Children World

ଓଡିଆ ସାହିତ୍ୟ ଓ ସଂସ୍କୃତିର ନିଆରା ସ୍ଵର... ତିନିଶହରୁ ଉର୍ଦ୍ଧ ଲେଖକ ଲେଖିକା ଏବଂ ଦୁଇଲକ୍ଷରୁ ଉର୍ଦ୍ଧ ପାଠକ ପାଠିକା ମାନଙ୍କର ପ୍ରିୟ ଇ-ସାହିତ୍ୟ ୱେବ ପୋର୍ଟାଲ ବଣମଲ୍ଲୀର ମହକ ଆପଣଙ୍କୁ ସ୍ଵାଗତ ଜଣାଉଛି ।

ବିଘ୍ନକର୍ତ୍ତା ଗଣେଶ୍ୱର - ଚିତ୍ତରଞ୍ଜନ ସାହୁ

ହେ ପ୍ରଭୁ ଗୌରୀ ନନ୍ଦନ।
ତୁମ୍ଭ ନାମରେ ଏ ବନ୍ଦନ।।
ଯା' ନାମେ ସର୍ବ ବିଘ୍ନ ଦୂର।
ସେହି ଅଟନ୍ତି ବିଘ୍ନେଶ୍ବର।।
ଯାହାଙ୍କର ଗଜ ମସ୍ତକ।
ଯାହାଙ୍କର ପ୍ରିୟ ମୋଦକ।।
ମୂଷିକ ଯାହାଙ୍କ ବାହନ।
ଅଟନ୍ତି ସେହୁ ଗଜାନନ।।
ବିଦ୍ୟା ବୁଦ୍ଧିର ତୁମ୍ଭେ ଶ୍ରଷ୍ଟା।
ଜ୍ଞାନେ ଲଭିଛ ପରାକାଷ୍ଠା।।
ବୁଦ୍ଧି ସାଗରର ଭଣ୍ଡାର।
ନମସ୍ତେ ପ୍ରଭୁ ଗଣେଶ୍ୱର।।
ଜ୍ୟୋତିର୍ଲିଙ୍ଗ କୁ ସଂଗେ ନେଇ।
ଦଶାନନ ମନେ ଚିନ୍ତଇ।।
ଶିଘ୍ରଟି ନେବି ଲଂକାପୁର।
ହେବି ମୁଁ ଅଜର ଅମର।।
ଭାଲେଣି ପଡିଲା ଦେବରେ।
ରାବଣ ନେଲେ ସଂଗତରେ।।
ଏବେଜେ କି କାର୍ଯ୍ୟ ହୋଇବ।
ନିଶ୍ଚେ ସେ ଅଜର ହୋଇବ।।
ଏ ଦେଖି ପ୍ରଭୁ ବିଘ୍ନେଶ୍ବର।
ହରିଲେ ବିଘ୍ନ ଦେବଙ୍କର।।
ବ୍ରାହ୍ମଣ ବାଳକ ବେଶରେ।
ମିଳିଲେ ଯାଇଁ ରାବଣରେ।।
କହିଲେ ଶିବ ଲିଙ୍ଗ ନେଇ।
କୁଆଡେ ଯାଉଛନ୍ତି ବେଗେ।।
ବ୍ରାହ୍ମଣ ବାଳକକୁ ଦେଖି ।
ଆଶ୍ଚର୍ଯ୍ୟ ହେଲେ ଦଶମୁଖୀ।।
ସମୁଦ୍ର ତଟର ପାଶରେ।
ବ୍ରାହ୍ମଣ ବାଳକ କି କରେ।।
ଶୁଣରେ ବ୍ରାହ୍ମଣ ବାଳକ।
ସେଥିରୁ କି ଅବା ମିଳିବ।।
ମୋ ପିଛା ଛାଡି ଦୂରେ ଯାଅ।
ଜାଣିନ ମୋର ପରିଚୟ।।
ଏ ଶୁଣି ପ୍ରଭୁ ଗଣେଶ୍ୱର।
ବିମୁଖ ହେଲେ ରାବଣର।।
