
ସେଇ ଯେଉଁ ଚଢେଇ ମେଂଚାକ,
କାଉ କା ରାବ ଦେବା ବେଳେ,
ଉଡି ଆସି ମାଡିବସନ୍ତି ସାରା ସହର....
ହାଟ, ବଜାର, ରୋଷେଇଘର....
ସବୁ ତାଙ୍କର......
ସବୁଠି ସେ କାୟା ବିସ୍ତାରନ୍ତି,
ଭୋଗ ବିକି, ଭୋକ ପାଇଁ
ଦି,ଖଣ୍ଡ ରଙ୍ଗୀନ ଟଙ୍କା କିଣନ୍ତି ।
ବାବୁ ଘରେ ବାସନ କୁସନ
ମାଜି, ମାଜି ଦର୍ପଣ ବନାନ୍ତି,
ବାସି ରୁଟି, ପଖାଳ,
ମାଂଶ ଝୋଳରେ ପେଟ ଭରନ୍ତି,
ଆଉ ଦି,ମୁଠା କାନିରେ ବାନ୍ଧି ରଖନ୍ତି,
ତାଙ୍କ ମେଂଚଡ଼ ଥଣ୍ଟକୁ....।
ସହରରୁ ବେଶ କିଛି ଦୂର,
ତାଙ୍କ ତେଲ ଲୁଣ ସଂସାର ।
ସେଠି ଜୀବନର ସ୍ୱାଦ ନିଆରା,
ଆଭାର ପ୍ରଭାବ ଭାବରେ ଦିଶେନା ।
ନିଇତି ସଂଶାର ହସିଉଠେ
ଗଙ୍ଗଶିଉଳି ଡାଳରେ,
ଶେଜ ମହକେ, ବାସନା ଝାଳରେ ।
ଶାଶ୍ୱତ ସେ ପ୍ରୀତିର ମହକ,
ବିଶ୍ୱାସର ବାସ୍ନା ଥାଏ
ପ୍ରତି ନିଶ୍ୱାସରେ,
ଅନ୍ଧ, ଅନ୍ଧାର ଛାତିରେ......
ପ୍ରଦ୍ୟୁସିତ ସହରୀ କଳଙ୍କ,
ସୁନା ଦେହେ କାହୁଁ ବା ଲାଗିବ ?
"ସୁନା ସଦା ସୁନା" ।
ଗୋକୁଳାନନ୍ଦ ପ୍ରଧାନ, କୋଲକାତା