Information

ଓଡିଆ ସାହିତ୍ୟ ଓ ସଂସ୍କୃତିର ନିଆରା ସ୍ଵର... ତିନିଶହରୁ ଉର୍ଦ୍ଧ ଲେଖକ ଲେଖିକା ଏବଂ ଦୁଇଲକ୍ଷରୁ ଉର୍ଦ୍ଧ ପାଠକ ପାଠିକା ମାନଙ୍କର ପ୍ରିୟ ଇ-ସାହିତ୍ୟ ପୋର୍ଟାଲ ବଣମଲ୍ଲୀର ମହକ ଆପଣଙ୍କୁ ସ୍ଵାଗତ ଜଣାଉଛି ।

କ୍ଷୁଦ୍ରଗଳ୍ପ - ମାଆ : ଏକ ସୁରକ୍ଷା କବଚ - ପ୍ରୀତିପ୍ରିୟା ମହାନ୍ତି

ସକାଳୁ ସକାଳୁ ମା' ବ୍ରଶରେ ପେଷ୍ଟ ଲଗଉ ଲଗଉ ସ୍ମିତାଲିନ ଉପରେ ଗରଜି ଉଠିଲେ ,କେତେ ଦିନ ଆଉ ଏମିତି ମୋ ଉପରେ ନିର୍ଭର କରିବୁ?ଏବେ ତ ନିଜ କାମ ନିଜେ କରିବା ଶିଖ୍।ତୋ ସାଙ୍ଗମାନଙ୍କ ଘରେ ଯାଇ ଦେଖି ଆସେ ଅଠର ଉଣେଇଶ ବୟସର ଝିଅମାନେ ଓଲଟା ମା'ମାନଙ୍କୁ ଘର କାମରେ ସାହାଯ୍ୟ କରୁଛନ୍ତି।ହେଲେ ,ତୋର ରାତିରେ ବିଛଣାକୁ ଯିବା ପୂର୍ବରୁ ଗୋଡ଼ ହାତ ଧୋଇବା କାମ ବି ଆଜି ଯାଏଁ ମତେ କରିବାକୁ ପଡେ।ବୟସ ଦିନକୁ ଦିନ ଯେତିକି ବଢୁଛି ତୋର ମୋ ଉପରେ ନିର୍ଭର ଓ ପିଲାଳିଆମି ସେତେ ଅଧିକ ବଢୁଛି।ତୋ ସାନ ଭାଇଭଉଣୀମାନଙ୍କୁ ଦେଖ୍ ତୋ ଠାରୁ ସେମାନେ ଢେର ଚାଲାକ,ଢେର ପାରିବାର।ନିଜ କାମ ସେମାନେ ନିଜେ କରିପାରୁଛନ୍ତି। ହେଲେ ସବୁ ଶୁଣି ନ ଶୁଣିଲା ପରି ହୋଇ ବେପରୁଆ ଓ ଖାମଖିଆଲ ଢ଼ଙ୍ଗରେ ଦାନ୍ତରେ ଆଖି ବୁଜି ଘେରା ମାରିଚାଲିଥାଏ ସ୍ମିତାଲିନ।ସେ ଜାଣିଥାଏ ମା'ଙ୍କର ଏମିତି ବହେ ବକବକ ହେବା ନିତିଦିନିଆ ଅଭ୍ୟାସ। ମା'ଙ୍କ ଉପରେ ଟିକେ ଟିକେ କଥାରେ ସେ ନିର୍ଭର କରେ।କୌଣସି ବି ଦିନ ନିଜ ହାତରେ ପାଣି ଟୋପେ ଆଣି ପିଇନି।ଏହି କାରଣ ଯୋଗୁ ଅନ୍ୟମାନେ ଏମିତି କି ସାନ ଭାଇଭଉଣୀମାନେ ତାକୁ ଅକର୍ମା,କର୍ମକୋଢିର ଆଖ୍ୟା ଦିଅନ୍ତି ହେଲେ ସ୍ମିତାଲିନକୁ ମା'ଙ୍କୁ ଛୋଟମୋଟ କଥାରେ ମନେପକାଇବାରେ ମିଳୁଥିଲା ଅପୂର୍ବ ଶାନ୍ତି।


