କୁହ ହେ ବରଷା କାହିଁ ରାଗ ରୁଷା
ଝରାଅ ସଲୀଳ ଭିଜେ ମୋ ଦେହ
ଜଳୁ ଅଛି ଯେଉଁ ନିଆଁରେ ମୁଁ ଆଜି
ଶତ ବରଷାରେ ଲିଭେନା କୋହ....

ତୁମେ ବର୍ଷା ରାଣୀ କହିବ କି ପୁଣି
କାହିଁକି ଜଗାଅ ହୃଦୟେ ପ୍ରୀତି
ଜଳିବ କି ଥରେ ଲିଭିଗଲା ପରେ
ସାଇତା ସପନ ସାଜିଛି ସ୍ମୃତି.....

ମନ ମରୁବାଲି ଯାଇଛି ସେ ଭୁଲି
ତପତ ମୋ ଦେହ ହୃଦୟ ଶୂନ୍ୟ
ଶୁଖିଲା ପାଦପ ସାଜି ଅଛି ସୁପ୍ତ
ବୁଝୁନାହିଁ ମୋର ଅବୁଝା ମନ...

ଅସରା ଅସରା ବରଷାର ଧାରା
ଅବିରତେ ଢାଳ ଆକାଶୁ ବାରି
ହୃଦୟର କୋହ ମୋ ଆଖିର ଲୁହ
ତୁମରି ସ୍ପର୍ଶରେ ଯାଉଛି ଝରି....

କହିବ କି ଥରେ ଭାଙ୍ଗିଗଲା ପରେ
ବିରହ ଜ୍ବାଳାରେ ମନ ଓ ତନ
ଅତୀତ ର କଥା ମନେ ଭରେ ବ୍ୟଥା
କାହା ଲାଗି ନିତି ଦେଖ ସପନ...


ପବିତ୍ର କୁମାର ନାୟକ,
କେଲୁଆପଲ୍ଲୀ, ଗଞ୍ଜାମ-୭୬୦୦୦୩