
ସୁଜଳା ସୁଫଳା ଶସ୍ଯ ଶ୍ୟାମଳା
ଏଇ ଯେ ମୋ ଆର୍ଯ୍ୟଭୂଇଁ ,
ହିମାଚଳ ଠାରୁ କନ୍ୟା କୁମାରୀ
ଶୁଭେ ଜୈତ୍ର ଗୀତି
କୁଳୁକୁଳୁ ଗାଏ ନଈ ।।
କାନନ କେଦାର ପୁଷ୍ପେ ବିମଣ୍ଡିତା
ଏଇ ଯେ ମୋ ଦେବଭୂଇଁ ,
ନଦ ନଦୀ ଘେରା ଚିର ସୁଶୋଭିତା
ଚାରୁ ହାସିନୀ ମା'
ରତ୍ନଗର୍ଭା ପୁଣ୍ୟମୟୀ ।।
ଝରଣା ର ସ୍ବରେ ମଧୁର ସଂଗୀତ
ମଳୟ ମୂର୍ଚ୍ଛନା ତୋଳେ,
ଚାରୁ ଭାଷିନୀ ମା' ବୀର ପ୍ରସବିନୀ
କ୍ଷମା ପ୍ରଦାୟିନୀ
ଶାନ୍ତି ର ପ୍ରଦୀପ ଜାଳେ ।।
ହିମାଳୟ ଯା'ର ମସ୍ତକେ ଶୋଭିତା
ସିନ୍ଧୁ ଯା' ଚରଣ ଛୁଏଁ ,
ବିଶ୍ବ ବନ୍ଦିତା ମାଟି ମାଆ ମୋର
ପବିତ୍ର କାରିଣୀ
ପୁଣ୍ୟ ର ପରଶ ଦିଏ ।।
ଗଗନେ ପବନେ ଶୀତଳ ଚନ୍ଦନ
ବେଦର ଓଁ କାର ଝରେ ,
ସନ୍ଧ୍ୟା ର ଆଳତି ମଙ୍ଗଳ ମୂରତି
ମଙ୍ଗଳରେ ଭରା
ପାର୍ବଣ ର ମଧୁ ଝରେ ।।
ବିଶ୍ବ ସଂସ୍କୃତି ର ଆଧାର ମୋ ମାଟି
ଗର୍ବ ଗୌରବ ମଣ୍ଡିତା ,
ବିଶ୍ବ ଭାତୃତ୍ବ ର ସ୍ନିଗ୍ଧ ଶିହରଣେ
ଗୁଂଜରିତ ଧରା
ହୃଦୟ ଯା' ସ୍ନେହସିକ୍ତା ।।
ଉଦାରବାଦର ବୈଜୟନ୍ତୀ ଉଡେ
ଜୀବେ ଦୟା ପରଂ ଧର୍ମ,
ତ୍ୟାଗ ବଳିଦାନ ପୁଣ୍ୟ ଅବଦାନ
ବ୍ୟାପିଛି ଧରାକୁ
ଭେଦିଛି କେତେ ଯେ ମର୍ମ ।।
ସହିଷ୍ଣୁତା ଯା'ର ସିନ୍ଥିରେ ସିନ୍ଦୂର
ଅହିଂସା ପାଦ ନୁପୂର ,
ସତ୍ୟ ଶାନ୍ତି ଯା'ର କଟିର ମେଖଳା
କରରେ ତ୍ରିରଙ୍ଗା
ଓଠରେ ପୀୟୂଷ ଧାର ।।
ଜୈନ ମହାବୀର ଗଉତମ ବୁଦ୍ଧ
କେତେ ଯେ ମନିଷୀଗଣ,
ସମ୍ରାଟ ଅଶୋକ ଆଦି କେତେ ବୀର
ଧନ୍ୟ କଲେ ମାଟି
ରଖିଛନ୍ତି ସ୍ବାଭିମାନ ।।
ରାମ ପରମହଂସ, ଶିବାଜୀ ,ଚୈତନ୍ଯ
ସ୍ବାମୀଜୀ ବିବେକାନନ୍ଦ
ଇତିହାସ ପୃଷ୍ଠା ଚିର ଝଲମଲ
ପୂଜ୍ୟ ପୂଜନରେ
ସତେକି ସରଗ ଚାନ୍ଦ ।।
ଭାରତ ମାଟିର ପବିତ୍ର ସନ୍ତାନ
ଭବେ ଉଡୁଥିବ ଧ୍ବଜା
ରକ୍ତ ବିନ୍ଦୁ ଦାନେ ମାଆର ଆକ୍ଷିରୁ
ଅଶ୍ରୁ ଧୋଇଦେବା
ଶାନ୍ତି ର ବାଜିବ ବାଜା ।।
ଶତୃ ର ହୃଦୟେ କମ୍ପନ ଜାଗିବ
ଯୁଦ୍ଧ ର ତାଳେ ତାଳେ
ହେଉ ପାକିସ୍ଥାନ ହେଉ ଅବା ଚୀନ
ସତ୍ୟ ର ବିଜୟ
ହେବ ସିନା ଅବହେଳେ ।।
ଶୋଷଣ ହଟିବ ଅନ୍ୟାୟ ଲିଭିବ
ମାଆ ହସୁଥିବ ଧୀରେ
ଭାରତ ମାଟିର ଜୟଜୟକାର
ଗଗନେ ପବନେ
ନୀଳ ସାଗରର ତୀରେ ।।
ଏଇ ମୋ ଭକ୍ତି ଏଇ ମୋ ମୁକ୍ତି ଉସ୍ଛ
ମନ୍ତ୍ରଝରା ପୂଜାଫୁଲ ,
ଚିର ପୂଜନୀୟା ଚିର ବନ୍ଦନୀୟା
ହିରଣ୍ମୟୀ ମାତା
ବିଭୂଷିତା ଶତଦଳ ।।
ଅଧ୍ୟାପକ ଶରତ କୁମାର ଦାସ
ବଡବିଲ ମହାବିଦ୍ୟାଳୟ,
ବଡବିଲ, ଜିଲ୍ଲା-କେନ୍ଦୁଝର-୭୫୮୦୩୫