ଜହ୍ନରେ ତୋତେ ପୁନେଇଁ ରାଣ - ଅଧ୍ୟାପକ ଶରତ କୁମାର ଦାସ

0

ଜହ୍ନ ରେ ତୋତେ ପୁନେଇଁ ରାଣ
ଯାଆ ନା ଲୁଚି ବାଦଲ ଫାଙ୍କେ
ଦେଖି ଯା ଥରେ ମୋ ପ୍ରିୟା ମୁହଁ,
ଓଢଣୀ ତଳେ ସରମୀ ଲତା
                   ମରମେ ଉଠେ କୋହ  ।।

ରୂପ ପଶରା ପାହାନ୍ତି ତାରା
ମଉନ ବତୀ ଦିଶଇ ତୋରା
ମୃଗ ନୟନା ସେ ଅନୁପମା ,
ବାଙ୍କ ଚାହାଣୀ ମୋ ମନ ହୀରା
                    ମଧୁ ଭାଷିନୀ ବାମା    ।।

ଚାରୁ ହାସିନୀ ଚନ୍ଦ୍ର ବଦନୀ
କଥା କଥାରେ ମନ ମୋ ଜିଣେ
ଫଗୁଣ ଝରେ ତା' ଓଠ ଧାରେ ,
ମଧୁ ମଳୟ ତା' ତନୁ ଛୁଏଁ
                   ସପନ ନଦୀ ତୀରେ     ।।

କଦମ୍ବ ପତ୍ରେ ଶିଶିର ବିନ୍ଦୁ
ତା ମଧ୍ୟେ ଖେଳେ ତା ରୂପ ବିନ୍ଦୁ
ଢଳ ଢଳ ତା ରୂପ ମାଧୁରୀ ,
ରବିର ତେଜେ ଝଟକୁ ଥାଏ
                    ଝରଇ ସୁଖ ଶୀରି    ।।

ପ୍ରେମ ଦାୟିନୀ ସେ ଆହ୍ଲାଦିନୀ
କୁଂଚ କବରୀ ତନୁ ପତଳି
ଭିଜେ ସେ ନିତି ପ୍ରୀତି ର ଜଳେ,
ପାପ ରାଇଜେ ସେ ପୂଣ୍ୟତୋୟା
           (ମୋ) ହୃଦୟେ ନୀଡ ତୋଳେ ।।

ଶରତ କୁମାର ଦାସ 
ବଡବିଲ ମହାବିଦ୍ୟାଳୟ, ବଡବିଲ 

Post a Comment

0Comments
Post a Comment (0)