଛାତ୍ରୀ । ସେଦିନ ସେ ୱାର୍ଡେନ ଠାରୁ ଅନୁମତି ନେଇ ମୋତେ ଭେଟିବାକୁ ହଷ୍ଟେଲ ରୁମ୍ କୁ ଆସିଥାଏ । ହାତରେ ଫୁଲ ତୋଡ଼ା, ସାଙ୍ଗରେ ମୋର ସେହି ସହପାଠିନୀ ମନ୍ଦାକିନୀ ।

ଆଖିରେ ତା’ର ଅନେକ ପ୍ରେମ ସମ୍ଭାଷଣ । ହେଲେ ହୃଦୟର ସବୁତକ ଅଭିବ୍ୟକ୍ତି ବ୍ୟକ୍ତ ହେଇ ନପାରିବାରୁ କେବଳ ଓଠରେ ଥରଥର କମ୍ପନ ବାରି ହୋଇ ପଡୁଥାଏ । ମୋ ମସ୍ତକର କ୍ଷତ ପାର୍ଶ୍ଵରେ ପୁଣି ଗୋଟେ କୋମଳ ହସ୍ତିକାରେ ଟିପା ଛୁଇଁ ଦେଇ, ଟିକିଏ ଶାସନ କରିବା ଠାଣିରେ “ଔଷଧ ପତ୍ର ଠିକ୍ଠାକ୍ ଖାଇ ନେବେ” – କହି, ରୁମ୍ ବାହାରକୁ ଚାଲି ଯାଉଥିଲେ ପ୍ରୀତିଗନ୍ଧା । ରୁମ୍ ଟା ଭିତରେ ବୋଧହୁଏ ଦୃଶ୍ୟପଟ୍ଟରେ ଖୁବ୍ ଅଣନିଶ୍ଵାସୀବୋଧ କରୁଥିଲେ ମନ୍ଦାକିନୀ । ଅସହାୟ ଦୃଷ୍ଟିରେ ଚାହିଁ ହେଉଥିଲେ ଏଣେତେଣେ । ମନରେ ଗୁଡେଇ ତୁଡେଇ ହେଉଥିବା ଅନେକ ଅସମାହିତ ପ୍ରଶ୍ନ ନେଇ ସିଏ ବି ଫେରି ଯାଉଥିଲେ । ଗଲାବେଳେ କହି ପକାଇ ଥିଲେ- ନୂତନ ଜୀବନ ତୁମକୁ ମୁବାରକ, ଈଶ୍ଵର ତୁମର ସମସ୍ତ ମନୋସ୍କାମନା ପୂରଣ କରନ୍ତୁ, ତୁମେ ନିରୋଗ ଓ ନିରାମୟ ଜୀବନ ଯାପନ କର “। ମୁଁ ଖାଲି ‘ଧନ୍ୟବାଦ’ କହିଥିଲି । କିଛି ଦିନ ବ୍ୟବଧାନରେ ମୁଁ ସୁସ୍ଥ ହେଲି । ହେଲେ ମନ ଖୋଜି ହେଲା ଖାଲି ପ୍ରୀତିଗନ୍ଧାକୁ । ଆଉ ପ୍ରୀତିଗନ୍ଧା ବି ବୋଧେ ମୋତେ ଖୋଜି ହେଉଥାଏ । କଲେଜ ଲାଇବ୍ରେରୀ ଓ କ୍ୟାଣ୍ଟିନ୍ ଆମ ଦେଖା ସାକ୍ଷାତର ଉତ୍କୃଷ୍ଟ ମାଧ୍ୟମ ପାଲଟିଯାଇଥାଏ । ଅନେକ ବାର୍ତ୍ତଳାପ, ପ୍ରେମ ଦିଆନିଆ, ଭାବର ଆଦାନ ପ୍ରଦାନ । ନିଜକୁ ମୁଁ ଧନ୍ଯ ମନେ କରୁଥାଏ ମୋ ସ୍ୱପ୍ନର ନାୟିକାକୁ ପାଇ, ଆଉ ପ୍ରୀତିଗନ୍ଧା ବି, ଦୁହେଁ ଶପଥ ନେଲୁ – ଆମେ ବିବାହ କରିବୁ, ଯେତେ ଝଡ଼ଝଞା ଜୀବନରେ ଆସୁ ପଛେ ।
ଆମ ଦୁଇ ଜଣଙ୍କର ପ୍ରେମ ରାଗିଣୀର ବୀଣା ନିକ୍ବଣ ହୁଏତ କେମିତି ଯାଇ ପ୍ରୀତିଗନ୍ଧା ଘରେ ବାଜି ଉଠିବାରୁ ପରିସ୍ଥିତିଟା ଅଣାୟତ ହୋଇ ପଡୁଥାଏ । ତା’ ଭାଇ ଦୁଇ ଜଣ କିଛି ଘଟଣାଟା ନବୁଝି ମୋତେ ବାଡ଼ାବାଡ଼ି କରି ଲହୁ ଲୁହାଣ କରି ପକାଇଥାନ୍ତି । ଘଟଣା ଥମିଲା ବେଳକୁ ତୁମୁଳ କାଣ୍ଡ ଘଟି ସାରିଥାଏ । ହେଲେ ପ୍ରୀତିଗନ୍ଧାର ଜିଦ୍ ଓ ତାଙ୍କ ବାପାଙ୍କର ମଧ୍ଯସ୍ଥିତତା ଫଳରେ – ସର୍ତ୍ତାରୋପଣ। ମୋତେ ଭଲ ଚାକିରୀଟାଏ ପାଇବା ପର୍ଯ୍ୟନ୍ତ ମିଳାମିଶା ପାଇଁ ବ୍ୟବଧାନର ପ୍ରାଚୀର ରହିବ, ତେଣିକି ଯେଉଁ କଥା ।