ସନ୍ଧ୍ୟା ବନ୍ଦନ ପୂଜାପାଇଁ।
ରାବଣ ମନେ ଚିନ୍ତୁ ଥାଇ।।
କି ଏବେ କରିବିଟି ମୁହିଁ।
କେଉଁଠି ଦେବି ପ୍ରଭୁଥୋଇ।।
ଭୂମି ସ୍ପର୍ଶରେ ଜ୍ୟୋତିର୍ଲିଙ୍ଗ।
ରହି ଯିବ ଯେ ତହିଁ ସର୍ବ।।
ରାବଣ କି ଅବା କରିବ।
କହି ଅଛନ୍ତି ମହାଦେବ।।
ଜ୍ୟୋତିର୍ଲିଙ୍ଗ କୁ ଭୂମିପରେ।
ରଖିଲେ ରହିବ ତହିଁରେ।।
ଆଉ ଯେ ନନେଇ ପାରିବ।
ରାବଣେ କହିଥିଲେ ଶିବ।।
ରାବଣ ମନେକିଛି ଭାବି ।
ବ୍ରାହ୍ମଣ ବାଳକକୁ ଡାକି।।
କହିଲେ ଶୁଣ ରେ ବାଳକ।
ସାହାଯ୍ୟ କରିବକି ଏକ।।
ମାୟା ରଚିଲେ ଗଣେଶ୍ୱର।
ରାବଣ କହେ ଦ୍ଵିଜବର।।
ସନ୍ଧ୍ୟା ବନ୍ଦନ କର୍ମ ପାଇଁ।
ସମୟ ହେଲାଣି ଗୋସାଇଁ।।
ଜ୍ୟୋତିର୍ଲିଙ୍ଗର କି କରିବି।
ପୃଷ୍ଠେ ରଖିଲେ ନ ଲଭିବି।।
ତୁମେ କି ଏହାକୁ ଧରିବ।
ମୋର କାର୍ଯ୍ୟରେ ସାହାହେବ।।
ବାଳକ ବେଶେ ଏକଦନ୍ତ।
କହିଲେ ଶୁଣ ବଳବନ୍ତ।।
ତିନିଥର ମୁ ଡାକ ଦେବି।
ସେ ଯାଏଁ ଅପେକ୍ଷା କରିବି।।
ଲାଗୁଛି ଏହା ଅତି ଭାରି।
କିଛି ସମୟ ଦେବି ଧରି।।
ତହିଁରୁ ବିଳମ୍ବ ହୋଇଲେ।
ଜାଣିବ ରଖିଦେବି ତଳେ।।
ତିନି ଡାକ ପୂର୍ବୁ ଆସିବି।
ତଳେ ରଖିବାକୁ ନଦେବି।।
କହିଲେ ଦଶାନନ ତେବେ।
ଶୁଣହେ ବ୍ରାହ୍ମଣ ବାଳକ।।
ରଖିବନି ଏହାକୁ ଭୂମିରେ।
ଅତ୍ୟନ୍ତ ଦୁର୍ଲଭ ମହୀରେ।।
ଅନେକ ଜନ୍ମ ତପ ବଳେ।
ଜ୍ୟୋତିର୍ଲିଙ୍ଗ ମିଳେ ସଫଳେ।।
ଜ୍ୟୋତିର୍ଲିଙ୍ଗଙ୍କୁ ହାତେ ଦେଇ ।
ଗଲେ ସନ୍ଧ୍ୟାବନ୍ଦନ ପାଇଁ।।
ଥରକୁ ଥର ବହୁ ଥର।
ଜଳ ଆଣନ୍ତି ଯୋଡି କର।।
ପ୍ରତ୍ୟେକ ଥର ଜଳ ମଧ୍ୟେ।
ପଙ୍କ ଯେ ଥାଏ ଜଳ ସଂଗେ।।
ଏ ମାୟା ଅଟେ ପ୍ରଭୁଙ୍କର।