ବାପା ଙ୍କ ରାୟ କିନ୍ତୁ ଥିଲା ଅଲଗା ସେ କହୁଥିଲେ ବୟସ ଓ ସମୟ ଆସିଲେ ସେ ଆପେ ଆପେ ସବୁ କରିବ।ମା' କହୁଥିଲେ ଝିଅ ପିଲା ପାଇଁ ପୁଣି ବୟସ ଆଉ ସମୟ କ'ଣ।ଆଜି ନ ହେଲେ ତ କାଲି ପରଘରକୁ ଯିବ। ଯଦି ମୋର କାଲି କିଛି ହୋଇଯାଏ ତେବେ କିଏ ନେବ ଏ ସାନ ଭାଇଭଉଣୀଙ୍କ ଯତ୍ନ ଓ ଦାୟିତ୍ୱ ।ବେଳେ ବେଳେ ମା' ଙ୍କ ଗାଳିରେ ଅଭିମାନ କରି ସ୍ମିତାଲିନ ଘର କାମ କରିବା ପାଇଁ ଆଗେଇ ଆସେ।ହେଲେ ମା' ଏଣ୍ଡୁଅ ରଙ୍ଗ ବଦଳେଇବା ପରି ବଦଳି ଯା'ନ୍ତି।ଦେଖାନ୍ତି ନିଜର ଆଉ ଏକ ରୂପ।ମା' ତାଗିଦ କରି କୁହନ୍ତି ସେ ବଞ୍ଚିଥିବା ଯାଏଁ ତାଙ୍କ ଅଲିଅଳି ଝିଅକୁ କିଛି ବି କାମ କରେଇ ଦେବେନି।ତାଙ୍କ ଆଖି ସାମନାରେ କଷ୍ଟ କରୁଥିବା ଝିଅର ଝାଳୁଆ ମୁହଁ ,ବିରସ ଚେହେରା ସେ ଦେଖିପାରିବେନି।ସ୍ମିତାଲିନ ସେତେବେଳେ ମା' ଙ୍କ ଭଲପାଇବାର ଗଭୀରତାକୁ ଠିକ ମାପିପାରେ।ସେ ଯାହା ବି ହେଉ.....ମା' ଝିଅ ଦୁହିଙ୍କ ମଧ୍ୟରେ ଥାଏ ଗଭୀର ନିବିଡ଼ତା ଓ ଗଭୀର ଆତ୍ମିୟତା।


ସାନ ଭାଇଭଉଣୀ ମାନେ ତ ଚାଲିଗଲା ଶଗଡ଼ରେ ହାତ ମାରିଦେବା ଲୋକ।ପୁରାପୁରି ବିଛୁଆତି।କିଏ ପଦେ କହିଲେ ସେମାନେ ତାକୁ ତା' ଚଉଦ ପୁରୁଷ ଦେଖେଇ ଦେଇ ଆସନ୍ତି।ବାହାରେ କାହାକୁ ମାରିଥିବେ ଅଥଚ ମା'ଙ୍କ ଆଗରେ ମାଡ ଖାଇ ଆସିଛନ୍ତି ବୋଲି କୁହନ୍ତି କେବଳ ମା'ଙ୍କ ସିମ୍ପାଥି ପାଇବା ପାଇଁ।ମା' ଅବଶ୍ୟ ପରେ ସତ କଥା ଜାଣି ଭଲକି ଉତ୍ତମ ମଧ୍ୟମ କରନ୍ତି ସେମାନଙ୍କୁ।ହେଲେ ସ୍ମିତାଲିନ ସେମାନଙ୍କ ଠାରୁ ଥିଲା ପୁରା ଅଲଗା।ଶାନ୍ତ,ସରଳ,ନମ୍ର ପ୍ରକୃତିର।ତା' ପାଖରେ ଥିବା କିଛି ବିଶେଷ କାରଣ ଯୋଗୁ ଅନ୍ୟ ଭାଇଭଉଣୀ ଙ୍କ ତୁଳନାରେ ସେ ମା' ଙ୍କର ସେ ଅତି ଗେହ୍ଲି ଓ ପ୍ରିୟ ଥିଲା।କୌଣସି ବିବାହ ପ୍ରସ୍ତାବ ଆସିଲେ ମା'ଙ୍କୁ ଛାଡି ଶାଶୁଘର ନ ଯିବା ପାଇଁ ଅଜବ ଜିଦ୍ ଧରି ବସେ ବେଳେ ବେଳେ।କିଛି ବି କଥା ସେ ମା'ଙ୍କ ଠାରୁ ଲୁଚେଇ ରଖେନି,ସବୁ କଥା ଖୋଲି କୁହେ।ସତେ ଯେମିତି ସେ କଥା ଗୁଡାକ ତା'ପେଟରେ ରହିଲ ଘାଣ୍ଟି ହୋଇ ଗ୍ୟାସ ହୋଇଯିବ।