ବାତ୍ୟା ଜନିତ ଅସୁବିଧା କାରଣରୁ କ୍ଷୁଦ୍ରଗଳ୍ପ ଓ କବିତା ପ୍ରତିଯୋଗିତାର ଫଳାଫଳ ମେ - ୧୦ ତାରିଖ ପରିବର୍ତ୍ତେ ଚଳିତ ମାସ ୩୧ ତାରିଖ ସୁଧା ଘୋଷଣା କରାଯିବ । ଏବଂ ଚଳିତ ମାସ ୨୩ ତାରିଖ ଠାରୁ କବିର ଘର ପ୍ରସ୍ତୁତ "ଆଜିର ଅତିଥି" କାର୍ଯ୍ୟକ୍ରମର ସାପ୍ତାହିକ ପ୍ରସାରଣ ସେବା ଆରମ୍ଭ ହେବ । ଅନିଚ୍ଛାକୃତ ଅସୁବିଧା ନିମନ୍ତେ ଦୁଃଖିତ ।

ଅକାଳ - ଅଧ୍ୟାପକ ପବିତ୍ର ମୋହନ ଦାଶ

ଅକାଳ - ଅଧ୍ୟାପକ ପବିତ୍ର ମୋହନ ଦାଶ


ମରୁଡ଼ି ପଡ଼େନା
ମେଘମାନଙ୍କ ଆକ୍ରୋଶରେ
ମାଟି ବିଦୀର୍ଣ୍ଣ ହେଲେ ,
ଉଠିଆର ସମ୍ଭାବନା ମଲେ ,
ମରୁଡ଼ି ଓହ୍ଲାଏ
ଯେତେବେଳେ ପୋକ ଚରି ଯାଆନ୍ତି
କଳ୍ପନାର ବିହନରେ ।

ଅସଲ ଅକାଳ ଆସେ
ଯେତେବେଳେ କହିବାକୁ କୁଳାଏନି ସାହସ
ବେସର ଖାଉଁ , ଖାଉଁ ମହୁର
ଥର ଥର ହାତ ଚଳାଇ
ଶୂନ୍ୟ ଥାଳି ଉପରେ ।

ଦୁର୍ଭିକ୍ଷର ଦାଉ ଦିଶେନା
ଦୁଆରୁ ଭିକାରୀ ଫେରିଗଲେ
ନଅଙ୍କ ଘୋଟେ
ଯେତେବେଳେ ତେନ୍ତୁଳି ପତ୍ର ଖୁଣ୍ଟିବାର
କାହାଣୀ ବଖାଣ ଲାଗି
ସ୍ୟାହି ଶୁଖିଯାଏ ଲେଖନୀରେ ।

ମଡ଼କ ଘୋଟେନା
ମୁର୍ଦ୍ଦାରମାନଙ୍କୁ ମଶାଣି ଫେରାଇଦେଲେ
ମଡ଼କ ବିଜୟୀ ହୁଏ
ଯେତେବେଳେ ବିଫଳ ହୁଅନ୍ତି ଶିଳ୍ପୀମାନେ
ଜୁଇ ନିଆଁରୁ ରୂପାନ୍ତରର ରୂପକ ଗଢ଼ାରେ ।

ଅରାଜକ ହୁଏନା କିଛି
ଶାସନ ମୁଖ୍ୟ ପଛରେ ବୋମା ଖଞ୍ଜିଦେଲେ
ନୌରାଜ୍ୟ ରାଜତ୍ୱ କରେ
ଯେବେ ଗଣ ଜୀବନରୁ କବିତା ମରେ
ପରାଙ୍ଗପୁଷ୍ଟ ହୋଇ
ସାର ପିଡିଆରେ ।

ଅଧ୍ୟାପକ ପବିତ୍ର ମୋହନ ଦାଶ
ଇଂରାଜୀ ବିଭାଗ
ଶାସ୍ତ୍ରୀ ସ୍ମୃତି ଡିଗ୍ରୀ ମହାବିଦ୍ୟାଳୟ, ବାଲିପୁଟ, ପୁରୀ