ବାତ୍ୟା ଜନିତ ଅସୁବିଧା କାରଣରୁ କ୍ଷୁଦ୍ରଗଳ୍ପ ଓ କବିତା ପ୍ରତିଯୋଗିତାର ଫଳାଫଳ ମେ - ୧୦ ତାରିଖ ପରିବର୍ତ୍ତେ ଚଳିତ ମାସ ୩୧ ତାରିଖ ସୁଧା ଘୋଷଣା କରାଯିବ । ଏବଂ ଚଳିତ ମାସ ୨୩ ତାରିଖ ଠାରୁ କବିର ଘର ପ୍ରସ୍ତୁତ "ଆଜିର ଅତିଥି" କାର୍ଯ୍ୟକ୍ରମର ସାପ୍ତାହିକ ପ୍ରସାରଣ ସେବା ଆରମ୍ଭ ହେବ । ଅନିଚ୍ଛାକୃତ ଅସୁବିଧା ନିମନ୍ତେ ଦୁଃଖିତ ।

ଆହେ ଆରତନାଶନ ହରି - ରମେଶ ଚନ୍ଦ୍ର ମିଶ୍ର

ଆହେ ଆରତନାଶନ ହରି - ରମେଶ ଚନ୍ଦ୍ର ମିଶ୍ର

ଆହେ ଆରତ ନାଶନ ହରି
ଆଜାନୁ ଲମ୍ବିତ କର ଯୁଗଳକୁ
                   ଆଶ୍ରା ଦିଅ ଦଇତାରୀ।୦
ଆସ ଆସ ବୋଲି ପତିତପାବନ
                  ଆମନ୍ତ୍ରୁଛି ଭକତଙ୍କୁ
ଆତୁରେ ଭକତ ଶରଣ ପଶୁଛି
                ଆସି ତୁମ ଦେଉଳକୁ
ଆପତ୍ତି ଶୁଣ ହେ ନୀଳଗିରିନାଥ
               ଆନନ୍ଦକନ୍ଦ ମୁରାରୀ ।୧
             
ଆପଦେ ବିପଦେ ସାହା ହୁଅ ବୋଲି
                ଆଗରୁ ରହିଛି ଖ୍ୟାତି
ଆଶରା ମିଳଇ ନିରାଶ୍ରୟ ଜନେ
               ଆତ୍ମଜ ପରାଏ ନୀତି
ଆଶା ଭରସାର ତୁମେ ମହାବିନ୍ଦୁ
               ଆଦରି ନିଅ ଶ୍ରୀହରି । ୨

ଆତଙ୍କ ବେଳରେ ମୃଗୁଣୀ ରଖିଲ
              ଆତଙ୍କିତ ଗଜରାଜ
ଆତୁରା ସଖୀକୁ ବାସ ବିତରିଣ
             ଆଚ୍ଛାଦିଲ ତାର ଲାଜ
ଆଜନମ ମହାପାପୀ ଅଜାମିଳ
              ଆବାହନେ ଦେଲ ତାରି । ୩

ଆଜନମ ଦୁଃଖୀ ମୁଁ ଜଣେ ପାତକୀ
               ଆସିଅଛି ତୁମ ପାଶ
ଆତ୍ମୀୟତା ପଣେ ରଖ ଶ୍ରୀଚରଣେ
               ଆପଣେଇ କର ଦାସ
ଆତ୍ମାର ବନ୍ଧୁ ତୁମେ ଦୀନବନ୍ଧୁ
                ଆପଣାର ନରହରି । ୪


ରମେଶ ଚନ୍ଦ୍ର ମିଶ୍ର, ସମ୍ପାଦକ, ତ୍ରିଧାରା ସାହିତ୍ୟ ସଂସଦ, ବଇଣ୍ଡା

0 Comments