Information

ଓଡିଆ ସାହିତ୍ୟ ଓ ସଂସ୍କୃତିର ନିଆରା ସ୍ଵର... ତିନିଶହରୁ ଉର୍ଦ୍ଧ ଲେଖକ ଲେଖିକା ଏବଂ ଦୁଇଲକ୍ଷରୁ ଉର୍ଦ୍ଧ ପାଠକ ପାଠିକା ମାନଙ୍କର ପ୍ରିୟ ଇ-ସାହିତ୍ୟ ପୋର୍ଟାଲ ବଣମଲ୍ଲୀର ମହକ ଆପଣଙ୍କୁ ସ୍ଵାଗତ ଜଣାଉଛି ।

ନାରୀ ସିଏ - କବିତା ପଟ୍ଟନାୟକ


ନାରୀ ସିଏ !
ନିରୁକ୍ତ ଅବସାଦ ଘେରା
କୁଢ କୁଢ ଭଗ୍ନାଂଶ ର ଶିଢି ଚଢି
ଅଲୋଡା ଦୀର୍ଘଶ୍ୱାସ ସବୁକୁ ଗୋଟାଉ ଗୋଟାଉ
କ୍ଲାନ୍ତ ଶିରାଳ ହାତକୁ ଆପଣେଇ ନିଏ
ନାରୀ ସିଏ ,
ଯା'ର ସଂବେଦନାର ଆବେଗ
ପ୍ରତି ମୂହୁର୍ତ୍ତ ରେ ନିଲାମ ହେଉଥାଏ ,
ନାରୀ ସିଏ!
ନିଛାଟିଆ ଫଗୁଣର
ଧୂଳିମଖା ସ୍ୱପ୍ନ ର ରାତି ମାନଙ୍କୁ
ନିଦାରୁଣ ଖରାରେ ସିଝାଇ
ଅନାବନା ବର୍ଷା ର ବିତ୍ପାତେ
ଭିଜିଭିଜି ଜଳୁଥାଏ ,
ନାରୀ ସିଏ !
ଅଡୁଆ ସଂପର୍କ ର ଦାଢୁଆ ଧାରରେ
ଧାରଧାର ରକ୍ତ ହୋଇ ଝରୁଥାଏ
ନାରୀ ସିଏ!
ସେ ଶାଗୁଆ ଆକାଂକ୍ଷାର
ବିମୁକ୍ତ ଗୋଧୂଳି
ଫେରନ୍ତା ଗୋଧଳ ର ଖୁରାଘାତେ
କ୍ଷତାକ୍ତ ,ତା'ର ଉପେକ୍ଷିତ ଆପଣାର
ମୂହୁର୍ତ୍ତ ମାନଙ୍କୁ ମହାର୍ଦ ର ମହାର୍ଘ ରେ
କୋଳେଇ ସେ ନିଏ ,
ନାରୀ ସିଏ !
ତା'ଯନ୍ତଣାର ପୃଷ୍ଠା ସବୁ ହସୁଥାଏ
ତା'ଅବସୋସ ର ଦିନ ସବୁ
କଦମ୍ବ କଦମ୍ବ ବାସୁଥାଏ
ନାରୀ ସିଏ !
ହରିଦ୍ରାର ନୀଳ ଶୈକତରେ
ଝୋଟିଭଳି ଝଟକୁ ସେ ଥାଏ ,
ନାରୀ ସିଏ !!


କବିତା ପଟ୍ଟନାୟକ, ଖୋର୍ଦ୍ଧା

Post a Comment

0 Comments