ସେୟା ହେଲା ଏବେ ପ୍ରୀତିଗନ୍ଧା ଓ ମୁଁ ପତି ପତ୍ନୀ । ପିଲାମାନେ ବିଦେଶରେ। ବୟସର ଅପରାହ୍ଣରେ ଦୁହେଁ । ହେଲେ ପ୍ରେମ ରାଗିଣୀର ଅନ୍ତଃ ସ୍ଵର ଏବେବି ଗାଢ଼ତର ଶୁଭାଯାଏ ! ଯେଉଁଠି ହୃଦୟରେ ମିଳନ ଘଟିଥାଏ, ସେଠି ବାଧା ବନ୍ଧନ ପ୍ରତିବନ୍ଧକ ହୋଇ ବେଶୀ ସମୟ ତିଷ୍ଟି ରହି ପାରେ ନାହିଁ । ଏକ ଶୀତ ସକାଳଟାରେ ବି ବିଶ୍ବଜିତଙ୍କ କପୋଳ ଦେଶରେ ଅସଂଖ୍ୟ ଘର୍ମବିନ୍ଦୁ.... ବେଡ଼ରୁମର ଝରକା ପାଖରେ ଥୁଣ୍ଟା ଆମ୍ବ ଗଛଟା ଉପରୁ ଭାସି ଆସୁଥିବା ଡାମରା କାଉର କର୍କଶ ରାବ ଖୁବ୍ମ ଅସହ୍ୟ ବୋଧ ହେଉଛି ତାଙ୍କୁ । ଅନେକ ଅସମାହିତ ପ୍ରଶ୍ନର ଉତ୍ତର ଖୋଜି ଚାଲିଛନ୍ତି ସେ ନିଜ ଭିତରେ । ହଠାତ୍ ଟେଲିଫୋନ୍ନେ ର କ୍ରିଂ କ୍ରିଂ ଆବାଜରେ ପ୍ରକୃତିସ୍ଥ କରିନେଲେ ବିଶ୍ୱଜିତ୍.... ।

