Children World

ଓଡିଆ ସାହିତ୍ୟ ଓ ସଂସ୍କୃତିର ନିଆରା ସ୍ଵର... ତିନିଶହରୁ ଉର୍ଦ୍ଧ ଲେଖକ ଲେଖିକା ଏବଂ ଦୁଇଲକ୍ଷରୁ ଉର୍ଦ୍ଧ ପାଠକ ପାଠିକା ମାନଙ୍କର ପ୍ରିୟ ଇ-ସାହିତ୍ୟ ୱେବ ପୋର୍ଟାଲ ବଣମଲ୍ଲୀର ମହକ ଆପଣଙ୍କୁ ସ୍ଵାଗତ ଜଣାଉଛି ।

କ୍ଷୁଦ୍ରଗଳ୍ପ - ଚକ୍ରବତ୍ - ସତ୍ୟ ପ୍ରକାଶ ସେଠୀ

ମଣିଷ ପ୍ରେମର ପୂଜାରୀ । ଜ୍ଞାତରେ ହେଉ ବା ଅଜ୍ଞାତରେ, ସେ ଅନ୍ୟକୁ ପ୍ରେମ କରି ବସେ । ପ୍ରେମର ସଫଳତା ପାଇଲେ, ସେ କୃତିତ୍ୱର ପାହାଚ ଗୁଡ଼ାକ ଗୋଟାଏ ପରେ ଗୋଟାଏ ଚଢିଯାଏ । ମାତ୍ର ତହିଁରେ ବିଫଳ ହେଲେ,ସେ ଭଗ୍ନ ମନୋରଥ ହୋଇ, ସେଇଠି ବସିପଡ଼େ । ସତେକି ତା’ ଜୀବନର ସମସ୍ତ ବିକାଶ ସେଇଠି ବନ୍ଦ (ସିଲ୍) ହୋଇଯାଏ । ରାଜା ସହରୀ ଶିକ୍ଷା ଓ ସଭ୍ୟତାରେ ବଢି ଥିଲେ ହେଁ, ସହରୀ ଛାପ, ତା’ଠାରେ ତିଳେ ହେଁ ନଥାଏ । ସବୁବେଳେ ନିରୁଦ୍ବେଗ, ସ୍ଥିର, ନିସ୍ତେଜ, ନିର୍ବିକାର ଓ ଉଦାସୀନ । ପୁଣି ପ୍ରେମ ବ୍ୟାପାରରେ ତ ସେ ସୁଦ୍ ମଫଟାଏ, ଟିକିଏ ବୋଲି ରସିକତା ନାହିଁ । ନିହାତି ବେରସିକ । କିନ୍ତୁ ଦେଖିବାକୁ ରାଜ କୁମାର ପରି । ଅଚଳାଚଳ ସଂପତ୍ତି । ଧନୀ ଘରର ପିଲା । ବାପା ମା’ଙ୍କର ଗୋଟିଏ ବୋଲି ଛୁଆ । ତେଣୁ ମୋଟା ସୁନା ଚେନ୍ ପକାଇ ଇଉନିଭରସିଟି ଆସେ । କାର ଧରି ବୁଲେ । ଭାରି ପଇସା ବାଲା ଘରର ପିଲା ଦେଖି; କିଏ କେତେ ଫାନ୍ଦରେ ପକାଏ । ଲାଇନ୍ ମାରେ । ହେଲେ ଟୋକାଟା ଆଦୌ ଫସେ ନାହିଁ,କି କାହା କଥାରେ ବହରି ଯାଏ ନାହିଁ ।

