Information

ବ୍ୟଙ୍ଗଗଳ୍ପ - ବୁଢ଼ୀଆଣୀ ଓ ପୋକ - ଜୟନ୍ତ ମହାପାତ୍ର


ସକାଳ ଚା କପରୁ ଗୋଟେ ଢୋକ ନେଉ ନେଉ, ବିମଳେନ୍ଦୁ ବାବୁଙ୍କ ଆଖିଟା ଖବରକାଗଜରୁ ହଟି ହଠାତ ଘର କାନ୍ଥ କଣର ବୁଢ଼ୀଆଣୀ ଜାଲ ଉପରେ ଅଟକି ଗଲା । ପୋକଟା ଛଟପଟ ହେଇ ଶତ ଚେଷ୍ଟା କରି ମଧ୍ୟ ବୁଢ଼ୀଆଣୀ କବଳରୁ ନିଜକୁ ମୁକୁଳେଇ ପାରୁନଥିଲା । କାହିଁକି କେଜାଣି ପୋକର ଅସହାୟ ଅବସ୍ଥା ତାଙ୍କ ପାଇଁ ଅସହ୍ୟ ହେଇ ପଡ଼ିଥିଲା । ରିମୋଟଟିକୁ ହତିଆର କରି ପୋକ ରକ୍ଷାର୍ଥେ କେତେବେଳେ ଆସି ଜାଲ ତଳେ ପହଞ୍ଚି ଯାଇଥିଲେ, ସେ ନିଜେବି ଅଗୋଚର ଥିଲେ । ଭାଗ୍ୟକୁ ଆଜି ପୋକ ବାହାନାରେ, ବୁଢ଼ୀଆଣୀ ପ୍ରତି ଥିବା ବହୁଦିନର ଦ୍ୱେଷକୁ ପରିପ୍ରକାଶ କରିବାର ସୁଜୋଗ ବି ମିଳିଥିଲା ତାଙ୍କୁ । ଘରର ଅଧା କଳି କଜିଆ ଏଇ କଦର୍ଯ୍ୟ ଜୀବ ଯୋଗୁଁ । ବାପଘରେ ଅଛନ୍ତି ବୋଲି ଟିକେ ଅଳସ ଭାଙ୍ଗିଲା ବେଳକୁ ଘରଯାକ ଜାଲ କରି ସୁମତୀଙ୍କ ଆଗରେ ଧରା ପକେଇବାରର କୁ-ଚକ୍ରାନ୍ତକାରୀ ସେ ।

ରିମୋଟଟାକୁ ଯୋରରେ ବୁଲେଇ ଆଣିଲା ବେଳକୁ ହାତଟା କାହିଁ ତାଙ୍କର ଅଟକି ଗଲା । ପୋକ ବୁଢ଼ୀଆଣୀର ଖାଦ୍ୟ । ଯଦି ତା ଖାଦ୍ୟକୁ ତା ପାଟି ଆଗରୁ କାଢ଼ି ନେଇଗଲି, ଭୋକରେ ଆଉଟୁ ପାଉଟୁ ହେଇ ମରି ଯିବନି ତ ? ଯଦି ମରିଗଲା, ଭଗବାନଙ୍କ ଦରବାରରେ ସେ ପୋକ ବଞ୍ଚାଇବାର ପୁଣ୍ୱାର୍ଜନ କରିବେ ନା ବୁଢ଼ୀଆଣୀ ହତ୍ୟାର ପାପ ? ବୁଢ଼ୀଆଣୀର ଜାଲ କେତେବେଳେ ପ୍ରହେଳିକାର ଜାଲରେ ପରିବର୍ତ୍ତିତ ହେଇ ଯାଇଥିଲା ସେ ଜାଣି ପାରି ନଥିଲେ ।