ପ୍ରୀତିଗନ୍ଧା ହାତରେ ଚା କିମ୍ବା କଫି ପିଆଲା ଧରି ପାଖରେ ବସିପଡ଼ଲେ। ପଚାରିଲେ – “ହେ! କ’ଣ ଭାବୁଛ?”
ଉତ୍ତରଟି ନିତିଦିନିଆ ଓ ବେଶ୍ ସରଳ – “ମୁଁ ଖୋଜୁଛି ମୋ ସ୍ୱପ୍ନର ନାୟିକାକୁ। ”
-“ମୁଁ ତ ତୁମରି ପାଖରେ ଅଛି ”
-ହେଲେ ମନ୍ଦାକିନୀ କାହିଁକି ଏକାକିନୀ ? କିଏ ତା’ର ପ୍ରେମ ?? ତା’ର ପ୍ରଥମ ପ୍ରେମିକ କାହିଁକି ତାକୁ ଠକି ଦେଲା ??? ହଁ.. ନା… ଜୀବନରେ କାହିଁକି ଏମିତି ବିଡମ୍ବନା ହୁଏ….
କଥାରେ ବିରତି ଟାଣି ପ୍ରୀତିଗନ୍ଧା ପ୍ରଥମ ପ୍ରେମିକା ଉପରେ ବିସ୍ଫୋରକ ବୟାନ ଦେଉଥାନ୍ତି ଅଥଚ ମନ୍ଦାକିନୀ ପାଇଁ ବେଶ୍ ଦରଦୀ ହୋଇପଡ଼ୁଥାନ୍ତି। ପ୍ରଥମ ପ୍ରେମିକକୁ ଗାଳି ମଧ୍ଯ କରୁଥାନ୍ତି, ମନ୍ଦାକିନୀ ପାଇଁ ସମବେଦନାରେ ଭରି ଉଠୁଥିଲା ତାଙ୍କର ଅନ୍ତରାତ୍ମା। ଗତ କାଲି ରାତିରେ ଗୋଟାଏ ଉତ୍ସବରେ ମୁଁ ମୁଖ୍ୟ ଅତିଥି । ପ୍ରୀତିଗନ୍ଧା ସାଥିରେ ଥାଏ ।

ବିଶେଷ କେତୋଟି କ୍ଷେତ୍ରରେ ଅସାମାନ୍ୟ କାର୍ଯ୍ୟ କଳାପ ଓ କୃତିତ୍ୱ ଯୋଗୁଁ କିଛି ସମ୍ବର୍ଦ୍ଧିତ ପ୍ରତିଭାଙ୍କୁ ସମ୍ବର୍ଦ୍ଧନା କରିବାକୁ ଥାଏ। ତନ୍ମଧ୍ୟରୁ ଜଣଙ୍କୁ ଯାହାଙ୍କୁ ମୁଁ ସମ୍ବର୍ଦ୍ଧିତ କରୁଥାଏ, ସେ ମୁହଁ ଆଡ଼େଇ ସମ୍ଵର୍ଦ୍ଧନାଟିକୁ ଗ୍ରହଣ କରୁଥାନ୍ତି । ମନେ ହେଉଥାଏ ଇଏ ହେଉଛନ୍ତି ମୋର ସେହି କଲେଜ ସହପାଠିନୀ ମନ୍ଦାକିନୀ । ମନଟା ଟିକିଏ ଅସ୍ଥିର ଲାଗୁଥାଏ, ପରିସ୍ଥିତିଟା ଅସ୍ୱାଭାବିକ ମନେ ହେଉଥାଏ । ନଜରଟା କିନ୍ତୁ ମୋର ସମ୍ବର୍ଦ୍ଧିତ ପ୍ରତିଭା ଆଡକୁ ରହିଥାଏ, ଯିଏକି ନିଜକୁ ନିଜେ ଲୁଚେଇବାକୁ ବାରମ୍ବାର ପ୍ରୟାସ କରୁଥାନ୍ତି ।

