ଶାରଦୀୟ ହେତୁ

0
🌹 *ଶାରଦୀୟ ହେତୁ* 🌹


କିଏ ସେ ଭରିଛି ସବୁଜର ରଙ୍ଗ
ପାହାଡ଼ ବନାନୀ କ୍ଷେତେ,
ଯହିଁ ଦେଖ ତହିଁ ସ୍ବର୍ଗୀୟ ସର୍ଜନା
ଖେଳଇ ଅଧିର ଚିତ୍ତେ ।
ଝୁମେ ବୃକ୍ଷରାଜି ମଳୟ ପରଶେ
ବିଭୋରିତ ମନ ତା'ର,
ବିକଶିତ ଦେହେ ଲଭୁଅଛି ସିଏ
ଧରଣୀ ମାଆର ବର ।
ରଙ୍ଗଣୀ ରୋଶଣି ରୋମାଞ୍ଚିତ କରେ
ମରାଳଗାମନୀ ହିଆ ,
ଭସା ବଉଦର ମେଳନ ହେଲାଣି
ଗାଇଲାଣି କୁମ୍ଭାଟୁଆ ।
ଫରଚା ହେଲାଣି ନୀଳ ଆକାଶଟି
ଚମକିବ ଉଡ଼ାଣରେ,
କୋମଳ କୋଳରେ ବିମୋହିତ ସର୍ବେ
ନାଚିବେ ପୂରିତ ସ୍ବରେ ।
ଜାଗି ଉଠେ ମନ ନିର୍ଝରିଣୀ ସମ
ଉଚ୍ଛ୍ବାସିତ ସର୍ପଣରେ,
ହୁଅଇ ଅଧୀରା ସତେ ଧୀରାଧୀରା
ବିଳମ୍ବିତ ମିଳନୀରେ।
ସକାଳ ସନ୍ଧ୍ୟାରେ କାକର ବିନ୍ଦୁରେ
ନରମୀ ଯାଏଟି ଦେହ,
ଛାୟାକାନ୍ତ ସଙ୍ଗେ ବେପରୁଆ ଢ଼ଙ୍ଗେ
କାଶତଣ୍ଡି ତ୍ୟାଗେ ମୋହ ।
ହର୍ଷେ ବିହ୍ବଳିତ ସଂସାରୀର ନୀଡ଼
ଆଗତ ଭବ୍ୟ ଜୀବନ
କି ଆନନ୍ଦମୟ ମାତାର ଭୂବନ
ଦେଖି ଆହ୍ଲାଦିତ ପ୍ରାଣ ।

*ପ୍ରଶାନ୍ତ କୁମାର ସାହୁ,ଛତ୍ରଗଡ଼,ଖୋର୍ଦ୍ଧା*

Post a Comment

0Comments
Post a Comment (0)