
ଦୁଇ ଦଶନ୍ଧି ପରେ
ଦେଖା ହେଲା ତୁମ ସହ
ରାଜଧାନୀର ଛାତିରେ
ଗୋଟେ ସପିଙ୍ଗ ମଲରେ
ମୁଁ ତ ତୁମକୁ ଦେଖିନଥିଲି
ତୁମେ ମୋତେ ଦୂରରୁ ଦେଖିଲ
ଦୁର୍ଭାଗ୍ୟ କି ସୌଭାଗ୍ୟ
ଚିହ୍ନି ପକେଇଲ
ଅଲାଜୁକି ଜହ୍ନ ଗୋ
ଶ୍ରଦ୍ଧା ଆଉ ଭକ୍ତିରେ ପ୍ରଣାମ ବି କଲ
ମୁଁ ଟିକେ ଦୋ ଦୋ ଚିହ୍ନା ହେଲି
ତୁମ ରୂପ ରଙ୍ଗ
ଟିକିଏ ବଦଳି ଯାଇଥିଲା
ଯୌବନ ବି ଯାଇଥିଲା ମଉଳି ।
ତୁମେ ଉଖାରି ଆଣିଲ ଅତୀତକୁ
ଛାତି ଚିରି ହୋଇଗଲା
ମନ କୁହୁଳି ଉଠିଲା
ତୁମରସେ ପ୍ରତାରଣାର
ନିଆଁର ଧାସରେ ।
ସୁଖ ଦୁଃଖ ସବୁ ବୁଝିନେଲ
ତମ କଥା ସବୁବି କହିଲ
ଘର କରି ରହିଲଣି କେବେଠାରୁ
ଭୁବନେଶ୍ୱରରେ ।
କଥା ହେଲ ଭିଜିଟିଂ କାର୍ଡ ବି ଦେଲ
ଆସ କେବେ ରବିବାର
ମିଷ୍ଟର କିନ୍ତୁ ଏଠି ରୁହନ୍ତିନି
ସବୁବେଳେ ଦିଲ୍ଲୀରେ ।
ଦୂରରୁ ଝିଅ ଆସିଲା
ଏ ଜଣେ ଅଙ୍କଲ ଶୁଣିଲା ତୁମଠୁ
ହାଏ ବି କହିଲା ।
ଦୁହେଁ ମିଶି କଫିବି ପିଇଲେ
ଘର କଥା ଆଲୋଚନା କଲେ
ତୁମେ ମୋତେ ନିରେଖି ଦେଖୁଥିଲ
ମୁଁ ଜାଣିପାରୁଥିଲି କେତେବେଳୁ ।
ବୋଧ ହୁଏ ଖୋଜୁଥିଲ ତୁମ ଅତୀତର ପ୍ରେମିକକୁ
ଆଉ ତାକୁ ଦେଇଥିବା ସବୁ ଉପହାର
ତମେ କେମିତି ବୁଝିବ ସେସବୁକୁ ସାଇତି ରଖିଛି
ଆଜିଯାଏ ସତେଜ ରୂପରେ
କିଛି ଭଙ୍ଗାଘରେ
ଅଳନ୍ଧୁ ଭିତରେ ତ
ଆଉ କିଛି ଦରପୋଡା
ଏଇମୋ ମନରେ ।
କଫି ସରିଗଲା
ଭାବନା କିନ୍ତୁ ସରିଲାନି
ତମ ନମ୍ବର ବି ଦେଲ
ମୋ ନମ୍ବର ମାଗିଲ
ମୁଁ କହିଲି ନୂଆ ନମ୍ବର
ମନେନାହିଁ ମୋର ।
ଫୋନ ବି ଘରେ ଅଛି ବୋଲି ।
ତୁମେ କାର୍ ରେ ଚାଲିଗଲ
ଦୂରରୁ ହାତ ହଲେଇଲ
ମୋ ହାତରେ ଥିଲା
ତୁମ ମୋବାଇଲ ନମ୍ବର ।
ମୋ ଆଖି ଆଗରେ ନାଚୁଥିଲା ଅତୀତର କୋହଭରା ଦିନ
ମୋତେ ବୁଡ଼େଇ ମାରିଥିବା ପ୍ରତାରଣାର ନଈ ।
ମୁଁ ଚାଲୁଥିଲି ଆଗକୁ ଟିକେ ଅଟକିଗଲି ଦୋଛକିରେ
ସେଠି ଶୁଭୁଥିଲା ଦୁଇଟିଶ୍ୱର
ଗୋଟେ ତୁମ ଟାଇମ ପାସର ଉତ୍ତ୍କଣ୍ଠା
ଆଉ ଗୋଟେ ମୋ ଧର୍ମପତ୍ନୀଙ୍କ
ବିଶ୍ୱାସ ଆଉ ଗଭୀରତା ।
ସିଦ୍ଧେଶ୍ଵର ତ୍ରିପାଠୀ
କୁଣ୍ଡିଲୋ, କେରଙ୍ଗ, ଖୋରଧା