ଗରମ ମୁଣ୍ଡକୁ ଥଣ୍ଡା ଚା ଟା ନିଆଁ ଉପରେ ପେଟ୍ରୋଲ ଢାଳିଲା ଭଳି କାମ କଲା । ଗୋଟେ ଅଜଥା କଥାକୁ ନେଇ ରବିବାର ସକାଳଟା ନଷ୍ଟ କରିବାର ପାପ ଅର୍ଜି ସାରିଥିଲା ବେଳେ ସେପଟୁ ପୂଜା ପେଣ୍ଡାଲରୁ ଭକ୍ତ ସାଲବେଗଙ୍କ ଭଜନଟା କିଏ ଗୋଟେ ଲଗେଇ ଦେଲା । ଆହେ ନୀଳ ଶୈଳ … ଚକ୍ର ପେଷି ନକ୍ର ନାଶି ଉଦ୍ଧରିଲ ଆପଣ … ଆହେ ନୀଳ ଶୈଳ। କିଛି ସମୟ ପାଇଁ ସବୁ କିଛି ଭୁଲି ଯାଇ ଭିକାରୀ ବଳ ସହ ତାଳକୁ ତାଳ ମିଶାଇ ଗୁଣୁଗୁଣୋଉ ଥାନ୍ତି କି, ନକ୍ର ନାଶଠି ଗାଡ଼ି ଅଟକି ଗଲା । ଯୋ ଭଗବାନ, ଖାଦ୍ୟ ଖାଦକର ସମ୍ପର୍କ ଗଢିଥିଲେ ସେ ନିଜେ ଅସହାୟ ହାତୀ ପାଇଁ ବିଚରା କୁମ୍ଭୀରଟାକୁ ମାରିଦେଲେ ? ଅସହାୟକୁ ସାହାଯ୍ୟ ଶ୍ରେୟ ନା ଖାଦକର ଖାଦ୍ୟ ? ମୁଣ୍ଡବିନ୍ଧା ପାଇଁ, ଅମୃତାଞ୍ଜନ ଶ୍ରେୟ ନା କ୍ରୋସିନ ?

ଏତିକି ବେଳେ କଲିଂଗ ବେଲ ବାଜିବା ଶୁଣି ଝିଅ ରୀତା କବାଟ ଖୋଲିଲା । “ଓ ମାଇ ଗଡ୍ , ଅକ୍ଷୟ କୁମାର ! ବାପା ଦେଖିଲେଣି, ଆମ ଘରକୁ କିଏ ଆସିଛନ୍ତି ।”, ବିମଳେନ୍ଦୁଙ୍କ ବିସ୍ମୟତା ଝିଅ ରୀତାର ଉତ୍କଣ୍ଠା ଠାରୁ କିଛି କମ ନଥିଲା । ସାମ୍ନାରେ ଘଟି ଯାଉଥିବା ଘଟଣା ତାଙ୍କୁ ସ୍ୱପ୍ନ ପରି ଲାଗୁଥିଲା । କିଛିତ ଗଡ଼ବଡ଼ ଅଛି । ଅଫିସର ନୂଆ କ୍ୟାମ୍ପେନିଙ୍ଗ ପାଇଁ ଓଲିଉଡର ଅଶ୍ୱିନୀ କୁମାରଙ୍କ ଆବଶ୍ୟକତାକୁ କିଏ କେମିତି ବଲିଉଡର ଅକ୍ଷୟ କୁମାର କରିଦେଇଥିଲା ସେ ବୁଝି ପାରୁ ନଥିଲେ ? ‍ ବିଜ୍ଞାପନ ପାଇଁ ପ୍ରକୃଷ୍ଠ ହେଲେବି, ବଜେଟର ସୀମା ତାଙ୍କ ହାତ ବାନ୍ଧି ରଖିଥିଲା । କ’ଣ କହିବେ, କେମିତି ସମ୍ମୁଖୀନ ହେବେ, ଦ୍ୱନ୍ଦରେ ପଡିଗଲେ ।

“ ଆସିବି ନା ବାହାରୁ ବାହାରୁ ତଡ଼ି ଦେବେ ?” ଅକ୍ଷୟ କୁମାରଙ୍କ କଥା ଶୁଣି ଟିକେ ଚମକି ପଡ଼ିଲେ ବିମଳେନ୍ଦୁ ।

“ତଡିବା କଥା କହି ମୋତେ ଆଉ ଲଜ୍ଜିତ କରାନ୍ତୁ ନାହିଁ, ଆପଣଙ୍କ ଉପସ୍ଥିତି ହିଁ ଆମ ପାଇଁ ଭାଗ୍ୟର ବିଷୟ । କିଛି କାମ ଥିଲା କି ?” ଅଭ୍ୟାସଗତ ବିମଳେନ୍ଦୁଙ୍କ ପାଟିରୁ ବାହାରି ପଡ଼ିଲା ପ୍ରଶ୍ନଟା ।

“ହଁ ଗୋଟେ ପ୍ରହେଳିକାରେ ଫସି ଯାଇଛି । କେଉଁଟା ଠିକ ଆଉ କେଉଁଟା ଭୁଲର ଦ୍ୱନ୍ଦ । ଅସହାୟକୁ ସାହାଯ୍ୟ ଶ୍ରେୟ ନା ଖାଦକର ଖାଦ୍ୟ”, କୁଟିଳ ହସର ସହ କହୁଥିଲା ବେଳେ ଉତ୍କଣ୍ଠା ବଶତଃ ଅକ୍ଷୟଙ୍କ କଥାକୁ କାଟି ବିମଳେନ୍ଦୁ ପଚାରି ଦେଲେ, “ଆପଣଙ୍କ ଘରେ ବି ବୁଢ଼ୀଆଣୀ ଜାଲ କରେ ? ସେଥିରେ ବି ପୋକ ଲାଗନ୍ତି ?”