ସ୍କୁଲ ରୁ କଲେଜ ଯାଏଁ ସକାଳରୁ ସଞ୍ଜ ଯାଏଁ ତା' ସହ ଘଟିଥିବା ପ୍ରତ୍ୟକ ଘଟଣା ମା'ଙ୍କୁ ଆମୂଳଚୁଳ କହି ସେ ଏକ ରକମ ହାଲୁକା ହୋଇଯାଏ।ମା'ଙ୍କ କାର୍ଯ୍ୟବ୍ୟସ୍ତତା ଯୋଗୁ ଦିନରେ କହିବାକୁ ସମୟ ନ ପାଇଲେ ରାତିରେ ବିଛଣାକୁ ଗଲା ପରେ ଏ କଥା ସବୁ ନ କହିଲେ ତାକୁ ନିଦ ହୁଏନି।ସେ ରାତି ୧.୦୦ଟା ହଉ କି ୨.୦୦ଟା।ମା' ମଧ୍ୟ ଝିଅର କଥାକୁ ମନ ଦେଇ ଶୁଣନ୍ତି।


ଏ ଅଭ୍ୟାସ ତାଙ୍କର ଅଛି ଝିଅ ଛୋଟ ଥିବା ସମୟରୁ।।ଝିଅ ସ୍ମିତାଲିନ ଯେବେ ଭଲ ଭାବରେ କଥା କହି ଶିଖି ନ ଥିଲା ତା'ର ଅନ୍ୟ ସାଙ୍ଗମାନେ ତା'ଠାରୁ ଉତ୍ତର ଶୁଣି ଶ୍ରେଣୀରେ ଆଗ ଉତ୍ତର ଦେଇ ଦିଅନ୍ତି।ଆଉ ତାକୁ ସାରଙ୍କ ବେତ ପ୍ରହାର ର ଶିକାର ହେବାକୁ ପଡେ।ସେ ସବୁ ଟିକିନିଖି ମା'ଙ୍କ ଆଗରେ ବଖାଣେ।ମା'ବୁଝେଇ ଦିଅନ୍ତି କେହି ନକଲ କରି କେବେ ବୁଦ୍ଧିମାନ ହୋଇପାରେନି।ଅସଲ ବୁଦ୍ଧିମାନ ତ' ତାଙ୍କ ଝିଅ କାରଣ ତା'ଠୁ ସାଙ୍ଗମାନେ ଚାଲାକ କରି ଉତ୍ତର ବୁଝିନେଇଥିଲେ।ବିଜ୍ଞାନ ସାରଙ୍କ ମାଡ଼ ହେଉ କି ଇଂଗ୍ରାଜୀ ସାରଙ୍କ ପ୍ରଶଂସା,ସାହିତ୍ୟ ସାରଙ୍କ ପ୍ରେରଣା ହେଉ କି ଭଲ ପାଠ ପଢୁଥିବା ଯୋଗୁଁ ଈର୍ଷାନ୍ବିତ ହୋଇ ନିନ୍ଦା କରୁଥିବା ସାଙ୍ଗସାଥୀ ପ୍ରତ୍ୟକଙ୍କ କଥା ବଖାଣେ ସେ ମା,ଙ୍କ ଆଗରେ।ନିଜ ଉନ୍ନତିର ହେଉ କି ଅବନତିର,ନିଜ ଭଲତ୍ୱର ହେଉ କି ମନ୍ଦତ୍ୱର ,କାହାକୁ ସାହାଯ୍ୟ ସହାନୁଭୂତିର ହେଉ କିମ୍ବା ନିଜେ ସାହାଯ୍ୟ ସହାନୁଭୂତିର ପାତ୍ର ହେଉ ସବୁ ଆସି ଗାଳି ପକାଏ ମା'ଙ୍କ ଆଗରେ।କଲେଜ ରେ ପଢୁଥିବା ବେଳେ ଉପର ବ୍ୟାଚର କଲେଜଡ଼ନ ବୋଲାଉଥିବା ଲୋଫର ଟୋକା ବିକିର ଆଖିମାରିବା, ଏଠି ସେଠି ହଇରାଣ ହରକତ କରିବା କଥା ହେଉ,କି କଲେଜ ଲଭର ବୟେ ନିତିନର କଲେଜର ସବୁ ଷ୍ଟୁଡେଣ୍ଟଙ୍କ ଆଗରେ ଲଭ ପ୍ରପୋଜ ହେଉ,ଅଥବା କଲେଜ ର ସବୁଠାରୁ ଶାନ୍ତ ,ସରଳ,ଭଦ୍ର, ଓ ତା'ସହ ପାଠ ପଢାରେ ପ୍ରତିଯୋଗିତା କରୁଥିବା ମେଧାବି ଛାତ୍ର ରିତେଶର ଏକାନ୍ତରେ ପ୍ରେମ ଭିକ୍ଷା ହେଉ କେଉଁଠି ବି ସେ ନିଜ ପାଇଁ ମୁହଁ ଖୋଲି ପଦେ କହିପାରେନି।