
ବରଷା ଯାଉଛି ଛାଡ଼ି ଛାଡ଼ି
ଶୀତ ଆସେ ଧୀର ମାଡ଼ି ମାଡ଼ି
ଧରଣୀ ପିନ୍ଧିଛି ନୀଳ ପାଟଶାଢ଼ୀ
କାଶଫୁଲ ଛିଟ ଧାଡ଼ି ଧାଡ଼ି ।।
ସଜ ଫୁଟା ଫୁଲ ଝରି ଝରି
ମହକ ବାଣ୍ଟଇ ଥିରି ଥିରି
ପବନ ବହୁଛି ତୋ ନାମ ଗାଉଛି
ତୋ ଆବାହନୀ ମନ୍ତ୍ର ପଢି ପଢି ।।
ପ୍ରଜାପତି ଡେଣା ଝାଡି ଝାଡି
ଫୁଲ ରୁ ଫୁଲକୁ ଯାଏ ଉଡି
ଟମକ ନୀଶାଣ ଓଁ ବେଦମନ୍ତ୍ରେ
ଧରାକୁ ଆସ ମା ଅବତରି ।।
ଦିନ ଯାଏ ମାତ ଗଡ଼ି ଗଡ଼ି
ମନ ଯାଉଅଛି ମରି ମରି
ଦୁର୍ଦ୍ଦାନ୍ତ ମହିଷା ଛାଡେ ରଡି
ଆସ ଦେବୀ ସୁରପୁର ଛାଡି ।।
ଦୁର୍ନୀତି ଦୁଷ୍କର୍ମ ଦୁରାଚାରୀ
ନି଼ଃଶେଷ କଲେଣି ଏଠି ମିଳି
ଆକାଶ ପାତାଳ ଭୂଧର କ଼ଂପଇ
ଧର୍ମ ଲୁପ୍ତ ପାପ ହୁଏ ଭାରି ।।
କାତରେ ଭକତ ଗଡି ଗଡି
କାନ୍ଦନ୍ତି ଦୁଃଖ ରେ ସଢି ସଢି
ଜୀବନ ନଉକା ଯାଏ ବୁଡି ବୁଡି
ଆସରା କରିଛି ପଦେ ପଡି ॥
ଆସ ଦେବୀ ଦୁଃଖ ଦିଅ ତଡ଼ି
ବେଦନା ଯାତନା ଯାଉ ଛିଡି
ମହାଦେବୀ ଦୁର୍ଗେ ଦୟା ମନାସିଲି
ଏ ମାୟା ବନ୍ଧନ ଦିଅ ଫେଡି ।।
କବି ପ୍ରଫୁଲ୍ଲ ଚନ୍ଦ୍ର ମିଶ୍ର, ମଙ୍ଗଳାଯୋଡି, ଖୋର୍ଦ୍ଧା