“ବୁଢ଼ୀଆଣୀ ଜାଲ ବି କରେ, ପୋକ ବି ଲାଗେ କିନ୍ତୁ ଘରଣୀ ସହ ଝଗଡ଼ା ହୁଏନି ଆମର ।” କହି ମନ ଖୋଲା ହସଟେ ହସିଲେ ଅକ୍ଷୟ କୁମାର । “ଆପଣ ବି ଫସି ଗଲେ ନା ? ମୋର ବି ସେଇ ଏକା ଅବସ୍ଥା । ସକାଳଟାରୁ ଧନ୍ଦି ହେଉଛି କିନ୍ତୁ କିଛି ଟେର ପାଉନି । ଗୋଟିଏ ଘଟଣାର ଦୁଇଟି ପାର୍ଶ୍ୱ, କିନ୍ତୁ ପରିସମାପ୍ତି ବିରୋଧାତ୍ମକ । ଗୋଟେ ପଟେ ପୋକ ମରୁଛି ତ ଅନ୍ୟ ପଟେ ବୁଢ଼ୀଆଣୀ । କିନ୍ତୁ କଥା ହେଉଛି କେଉଁ ନିଷ୍ପତ୍ତିଟା ଠିକ ?” ଏକା ନିଶ୍ୱାସରେ ନିଜର ପରିପ୍ରେକ୍ଷୀକୁ ଜଣାଇ ଦେଲେ ବିମଳେନ୍ଦୁ ।

“ମଣିଷ ଯେଉଁ କର୍ମ କରେ, ତାହା ଠିକ ନା ଭୁଲ, ସେଇଟା ଆଇନ ବା ଶାସ୍ତ୍ର ପ୍ରଦତ୍ତ ମାନଦଣ୍ଡ ସହିତ ତୁଳନା କରାଯାଇ ନିର୍ଧାରଣ କରାଯାଇଥାଏ । କିନ୍ତୁ କିଛି ପରିସ୍ଥିତି ଏବଂ ସେଠି ନିଆ ଯାଇଥିବା ନିଷ୍ପତ୍ତି ସଂପୂର୍ଣ୍ଣ ବ୍ୟକ୍ତିଗତ ଥାଏ । ସେ ସବୁ ବ୍ୟକ୍ତିଗତ ନିଷ୍ପତ୍ତି ଠିକ ବା ଭୁଲ ପରିଧିର ବାହାରେ ରହେ । ଏକାଧିକ ବିକଳ୍ପ ମଧ୍ୟରୁ ନିଜର ବୁଦ୍ଧି, ବିବେକ ତଥା ମାନସିକ ଅବସ୍ଥା ଅନୁସାରେ ସେ କୌଣସି ଏକ ବିକଳ୍ପକୁ ପସନ୍ଦ କରିଥାଏ । ଅନ୍ୟ ଦିନେ ସେଭଳି ଏକ ସମାନ ପରିସ୍ଥିତିରେ ହୁଏତ ତା’ର ପସନ୍ଦ ଅନ୍ୟ କିଛି ହେଇଯାଇପାରେ ।”, ଏତିକି କହି ଚୁପ ରହିଲେ ଅକ୍ଷୟ କୁମାର ।

ସତସଙ୍ଗର ପ୍ରବଚନ ପରେ ତର୍ଜମା କଲାଭଳି ବିମଳେନ୍ଦୁ ଆଖି ବନ୍ଦ କରି ନିଜ ପ୍ରହେଳିକାର ଉତ୍ତର ଖୋଜି ବସିଲେ । ବର୍ତ୍ତମାନର ପରିସ୍ଥିତି ତାଙ୍କ ସାମ୍ନାରେ ଯୋ ଦିଟା ବିକଳ୍ପ ରଖିଛି, ଚାହିଁଲେ ସେ ଅସହାୟକୁ ସାହାଯ୍ୟ କରି ପାରିବେ କିମ୍ବା ଖାଦକକୁ ଖାଦ୍ୟ ଖାଇବାକୁ ଦେଇ ପାରିବେ । ତେବେ ଆଜି ସେ କେଉଁଟା ଚୟନ କରିବେ ? ବିଭିନ୍ନ କାରଣ ଗୁଡ଼ିକୁ ସାଉଣ୍ଟୁ ଥିଲାବେଳେ, ପଛରୁ କାହାର ଗୋଟେ ଡାକ ଶୁଣାଗଲା । ସ୍ୱରଟା ତାଙ୍କୁ ଭାରି ଚିହ୍ନା ଚିହ୍ନା ଲାଗୁଥିଲା । ଶବ୍ଦର ତୀବ୍ରତା ଏତେ ବଢିଗଲା ଯେ ତାଙ୍କର ଆଖି ଏକଦମସେ ଖୋଲିଗଲା ।