ସବୁଠି ମୁହଁ ବନ୍ଦ ରଖି ଚପଚାପ୍ ଚାଲି ଆସେ ଘରକୁ।ଗୋଟି ଗୋଟି କରି ସବୁ ମା'ଙ୍କୁ କୁହେ।ମା'କିନ୍ତୁ ସେ ସବୁ ଶୁଣି ଚୁପ ହୋଇ ବସିବା ଲୋକ ନୁହଁନ୍ତି।ସିଧା ଯାଇ ହାଜର କଲେଜ ପ୍ରିନିସିପାଲ ଚ୍ୟାମ୍ବର ରେ।ଅଭିଯୋଗ ଆଣନ୍ତି ସେଇ ପିଲାଙ୍କ ବିରୋଧରେ ଯେଉଁମାନେ ତାଙ୍କ ଝିଅକୁ ହଇରାଣ ହରକତ କରନ୍ତି।ଅନେକ ଥର ଦଣ୍ଡ ବି ପାଇଛନ୍ତି ସେମାନେ।ତା'ପରଠାରୁ ସେମାନେ ସ୍ମିତାଲିନ କୁ ଦେଖିବା ମାତ୍ରେ ଯିଏ ଯୁଆଡେ ଛତ୍ରଭଙ୍ଗ ଦେଇ ଛୁ ମାରନ୍ତି।ମନେ ମନେ ସ୍ମିତାଲିନ ମା'ଙ୍କୁ ଭାରି ପ୍ରଶଂସା କରେ କାହିଁକି ସେ ମା'ଙ୍କ ଠାରୁ ସମ୍ପୂର୍ଣ୍ଣ ଅଲଗା ପ୍ରକୃତିର ବୋଲି ଭାବି ନିଜ ଉପରେ ଅଭିମାନ କରେ।ମା' ତାର ଯେମିତି ରୂପବତୀ,ଗୁଣବତୀ ସେମିତି ବୁଦ୍ଧିମତି ମଧ୍ୟ।ମା'ଙ୍କୁ ସେ ଅଭିମାନ ଭରା ସ୍ୱରରେ କହି ଉଠିଲା ପ୍ରିନସିପାଲ ଙ୍କ ଆଗରେ ବିକି ଓ ନିତିନ୍ ବିରୁଦ୍ଧରେ ଅଭିଯୋଗ କରିଥିଲେ ମଧ୍ୟ ରିତେଶ ନାଁ ରେ କାହିଁକି ଅଭିଯୋଗ କଲେ ନାହିଁ।ମା'କହିଲେ ସେ କଥା ଛଳରେ ପ୍ରିନସିପାଲ ଙ୍କ ଠାରୁ ବୁଝିସାରିଥିଲେ କଲେଜର ସବୁଠାରୁ ଶାନ୍ତ,ସରଳ, ଭଦ୍ର, ଓ ମେଧାବୀ ଛାତ୍ର ହେଉଛି ରିତେଶ।ତା'ପାଇଁ କୌଣସି ଅଭିଯୋଗର ଆବଶ୍ୟକତା ନାହିଁ।ଭାରି ବୁଝିବା ସୁଝିବା ପିଲା ସେ।ଅନ୍ୟମାନେ ପାଇଥିବା ଦଣ୍ଡରୁ ସେ ନିଶ୍ଚୟ କିଛି ଶିକ୍ଷା କରିପାରିବ।ଆରେ ବାଃ! ମା' ତ ତେବେ ତା'କଳ୍ପନା ବାହାରେ ବୁଦ୍ଧିମତି।ଏତିକି ବୁଦ୍ଧି ତ ତା' ମୁଣ୍ଡକୁ ଆସିଲାନି ଯେ,ଅଭିଯୋଗ କରିବା ଓ ଦଣ୍ଡ ଦେବା ଜଣଙ୍କୁ ପରିବର୍ତ୍ତନ କରିବା ପାଇଁ ଏକ ମାତ୍ର ମାଧ୍ୟମ ନୁହେଁ ବୋଲି।ରିତେଶ ଏତେ ବି ଖରାପ ପିଲା ନୁହେଁ।ସେ ଅନ୍ୟ କୁ ଦିଆଯାଇଥିବା ଦଣ୍ଡରୁ ବହୁତ କିଛି ଶିଖିପାରିବ।ଖୁବ ଭଲ ପିଲା ସେ।