Information

କ୍ଷୁଦ୍ରଗଳ୍ପ - ଅଧିକାର - ଦିପ୍ତୀଲେଖା ମିଶ୍ର


ଗର୍ଭ ସଂଚାର ହେଲା ପରଠାରୁ ନାନା ସ୍ବପ୍ନ ଦେଖିଥିଲା ସରିତା । ସ୍ବାମୀ ତାର ମଦୁଆ । ଦିନସାରା କଷ୍ଟ କରି ଯେତେ ଟଙ୍କା ରୋଜଗାର କରେ ସବୁ ପିଇଦିଏ । ସେଥିରେ ପୁଣି ଘରେ ପଶୁନପଶୁଣୁ ଘରଣୀ ଉପରେ ଅତ୍ୟାଚାର । ବିଚାରୀ ସରିତା ନିଜ ଗର୍ଭରେ ଥିବା ସନ୍ତାନକୁ ରଖିବ କି ମାରିବ ଚିନ୍ତା କରୁଥାଏ ରାତିଦିନ ।
             
ଦିନେ ଭାବିଲା ମୁଁ କାହାର ? ମୋ ବାପା ମାଆ ମୋତେ ଜନ୍ମଦେଈ ଏଡିକିରୁ ଏଡୁଟେ କଲେ । ପାଠ ପଢାଈ ଭଲ ଘର ଭଲ ବର ଦେଖି  ହାତକୁ ଦିହାତ କରିଦେଲେ । ଏପଟେ ମୋ ଶାଶୁଘର କହିଲେ କେବଳ ମଦୁଆ ସ୍ବାମୀ । ସବୁ ଅଛନ୍ତି କହି ଆଉ କିଏ ନୁହଁ ଘରେ । ଏତେ ବଡ ଧୋକା ଖାଇବା ପରେ ମୋ ବାପା ମାଆ ରୋଗରେ ପଡି ପ୍ରାଣତ୍ୟାଗ କଲେ । ମୁଁ ଏବେ ପୁରାପୁରି ଏକା କହିଲେ ଚଳେ । ପୁଣି ଏତେ ବଡ ଦୁନିଆକୁ ପାଦ ରଖି ଆସିବା ପରେ ମୋ ସନ୍ତାନର ଅବସ୍ଥା କିଏ ବୁଝିବ ଯଦି ମୋର କିଛି ହୋଇଯିବ ? ଏଣୁ ଏ ସନ୍ତାନ ଜନ୍ମ ନ ହେଉଣୁ ମରିଯିବା ଭଲ ହେବ ।
       
ଅଂଚଳରେ ଥିବା ଅଙ୍ଗନୱାଡୀରେ ନାମ ପଞିକରଣ କରିଥିଲା । ଗର୍ଭର ଚାରିମାସ ବୋଲି ଆଶାଦିଦି ଆଉ ଅଙ୍ଗନୱାଡୀ ଦିଦି ଭ୍ରାମ୍ୟମାଣରେ ଡାକିଲେ । ସେଠାକୁ ଯାଇ ଦେଖେତ ଚାଈଲ୍ଡ୍ ଲାଇନ୍ ର ସଭା ଚାଲିଥିଲା । ମ୍ୟାଡାମ୍ ଓ ସାର୍  ମାନଙ୍କ ଅନର୍ଗଳ ଭାଷଣ ଶୁଣି ମୁଗ୍ଧ ହୋଇପଡିଲା । କିଛି ସମୟ ପାଈଁ ଭାବିଲା ନା ମୋ ସନ୍ତାନର ସୁରକ୍ଷା ବି ହୋଇପାରିବ । ମୁଁ କଳେ ବଳେ କୌଶଳେ ଜନ୍ମ ଦେବା ପରେ ଚାଇଲ୍ଡ ଲାଈନ୍ କୁ କଲ୍ କରି ହସ୍ତାନ୍ତର କରିଦେବି । ମୋ ଶିଶୁର ଜନ୍ମ ଅଧିକାର ମୁଁ ବା କିଏ ଛଡେଇବି । ବାସ୍ ଏମିତି ନଅ ମାସ ଶେଷରେ କନ୍ୟା ସନ୍ତାନଟି ଜନ୍ମ ଦେଈଥିଲେ । ବହୁତ ସୁନ୍ଦର ବି ଥିଲା ଶିଶୁଟି । ସରିତା ପୂର୍ବ କଥା   ଚିନ୍ତାକରି ଚିନ୍ତିତ ହୋଇପଡିଲା । ହଠାତ୍ ଭାବିଲା ଯଦି ମୋର ମୃତ୍ୟୁ ହୁଏ ମୋ ଝିଅକୁ ଅଧିକାର ମିଳିବ କି ନାହିଁ ? ମୋବାଇଲ୍ ଉଠାଇ ଫୋନ୍ କଲା ଚାଇଲ୍ଡ ଲାଇନକୁ ।
          
କହିଲା ମ୍ଯାଡାମ୍ ମୋତେ ଚିହ୍ମିପାରିଲେ କି ? ଆମ ଅମୁକ ଅଂଚଳରେ ସେଦିନ ସଭା କରିଥିଲେ । ମୋ ନାମ ସରିତା । ମୁଁ କହିଥିଲି ନା ମୋ  ସ୍ବାମୀ ମଦୁଆ । ମୋର ନିଜର ବୋଲୀ କେହି ନାହିଁ । ମୁଁ କ୍ୟାନ୍ସର ଭଳି ରୋଗରେ ପୀଡିତ ।

- ମ୍ୟାଡାମ୍ ଉତ୍ତର ଦେଲେ ହଁ ହଁ ମୁଁ ଜାଣିଲି ସରିତା ଭଉଣୀ । ତମେ ଏବେ କେଈଁଠି ?
- ସରିତା କହିଲା ମ୍ୟାଡାମ୍ ମୁଁ ଏବେ ବଡ ଡାକ୍ତରଖାନାରେ । ବାସ୍ ସେତିକି କହି ଚୁପ୍ ହୋଇଗଲେ ସରିତା ।
      
- ମ୍ୟାଡାମ୍ ହାଲୋ ହାଲୋ କରି ପଚାରିଲେ... କିନ୍ତୁ କିଛି ଉତ୍ତର ନ ପାଇ ସେ ଡାକ୍ତରଖାନାର କର୍ତ୍ତୁପକ୍ଷକୁ ଫୋନ୍ ଲଗାଇ ପଚାରିଲେ ସରିତାର ଘଟଣା । ଡାକ୍ତର କି ନର୍ସ କେହି ନଜାଣୁଣୁ ଖବର ଗଲାଣୀ ବାହାରକୁ । କର୍ତ୍ତୁପକ୍ଷ ଜଣକ ରାଗ ତମତମ ହୋଇ ଡାକ୍ତରଙ୍କୁ ଅନେକ ଗାଳି ଗୁଲଜ କରିଥିଲେ । ହଠାତ୍ ମ୍ୟାଡାମ୍ ପହଂଚି ନେଇଗଲେ ଶିଶୁ କନ୍ୟାକୁ । ମାଆଟି ମରିବା ଆଗରୁ ଦେଈପାରିଲା ଶିଶୁକନ୍ୟାକୁ ଅଧିକାର ।
 
ଦିପ୍ତୀଲେଖା ମିଶ୍ର, ବ୍ରହ୍ମପୁର

Post a Comment

0 Comments