“ଶୁଣୁଛ, ଆରେ ଶୁଣୁଛ କି ?” ଆଖି ଖୋଲିବାର ଦେଖି ସୁମତୀ ତାଙ୍କ ଚିତ୍କାରଟା ବନ୍ଦ କଲେ । “ଏମିତି ଚୌକି ଉପରେ ଖୁଣ୍ଟଟା ଭଳିଆ କାହିଁକି ଶୋଇଛ ? ଦେହଟା ଭଲ ଲାଗୁନି କି ? ରୋଷେଇ ସରି ଗଲାଣି, ଗାଧୋଇକି ଆସିଲେ ସାଙ୍ଗ ହୋଇ ଖାଇବା ପରା ?” କହି ସୁମତୀ ଘର ସଫା କରିବାରେ ଲାଗି ପଡ଼ିଲେ । ଆଖିକୁ ମଳି ମଳି, ସ୍ୱାଭାବିକ ହେବାକୁ ଚେଷ୍ଟା କରୁଥିଲେ ବିମଳେନ୍ଦୁ । ସ୍ୱପ୍ନ ଭଳି ଲାଗୁଥିବା ଜିଣିଷଟା ସତରେ ସ୍ୱପ୍ନ ଥିଲା ଜାଣି, ଅଜାଣତରେ ହସଟିକେ ବାହାରି ପଡିଲା । ମୁଣ୍ଡଟା ଟିକେ ଶାନ୍ତ ବି ଲାଗୁଥିଲା । ଆଖିଟା ପୁଣି ଥରେ କାନ୍ଥରେ ଥିବା ବୁଢ଼ୀଆଣୀ ଜାଲ ଉପରେ ଅଟକି ଗଲା । “ଦଶ ଦିନ ପାଇଁ ଘରେ ନ ଥିଲି ବୋଲି ଘରଟାକୁ ଜଙ୍ଗଲ କରି ଛାଡିଛନ୍ତି । ଚାରି ଆଡ଼େ ଖାଲି ବୁଢ଼ୀଆଣୀ ଜାଲ ସର ସର । ଜଣେ କେତେ ଦାୟିତ୍ୱହୀନ ହେଇ ପାରେ, ତୁମଠୁ ଶିଖିବା କଥା ?” ସୁମତୀଙ୍କ ସୁମଧୁର କଣ୍ଠସ୍ୱର ହଠାତ୍ କାହିଁକି କର୍କଶ ଶୁଣାଗଲା ବିମଳେନ୍ଦୁଙ୍କୁ ।

“ଅକ୍ଷୟ କୁମାରଙ୍କ ଘରେବି ବୁଢୀଆଣୀ ଜାଲ ହୁଏ । ଆମ ଘରେ ହେଲାତ ଏଥିରେ ଆଶ୍ଚର୍ଯ୍ୟ ହବାର କଣ ଅଛି ? ସେଥି ପାଇଁ ତାଙ୍କ ଘରେ କିନ୍ତୁ ସ୍ୱାମୀ ସ୍ତ୍ରୀ ଝଗଡ଼ା ଲାଗନ୍ତି ନାହିଁ ”, କହିବାକୁ ଚାହିଁ ମଧ୍ୟ ଅଟକି ଗଲେ ବିମଳେନ୍ଦୁ । ପୋକ ନା ବୁଢ଼ୀଆଣୀ, ଶେଷ ନିଷ୍ପତ୍ତିରେ ପହଞ୍ଚିବା ପହଞ୍ଚିବା ହେଲା ବେଳକୁ ସୁମତୀଙ୍କ ଝାଡ଼ୁ ଜାଲ ସଫାକରି ତାକୁ ଅସମ୍ପୂର୍ଣ୍ଣ ରଖିଦେଲା ।

Jayanta Mohapatra
Royal Lagoon, Bhubaneswar

Post a Comment

0 Comments