ଏତିକି ଭାବୁ ଭାବୁ ମା' କହିଉଠିଲେ ସେ ଯଦି ତାଙ୍କ ଝିଅକୁ ଲଭ ପ୍ରପୋଜ କରୁଥିବା ସବୁ ପୁଅଙ୍କୁ ଏମିତି ଦଣ୍ଡ ଦେବେ ତ ଜ୍ଜଇଁ କାହାକୁ କରିବେ?ଲାଜ ବୋଳା ମୁହଁରେ ମିଛି ମିଛି କାନ୍ଦି କାନ୍ଦି ସ୍ମିତାଲିନ ମା'ଙ୍କୁ ଆଲିଙ୍ଗନ କରିବାକୁ ଉଦ୍ୟତ ହୁଅନ୍ତେ ନିଜକୁ ଆବିଷ୍କାର କଲା କାନ୍ଥରେ ଟଙ୍ଗାଯାଇଥିବା ମା'ଙ୍କ ଫଟୋକୁ ଧରି ଆଉଜି ଠିଆ ହୋଇଥିବା ଅବସ୍ଥାରେ।


ନୂଆ ନୂଆ ଚାକିରିରେ ଯୋଗ ଦେବାକୁ ଥାଏ ସ୍ମିତାଲିନକୁ।ପ୍ରଥମ କରି ଘର ଓ ପରିବାର ଛାଡି ନିଜ ଘର ଠାରୁ ସୁଦୂର ଏକ ଅଜଣା ଅଶୁଣା ଜାଗାକୁ ଯାଉଥିବା କୋହଭରା ମନର ବେଦନାକୁ ଚାପି ବି ଚାପି ପାରୁ ନ ଥାଏ ସେ। ଅଲିଅଳି ଝିଅର ପ୍ରଥମ କରି ଘର ଛାଡି ଅନିର୍ଦ୍ଧିଷ୍ଟ ସମୟ ପାଇଁ ବାହାରକୁ ଯିବା ଦେଶ ଛାଡିବା ପରି ମନେ ହେଉଥିଲା।ହେଲେ, ସେ ନାଚାର ଯିବାକୁ ତ ପଡିବ ନିଶ୍ଚୟ।ମନର କୋହ ଆଖିର ଲୁହ ହୋଇ ଗଡି ଯାଉଥାଏ।ନିଜ ଲୁହକୁ ଅନ୍ୟମାନେ ଦେଖିଦେବା ଶଙ୍କାରେ ଲୁଚେଇ ଲୁଚେଇ ବାରମ୍ବାର ପୋଛୁ ପୋଛୁ ଘରର ଏରୁଣ୍ଡି ଡେଇଁ ସିଧା ହାଜର ବସଷ୍ଟାଣ୍ଡରେ।ସେଠୁ ବସ ଯୋଗେ ନିଜ ଗନ୍ତବ୍ୟସ୍ଥଳକୁ।ସେଠି ପାଦ ଦେବା ପୂର୍ବରୁ ବହୁତ ଖବର ଅନ୍ତର ନେଇଥିଲା ସ୍ମିତାଲିନ ସ୍ଥାନଟି ବିଷୟରେ ଗାଁ ଟି ପାହାଡ଼ ଘେରା ବିଶିଷ୍ଟ ଅନୁନ୍ନତ ମଫସଲ ଅଞ୍ଚଳ।ବନ୍ୟଜନ୍ତୁଙ୍କର ପ୍ରବଳ ମାତ୍ରାରେ ପାଦ୍ରୁଭାବ ସେଠି।ଦୋକାନ ବଜାର ବହୁତ କମ।ଅତି ଆବଶ୍ୟକୀୟ ଜିନିଷ ମିଳିଯାଉଥିଲା ଗାଁ ଦୋକାନରୁ।ନୂଆ ଜାଗା,ନୂଆ ଲୋକ, ଅନୁନ୍ନତ ପରିବେଶରେ ସ୍ମିତାଲିନ ପରି ଜଣେ ସହରୀ,ଆଧୁନିକ,ଭୟାଳୁ ଝିଅ ଉପଯୋଯନ କରିବା ଯଦିଓ କଷ୍ଟକର ଥିଲା ତଥାପି ଜୀବନ ସହ ସଘଂର୍ଷ କରିବା ପାଇଁ ସେ ନିଜ ମନ ସହ ସମଝୋତା କରିସାରିଥାଏ।ବହୁତ ପ୍ରଚେଷ୍ଟା ପରେ ନିଜ ମନଲାଖି ଭଡାଘର ଟିଏ ନ ହେଉ ପଛେ ନିଜେ ଚଳିବା ପରି ଘର ଟିଏ ମିଳିଗଲା।ଯଦିଓ ଘରର କାନ୍ଥଗୁଡିକ ମଜଭୂତ ହେଲେ ଝରକା କବାଟ ସବୁ ଉଇ ଖାଇ ନଷ୍ଟ କରିଦେଇଛନ୍ତି।