Information

ବରଦେ ମା' ବୀଣାପାଣି - ନାରାୟଣ ସେନାପତି


ତୁମର ଟିକିଏ ଆଶିଷ
ମୂକକୁ କରେ ବାଗ୍ମୀ
ମୂର୍ଖକୁ କରେ ପଣ୍ଡିତ
ବହୁକାଳର ଆଶାର ସୌଧଟା ଛିଡାହୁଏ
ଭରସାର ଚଟାଣରେ॥
ତୁମର ଟିକିଏ ସ୍ପର୍ଶ
କଣ୍ଠରେ ଲହରାଏ ଜୀବନ ସଙ୍ଗୀତ
ମୃଦ୍ୟୁ ମୂର୍ଚ୍ଛନାରେ ପୁଲକିତ କରେ ତନୁମନ
ଦୁଃଖି ରୋଗୀଙ୍କ କଳଙ୍କିତ ଯନ୍ତ୍ରଣା ଉପଶମ ହୁଏ
ମଦୁଗୀତିର ଅନୁପମ ସ୍ପର୍ଶରେ॥
ତୁମ ଯାଦୁକାରୀ ହାତର ସ୍ପର୍ଶ
ଲେଖନୀକୁ କରେ ଚଳ ଚଞ୍ଚଳ
କାରୀଗରର କଳାରେ ଫୁଟିଉଠେ ଇନ୍ଦ୍ରଧନୁ
ସାହିତ୍ୟ କୁସୁମର ଆକାଂକ୍ଷାର ଉପନ୍ୟାସଟା
ରଚାହୁଏ ଭାବ ଭକ୍ତିର ଶ୍ରୀମନ୍ଦିରରେ॥
ତୁମ ଶୁଭ୍ର ବସ୍ତ୍ର-ବାହନର ଶ୍ୱେତ ବର୍ଣ୍ଣ
ମନକୁ କରେ ନିର୍ମଳ
ନୟନକୁ କରେ ପୂତ ପରିମଳ
ସ୍ରଷ୍ଟାଙ୍କ ଉଦ୍ଦୀପନାର ସୃଷ୍ଟିଟାରେ ବୃଷ୍ଟିହୁଏ
ଆତ୍ମୀୟତା ଉପବନର ମମତାର ବାସପୁଷ୍ପ
ପବିତ୍ରତାର ସରଗରେ॥
ତୁମ ବେଦର ପ୍ରତି ଶବ୍ଦ ଧ୍ୱନି
ମନରେ ଜଗାଏ ନବୀନ ମନ୍ତ୍ର
ହୃଦୟରେ ଥରାଏ ଉତ୍ସାହର ଯନ୍ତ୍ର
ତ୍ୟାଗର ଅଭିଧାନଟା ଶାନ୍ତିର ରାହା ଦେଖାଏ
ସାଧୁର ବିଶ୍ୱଭ୍ରାତୃତ୍ୱ କଳ୍ପନାରେ॥
ତୁମ ଚକ୍ଷୁର ଦୀପଶିଖା
ଜଳାଏ ଅସଂଖ୍ୟ ତମସା ଦୀପକୁ
ଦେଖାଇ ଜୀବନ ଆଲୋକ
ପ୍ରାଣ ସ୍ପନ୍ଦନର ଭାବ ଭାଷା ମହକେ
ସାହିତ୍ୟର ମଧୁର ମୂର୍ଚ୍ଛନାରେ
ବରଦେ ମା ବୀଣାପାଣି
ସଂସ୍କୃତିର ତୁଳସୀ ଚଉଁରାରେ ଢାଳିଦେ
ସଂସ୍କାରର ଗଙ୍ଗାଜଳ
ତୁମ ଆଶୀର୍ବାଦର ଝଲକରେ॥

ନାରାୟଣ ସେନାପତି, ଜମ୍ଭରା, କେନ୍ଦୁଝର

Post a Comment