କହିବୁଟି ଥରେ ନାମଟି ତୋର କିଏ ରଖିଲା
ଭାବପ୍ରବଣତା ନରଖି ସେ ଯେ ବହି ଆସିଲା।
ଅତିନିକଟରୁ ଦେଖିଛି ତତେ ଆମ୍ରବନରେ
କିସୁନ୍ଦର କୂଳୁ ନାଦରେ ବହି ଯାଉଛି ଦୂରେ।
କାଚକେନ୍ଦୁ ପରି ଜଳକୁ ତୋର ବକ୍ଷରେ ବୋହୁ
ଭାରିସରଧାରେ ଚାହିଁଲେ ମୋର ମନ ତୁ ମୋହୁ।
କେତେ ବର୍ଷତଳୁ ଆସିଛୁ କହ ଧରାଧାମରେ
ଠିକଣା ଖୋଜି ମୁଁ ପାଉନି ମୁଣ୍ଡ କାହିଁକି ଘୁରେ।
ସାକ୍ଷୀ ରହିଅଛି ଧଉଳିଗିରି ମୁଣ୍ଡଟେକିଣ
ଅଙ୍କେଇବଙ୍କେଇ ଯାଇଛି ତାର ପାଦତଳେଣ।
କୁରୁକ୍ଷୀମୁଣ୍ଡିଆ ଦେଖଇ ତତେ ନିରେଖିକରି
ସେଥିପାଇଁ ବୋଧେ ଲାଜରେ ସେଠି ହେଉଛୁ ପାରି।
ଶୋଭାବର୍ଦ୍ଧନରେ ମଣ୍ଡିତ ତୋର ଚାରୁଚାତିରୀ
କ୍ଷୀପ୍ରବେଗେ ଧାଇଁ ଯାଉଛି ଦେଖ ମନକୁ ମାରି।
କାର୍ତ୍ତିକ ମାସରେ ଯେବେ ମୁଁ ଯାଏ ତୋର ପଠାକୁ
ଅଶ୍ରୁଝରିଯାଏ ଆଖିରୁ ଦେଖି ବିସନ୍ନତା କୁ।
ମନଦୁଃଖେ ବହିଯାଉଛୁ କାହିଁ କହଲ ମତେ
ତତେ ନୀଳକଣ୍ଠ ସାହା ଲୋ ତାଙ୍କୁ କରେ ନମସ୍ତେ।
ବୁଢ଼ାବୁଢ଼ୀମାନେ ଆସନ୍ତି ସ୍ନାନ କରିଣ ପାଶେ
ମନଆନନ୍ଦରେ ଫେରନ୍ତି ହୋଇ ଅତିଉଲ୍ଲାସେ।
ଶ୍ରାବଣମାସରେ ତୋ ଦେହେ କଳାଭଉଁରୀ ଖେଳେ
ଅଭିମାନେ ରାଗି ଯାଉକି ତୋର ମନମଉଳେ।
ବାଲ୍ୟକାଳେ ଯେବେ ଦେଖିଲି ମୁଁହି ପିତା ସଂଗରେ
କୂଳଲଂଘିଥିଲୁ ସେବେଳେ ମନ ଆଜିବି ସ୍ମରେ।
ଉଗ୍ରରୂପ ଦେଖି ତୋହର କେତେ ପ୍ରଶ୍ନକରିଲି
ଶାନ୍ତହୋଇଯିବା ପାଇଁକି ତତେ ନେହୁରା ହେଲି।
ଅଧିବାସୀଙ୍କର ଆକାଂକ୍ଷା ତୋର ପଠାରେ ଥାଏ
ଫଳମୂଳେ ଭରି ସବୁଜ ଚାଷୀ ଗୀତକୁ ଗାଏ।
ଏତେ ସୁନ୍ଦରିଆ ନାମଟି ତୋର କିଏ ରଖିଲା
ସେହିଭାବରଖି ବହିବୁ ମୋର ରାଣ ରହିଲା।
ଇତିହାସେ ସାକ୍ଷୀ ରହିଛି ତୋର ବକ୍ଷ ମଧ୍ୟର
ଲକ୍ଷେକ ଓଡ଼ିଆ ରକ୍ତରେ ଭିଜିଥିଲା ଉଦର।
ଚଣ୍ଡାଶୋକ ତତେ ଦେଖିଣ ହୋଇଗଲେ ନିର୍ବାକ
ବୌଦ୍ଧେମନ୍ରେ ହୋଇ ଦୀକ୍ଷିତ ରଖିଥିଲେ ତୋ ଟେକ।
କି ମାୟା କରିଲୁ କହଲ ମତେ ଥରେ ମାତର
ଧର୍ମାଶୋକ ହୋଇ ଫେରିଲେ ଧର୍ମ ହେଲା ପ୍ରଚାର।
କେତେବେଳେ ଯଦି ଅଭାଗା ତୋର କୂଳକୁ ଯିବ
ଧରିରଖିବୁ ମୋ ଭସ୍ମକୁ ଆତ୍ମା ପବିତ୍ର ହେବ।
ଏଇ ଆଶୀର୍ବାଦ ଦେବୁ ମା ଯେବେ ଯିବ ମୋ ପ୍ରାଣ
ପୁର୍ନଜନ୍ମେ ପୁଣି ଜନମି ସେଠି କରିବି କର୍ମ।
ପୁର୍ନବାର ତତେ ଦେଖିବି ଆଉ କେତେ ବରଷ
ତୋ ଆୟୁ ଯମାରୁ ନପୂରୁ ସୃଷ୍ଟି ହେଉ ବିଧ୍ବଂସ।
ମାନସ ରଞ୍ଜନ ପଟ୍ଟନାୟକ
ନିମବସନ୍ତ, ହରିରାଜପୁର, ଜଟଣୀ, ପୁରୀ - ୭୫୨୦୫०
ଦୟାନଦୀ - ମାନସ ରଞ୍ଜନ ପଟ୍ଟନାୟକ
September 10, 2018
0