ଗୋଟେ ଧକ୍କାରେ କବାଟ ସିଧା ମାଟି କାମୁଡି ତଳେ ପଡିବା ପରି ଅବସ୍ଥା।ଡ୍ୟୁଟି ସମୟ କୁ ବାଦ ଦେଲେ ବଳକା ସମୟ ସ୍ମିତାଲିନ ଯଥାସମ୍ଭବ ନିଜକୁ ଭଡାଘରର ବନ୍ଦ କୋଠରୀରେ ରଖୁଥିଲା।କାହା ସହ ମିଶୁ ନ ଥିଲା।ସବୁବେଳେ ଗୁମସୁମ,କିଛି ଗୋଟେ ହଜେଇ ଦେବା ପରି।ଗୁଣୁଗୁଣୁ ହୋଇ କଣ ସବୁ କହି ପକାଏ ମା'ଙ୍କ ଫଟୋ ଆଗରେ।ଘର ଛାଡି ଆସିବାବେଳେ ଅତି ସନ୍ତର୍ପଣର ସହ ସାଙ୍ଗରେ ମା'ଙ୍କର କାଚ ବନ୍ଧେଇ ଫ୍ରେମ ଲଗା ଫଟୋଟି ଆଣି ଆସିଥିଲା।ମଜଭୂତ କାନ୍ଥ ଓ କଣ୍ଟାଟିରେ ଟାଙ୍ଗି ଦେଇଥିଲା ତା' ଦୁଃଖ ସୁଖର ସାଥିକୁ।ବେଶି ସମୟ ସେ ଫଟୋ ସହ କଟାଉଥିଲା।କହି ହେଉଥିଲା ନିଜ ଅନ୍ତରର ବେଦନା।ଯେତେ ଥର ସେ ନିଜ ଦେହ ମୁହଁକୁ ସଫା କରୁ ନଥିବ,ଆଇନାରେ ମୁହଁ ଦେଖୁ ନ ଥିବ ତା'ଠାରୁ ଅଧିକ ଥର ସେ ମା'ଙ୍କ ଫଟୋ କୁ ଦେଖେ,ଫଟୋ ସଫା କରେ,ବାରମ୍ବାର କାଚରୁ ଧୂଳିମଳି ଝାଡେ ସତେ ଯେମିତି ଧୂଳିମଳି ଲାଗିଥିବା ଯୋଗୁଁ ମା' ତାର ଶ୍ଵାସକ୍ରିୟା ରେ କଷ୍ଟ ଅନୁଭବ କରୁଛନ୍ତି।


ସୁଖର ସମୟ ସରିଯିବା ପରେ ଏବେ ସେ କେତେ ଯେ ସଂଘର୍ଷରତା ଜଣାଏ ମା'ଙ୍କୁ। ବୟସ ତୁଳନାରେ ଯଥେଷ୍ଟ ବଡ଼ ହୋଇସାରିଛି ସେ।ଏବେ ବ୍ରଶରେ ନିଜେ ନିଜେ ପେଷ୍ଟ ଲଗାଉଛି ।ବିଛଣାକୁ ଯିବା ପୂର୍ବରୁ ଗୋଡ ହାତ ଧୋଇ ଯା'ବୋଲି ଆଉ କେହି କହୁ ନାହାନ୍ତି ତାକୁ।ନିଜ କାମ ସେ ନିଜେ କରିପାରୁଛି।ଖାଲି ଏତିକି ନୁହେଁ ଅନ୍ୟାୟର ପ୍ରତିବାଦ କରିପାରୁଛି।ନିଜ ପାଇଁ ପାଟି ଖୋଲି କିଛି କହିପାରୁଛି।ନିଜ ହାତରେ ପାଣି ଟୋପେ ଆଣି ପିଉ ନ ଥିବା ଝିଅ ଏବେ ରୋଷେଇ କରି ଖାଇବା ଶିଖିଗଲାଣି।ବାପା ଓ ସାନ ଭାଇଭଉଣୀଙ୍କ ଯତ୍ନ ମଧ୍ୟ ନେଇପାରୁଛି।ସାଙ୍ଗମାନେ ଆଗ ଅପେକ୍ଷା ଏବେ ଅଧିକ ବନ୍ଧୁତ୍ୱପୂର୍ଣ୍ଣ ବ୍ୟବହାର କରୁଛନ୍ତି।ସମସ୍ତଙ୍କଠାରୁ ଏବେ ଯଥେଷ୍ଟ ସ୍ନେହ,ମମତା ପାଉଛି ସେ।ହେଲେ ପାଉନି ତ କେବଳ ଜଣଙ୍କୁ। ଦୁଇ ବର୍ଷ ହେବ ମା'ଙ୍କ ଅନୁପସ୍ଥିତିକୁ ସେ ସହଜରେ ଗ୍ରହଣ କରିପାରୁନାହିଁ।ବହୁତ ଏକଲା ହୋଇଯାଇଛି ସେ।ସେଥିପାଇଁ କାନ୍ଥରେ ଟଙ୍ଗାଯାଇଥିବା ସେ ଫଟୋ ଟି ହିଁ ନିଜକୁ ହଜେଇବାର ଏକମାତ୍ର ମାଧ୍ୟମ ଥିଲା ସ୍ମିତାଲିନର।