ରାବଣ ହେଲାଣି ଆତୁର।।
ଏକରୁ ଦୁଇ ଡାକ ଶୁଣି।
ରାବଣ ମନରେ ଭାଲେଣି।।
ବାଳକ ବେଶେ ଗଜାନନ।
କହିଲେ ଶୁଣ ଦଶାନନ।।
ଆଉ ମୁଁ ପାରୁନି ସମ୍ଭାଳି।
ଶୀଘ୍ରହେଁ ଆସ ମହାବଳୀ।।
ଏ ଶୁଣି ରାବଣ ତତ୍ପର।
ଜଳରୁ ଉଠୁନାହିଁ ଗୋଡ।।
ମାୟା ବନ୍ଧନେ ବାନ୍ଧିହୋଇ।
ରାବଣ ଚିତ୍କାର କରଇ।।
ରାବଣ କୁହନ୍ତି ବାଳକ।
ନଯିବା ଯାଏଁ ଧରିରଖ।।
ତିନୋଟି ଡାକ ପୁରିଗଲା।
ଜ୍ୟୋତିର୍ଲିଙ୍ଗ ତଳେ ରହିଲା।।
ଗୋକର୍ଣକ୍ଷେତ୍ର ସିଦ୍ଧ ହେଲା।
ବିଘ୍ନକର୍ତା ନାମ ମିଳିଲା।।
ଏହାକୁ ଦେଖି ଦଶାନନ।
ପୁନଶ୍ଚ କରିଲେ ଗମନ।।
କହିଲେ ଶୁଣ ଭୋଳାନାଥ।
ଦେବତା କଲେ ଷଡ଼ଯନ୍ତ୍ର।।
ବାଳକ ବେଶେ କେହି ଯାଇ।
ବୁଦ୍ଧି ହରିଲେ ମୋର ସେହି ।।
ପୁନଶ୍ଚ ଜ୍ୟୋତିର୍ଲିଙ୍ଗ ଦିଅ।
ଭକ୍ତରେ ହୁଅନ୍ତୁ ସହାୟ।।
କହିଲେ ଜଗତଜନନୀ।
ପୁନଶ୍ଚ ସେହୁ ମିଳିବନି।।
ରକ୍ଷା ନକଲ ବରଦାନ।
ପୁନଶ୍ଚ ମାଗୁଛ ସମାନ।।
ତୁମ୍ଭରି ରାଜ୍ୟର ନଗରୀ।
ଚତୁର୍ପାଶ୍ୱରୁ ଦେବି ଘେରି।।
ଚାମୁଣ୍ଡା ରୂପରେ ରହିବି।
ଯେ ଯାଏଁ ଧର୍ମ ଦେଖୁଥିବି।।
ଏମନ୍ତ ଶୁଣି ଦଶାନନ।
ସେଠାରୁ କରିଲେ ପ୍ରସ୍ଥାନ।।
ଏମନ୍ତେ ବିଘ୍ନ ହରି ନେଲେ।
ଦେବଙ୍କୁ ସହାୟ ହୋଇଲେ।।
ତାଙ୍କରି ମହିମାରୁ ଖିଏ।
ପଢିବ ଥରୁଟିଏ ଯିଏ।।
ଭାଗ୍ୟହୋଇବ ଅନୁକୂଳ।
ଲଭିବ ମୁକ୍ତି ସେ ସଅଳ।।
ଅଜ୍ଞାନ ମୋର ଜ୍ଞାନ ନାହିଁ।
ଯାହା ଲେଖିଛି ତୁମ୍ଭପାଇଁ।।
ପ୍ରମାଦ ଥିଲେ କ୍ଷମାକର।
କରୁଛି କୋଟି ନମସ୍କାର।।


ଚିତ୍ତରଞ୍ଜନ ସାହୁ, ସିଙ୍ଗିରି, ଆଳି, କେନ୍ଦ୍ରାପଡା

Post a Comment

0 Comments