ସଭା ସରିଲା, ସମ୍ବର୍ଦ୍ଧିତ ପ୍ରତିଭା ବେଗେ ଚାଲିଯାଉଥାନ୍ତି। ମୁଁ ପଶ୍ଚାତ୍ ଧାବନ କରୁଥାଏ, ପାଟିରୁ ବାହାରି ଗଲା – ‘ମନ୍ଦାକିନୀ! ‘! ।ଛିଡ଼ା ହୋଇଗଲେ ସମ୍ବର୍ଦ୍ଧିତ ପ୍ରତିଭା। ମସ୍ତକରେ ନଥାଏ ନାରୀର ସୌକତ ସିନ୍ଦୁରର ଟିପା। ପଚାରିଲି –
“ତୁମେ ସେହି ମନ୍ଦାକିନୀ ନୁହଁ ତ, ଯିଏ ଦିନେ ମୋର ସହପାଠିନୀ ଥିଲେ?”
ମନ୍ଦାକିନୀ ସ୍ମିତ ହସି କହିଲେ – “ବିଶ୍ଵଜିତ ! ତୁମେ ମୋତେ ମନେ ରଖିଛ?”
ଭଲ ମନ୍ଦ କଥା ପଚାରି ବୁଝିଲି। ଘର ସଂସାର କଥା ପଚାରିଲାଠୁଁ ମନ୍ଦାକିନୀ କହିଲେ – “ସମାଜ ସେବାରେ ଏମିତି ମଜି ଯାଇଛି ଯେ, ବିବାହ କଥା କେବେ ଭାବି ନାହିଁ। ସହଜେ ତ ଏବେ ମୁଁ ବୃଦ୍ଧା। ” ପ୍ରୀତିଗନ୍ଧା ଅପାକୁ କୁଣ୍ଢାଇ ପଚାରିଲାଠୁଁ ତା ମନ୍ଦାକିନୀ ଅପା କହିଲେ ପ୍ରୀତିଗନ୍ଧା କହୁଥିଲା -” ସେ କୁଆଡେ ତାଙ୍କର ପ୍ରଥମ ପ୍ରେମିକାର ଉତ୍ତରକୁ ଅପେକ୍ଷା କରି ଏପର୍ଯ୍ୟନ୍ତ ବିବାହ କରି ନାହାଁନ୍ତି । ପ୍ରଥମ ପ୍ରେମିକ ଠକି ନାହାଁନ୍ତି, ଉତ୍ତର ଦେବାକୁ ସୁଯୋଗ ପାଇ ନାହାଁନ୍ତି । ପ୍ରଥମ ପ୍ରେମ ସ୍ମୃତିକୁ ନେଇ ସେ ବଞ୍ଚିଛନ୍ତି । ଅନ୍ୟ କୌଣସି ପୁରୁଷକୁ ନେଇ ସଂସାର କରିବା କଥା ସେ କେବେବି ଭାବି ନାହାଁନ୍ତି । ଯାହା ଭାବିଥିଲେ ସେ ସବୁ ସମ୍ଭବ ନହେବାରୁ ଏବେ ସେ ସମାଜ ସେବାରେ ବ୍ରତୀ । ସେଇଥିରେ ସେ ଆନନ୍ଦ ପାଆନ୍ତି । ଏବେ କାହା ବିରୁଦ୍ଧରେ ତାଙ୍କର କିଛି କହିବାର ନାହିଁ କି ଆପତ୍ତି ଅଭିଯୋଗ ମଧ୍ୟ ନାହିଁ। କିନ୍ତୁ ଜୀବନରେ ଏମିତି ଭିନ୍ନ୍ ମୋଡ଼ ବେଳେବେଳେ କାହିଁକି ଆସିଥାଏ"? 

ସତ୍ୟ ପ୍ରକାଶ ସେଠୀ,
ଉପ ସହକାରୀ ନିବନ୍ଧକ, ସମବାୟ ସମିତି ସମୂହ
ସା - ରାଣୀପଡ଼ା, ପୋ - ତରାଗୋ, ଜି - ଭଦ୍ରକ

Post a Comment

0 Comments