ମଧ୍ୟରାତ୍ରିରେ କିଛି ଗୋଟେ ଛାତି ଥରେଇଦେବା ପରି ଶଦ୍ଦ ଶୁଣି ନିଦ ଭାଙ୍ଗିଗଲା ତା'ର।ଏ ଶଦ୍ଦ ସେ ଆଗରୁ କେବେ ଶୁଣି ନ ଥିଲା।କେବଳ ଟିଭି,ରେଡିଓ ରୁ ଶୁଣିବା ପରି ମନେ ହେଉଥିଲା ତା'ର।ସେ ବ୍ୟତିବ୍ୟସ୍ତ ହୋଇପଡିଲା।ଏତେ ଜୋରରେ ଶଦ୍ଦ ଆସୁଥିଲା ସତେ ଯେମିତି ତା' ଆଖପାଖରେ କିଏ କୋଉଠି ଗର୍ଜନ କରୁଥିଲା। ଶୋଇବା ଯାଗାରୁ ଉଠି ଆସି ଦେଖିବା ପାଇଁ ମଧ୍ୟ ତା'ର ସାହସ ନ ଥିଲା।ତଥାପି ସାହସ ସଞ୍ଚୟ କରି ନିଜ ଶୋଇବା ଯାଗାରୁ ଉଠି ଆସି ଶଦ୍ଦ ଆସୁଥିବା ବାଡିପଟ କବାଟ ଆଡ଼କୁ ଚାହିଁଲା।କବାଟରେ ଥିବା ବଡ଼ ବଡ଼ କଣାରେ ସେ ପରିଷ୍କାର ଦେଖିପାରୁଥିଲା ଏକ ବିରାଟକାୟ ବାଘ ଗର୍ଜନ କରି କବାଟକୁ ଧକ୍କା ପରେ ଧକ୍କା ଦେଇ ବିଦାରି ଲାଗିଛି।ତା'ର ବିକଟାଳ ଗର୍ଜନ ଏତେ ଭୟାନକ ଥିଲା ଯେ ଡ଼ରରେ ରୁମ ଟାଙ୍କୁରି ହୋଇଯାଉଥିଲା।ଦେହ ସାରା ଝାଳ ଗମଗମ୍ ଗୋଟାପଣେ ଭୟରେ ଥରୁଥାଏ ସେ।


ଏହି ସମୟରେ ଠିକ ଆରପଟ ରୁମରୁ ଭୁସ କରି କଣ ଗୋଟେ ପଡିବାର ଶଦ୍ଦ ଶୁଭିଲା।ବାଘର ଗର୍ଜନ ଠାରୁ ଆହୁରି ଜୋରରେ।ଏପଟେ ବାଘ ଗର୍ଜନକୁ ସେପଟେ କଣ ଗୋଟେ ବିରାଟକାୟ ଭାଙ୍ଗିବାର ଶଦ୍ଦ।ନିଜକୁ ସମ୍ଭାଳିବା କଷ୍ଟକର ହୋଇପଡୁଥାଏ।ଭାରି ଅସହ୍ୟ ଲାଗୁଥାଏ। ମାତ୍ର ଧିରେ ଧିରେ ବାଘର ଗର୍ଜନ ଉଭେଇଗଲା। କବାଟ ଫାଙ୍କରେ ଦେଖେ ତ ବାଘ ଆଉ ନାହିଁ।ସ୍ମିତାଲିନ କୁ ଜାଣିବାକୁ ଆଉ ବାକି ନ ଥିଲା ଘର ଭିତରୁ ଗୋଟେ ବଡ଼ ଓ ଅଦ୍ଭୁତ ଶଦ୍ଦ ଶୁଣି ବାଘ ଡ଼ରି ପଳେଇଥିଲା ବୋଲି।ନିଜକୁ ଟିକେ ଆଶ୍ୱସ୍ତି ମନେ କଲା।ଆରପଟ ରୁମକୁ ଯାଇ କ'ଣ ହେଲା ବୋଲି ଜାଣିବାକୁ ଆଉ ସାହସ ନ ଥାଏ ତା'ର।ସେ ଯାହା ବି ହେଉ ବାଘ ମୁହଁରୁ ତ ରକ୍ଷା ପାଇଗଲା।ଏତେ ଝାଳରେ ଆଉ ଗରମ ରେ ବି ସେ ଘୋଡି ହୋଇ ଶୋଇପଡିଲା।ରାତିରେ ଭଲରେ ଆଉ ନିଦ ନ ହେଲେ ମଧ୍ୟ ସେମିତି ବିଛଣାରେ ପଡିରହିବା ଛଡା ଅନ୍ୟ କିଛି ଉପାୟ ନ ଥିଲା।


ଭୋରରୁ ଉଠି ରାତିର ବାଘ ସହ ସାକ୍ଷାତର ସେ ରୁମଟାଙ୍କୁରା ଘଟଣା ସବୁ ଭାବୁ ଭାବୁ ମନେପଡିଲା ଆରପଟ ରୁମରେ କଣ ଗୋଟେ ପଡିଯିବା କଥା ଯାହାର ପଡିବା ଶଦ୍ଦରେ ବାଘ ବି ଛାନିଆ ହୋଇ ପଳେଇଥିଲା।ସେ ସେହି ରୁମରେ ଯାହା ଦେଖିଲା ନିଜ ଆଖିକୁ ବିଶ୍ବାସ କରିପାରିଲା ନାହିଁ।ଶକ୍ତ କାନ୍ଥ ଓ କଣ୍ଟାରେ ଟଙ୍ଗାଯାଇଥିବା ମା'ଙ୍କର ଫଟୋ ଟି ତଳେ ପଡି କାଚ ସବୁ ଚୁରମାର ହୋଇ ଭାଙ୍ଗିଯାଇଛି।ଯଦିଓ କାନ୍ଥରେ ଟାଙ୍ଗି ପୂଜା କରୁଥିବା ଦେବାଦେବୀ ଙ୍କ ଫଟୋ ନିଜ ସ୍ଥାନରେ ଠିକଠାକ ଅଛନ୍ତି।ଏହି ସମୟରେ କେତେ ଜଣ ଗାଁ ଦାଣ୍ଡରେ କଥା ହେଉଥିବାର ସେ ଶୁଣିଲା କାଲି ରାତିରେ ବାଘ ଦଳ ଗାଁ ଭିତରକୁ ପଶିଆସିଥିଲେ।ମାତ୍ର କ'ଣ ହେଲା କେଜାଣି ଗୋଟେ ବାଘ ଅଚାନକ ଏକ ମୁହାଁ ହୋଇ ଜଙ୍ଗଲ ଆଡ଼କୁ ଧାଉଁ ଧାଉଁ ବାକି ବାଘମାନେ ତାକୁ ଦେଖି ଜଙ୍ଗଲ ମୁହାଁ ହୋଇ ଧାଇଁ ପଳେଇଲେ।ଭାଗ୍ୟ ଭଲ କାହାର କାହାର କିଛି ଅସୁବିଧା ହୋଇନି।ସେ ଜାଣିସାରିଥିଲା ରାତିରେ ସେ ଏକା ନ ଥିଲା ତା' ସହ ଥିଲେ ବିପଦରେ ତାକୁ ସବୁବେଳେ ସାହା ହେଉଥିବା ତା'ର ଜନ୍ମଦାତ୍ରୀ। ଲାଗୁଥିଲା ମା' ଯେମିତି ବାଘ ମୁହଁରୁ ନିଜ ଅଲିଅଳି ଝିଅକୁ ବଞ୍ଚେଇବା ପାଇଁ ଯମ ପୁରରୁ ଓହ୍ଲାଇଆସିଥିଲେ।ସ୍ମିତାଲିନ ହାତରେ ଉଠେଇ ନିର୍ବିକାର ଭାବରେ ଚାହିଁ ରହିଥାଏ ମା'ଙ୍କର ସେହି ଫଟୋକୁ।ଘର ସାରା ସେ ଅନୁଭବ କରୁଥାଏ ମା' ଙ୍କୁ।ଦେଖୁଥାଏ ତାଙ୍କୁ ଏଠି ସେଠି ସବୁଠି।ଆଖିର ଦୁଇ ଧାର ଅଶ୍ରୁ ସହ ମୁଣ୍ଡ ନୁଆଇଁ ପ୍ରଣିପାତ କରୁଥାଏ ମା'ଙ୍କୁ ଓ ମାତୃଶକ୍ତି କୁ।






ପ୍ରୀତିପ୍ରିୟା ମହାନ୍ତି, ମୟୂରଝାଲିଆ, ରଣପୁର, ନୟାଗଡ଼

Post a Comment

0 Comments