ଦିନେ ରାଣୀ ଦିବ୍ୟା ସହ ବ୍ୟାଟ୍ ଲଗାଇଲା- “ମୁଁ ଯଦି ସେଦିନର ଲକ୍ଷେ ହୀରାକୁ ବଳି, ଆଜିର ଗୌତମ ବୁଦ୍ଧଙ୍କୁ ଫସେଇ ନପାରିବି, ତା’ହେଲେ ଇନ୍ଭରସିଟି ମାଟି ମାଡ଼ିବି ନାହିଁ” । ସେଦିନ ରାଜା ଲାଇବ୍ରେରୀରେ ବହିର ପାହାଡ଼ ଭିତରେ ଗୋଟିଏ କୋଣକୁ ବସି ପଡ଼ିଥାଏ । ଯେପରି କାହାରି ନଜର, ସେଠି ନପଡ଼େ । ଚାରି ଆଡ଼େ କାମ୍ ଏଣ୍ଡ କ୍ୱାଇଟ୍ । ଏକଦମ୍ ପିନ୍ ଡ଼୍ରପ୍ ସାଇଲେନ୍ସ । ନିଶ୍ଚଳ-ନିସ୍ତବ୍ଧ ପରିବେଶ । ହଠାତ୍ ରାଣୀ ପଶି ଆସିଲା । କହିଲା – “ହାଏ ସୁଇଟ୍ ! ଲଭ; ଲଭ । ଆଇ ଲଭ୍ ଇଉ” । ରାଜା କିଛି ବୁଝି ପାରିଲା ନାହିଁ । ଖାଲି ବୋକାଙ୍କ ଭଳି ଚାହିଁ ରହିଲା । ଦିବ୍ୟା ନିକଟରେ ଛପି ରହି ସବୁ ଦେଖୁଥାଏ । କଅଣ ଗୋଟାଏ ମୁହଁ ମୋଡ଼ି ଇସାରା କରୁଥାଏ । ବୋଧହୁଏ, ପରାଜୟର ପରାଭବ ଦେଉଥାଏ । ଏଥର ରାଣୀ ଆହୁରି ନିକଟବର୍ତ୍ତୀ ହେଲା । ଗୌତମଙ୍କର ଧ୍ୟାନ ଭଗ୍ନ କରିବାକୁ ଚିବୁକରେ ଆଙ୍କି ଦେଲା, କେତୋଟି ଚୁମ୍ବନର କୁଙ୍କମ ରେଖା । ସଙ୍ଗେ ସଙ୍ଗେ ଏକ ଅପୂର୍ବ ଶିହରଣରେ ଶିହରିତ ହୋଇ ଉଠିଲା; ରାଜାାର ଶରୀରେ ଝଲସି ଗଲା ବିଦ୍ୟୁତର ଚମକ୍ । ମନରେ ଭରିଗଲା ଅହେତୁକ ପୁଲକ । ହୃଦୟରେ ସବୁତକ ଭାଷା ଅଭିବ୍ଯକ୍ତ ଲଭିବାକୁ ବ୍ୟସ୍ତ ହୋଇ ଉଠିଲା । ଆଖିରେ ଆଖିରେ ପ୍ରିୟାର ଅନେକ ସନେ୍ଦଶ, ସ୍ନେହ ସମ୍ଭାଷଣ, ପ୍ରଥମ ପ୍ରେମର ସ୍ପର୍ଶରେ, ରାଜା ଯେ ଆତ୍ମ ବିଭୋର ହୋଇ ପଡ଼ୁଥାଏ, ହେଲେ କିଛି କହିପାରିଲା ନାହିଁ । ଅନତି ଦୂରେ ଦିବ୍ୟା ଛିଡ଼ା ହୋଇ ଖିଲି ଖିଲି ହସୁଥାଏ । ତେଣୁ ସେ ଲାଜେଇ ଗଲା । ଟିକିଏ ଚାହିଁ ଦେଇ ତଳକୁ ମୁହଁ ପୋତି ଦେଲା । ରାଜା ନିଜ ପ୍ରକୋଷ୍ଠକୁ ଫେରି ଆସିଲା । ଖାଇବାକୁ ମନା କରି , ସଅଳ ଶୋଇପଡ଼ିଲା। ବିଛଣାରେ ପଡ଼ି ପଡ଼ି ଖାଲି ଛଟ ପଟ ହେବାକୁ ଲାଗୁଥାଏ । ଆଖି ବୁଜନ୍ତେ ସେହି ଅନିନ୍ଦ୍ୟ- ରୂପବତୀ- ଲାସ୍ୟମୟୀ- ହାସ୍ୟମୟୀ ଲାବଣ୍ୟ ବତୀର ମୁଖ ମଣ୍ଡଳ ଝଲସି ଉଠୁଥାଏ । ସେ ସ୍ୱପ୍ନ ରାଇଜରେ ଘୂରି ବୁଲିବାକୁ ଲାଗୁଥାଏ ।

ସକାଳୁ ସକାଳୁ ଲେଡ଼ିଜ୍ ହଷ୍ଟେଲ୍ ବ୍ୟସ୍ତ ହୋଇ ଧାଇଁଲା । “ଆଇ ଲଭ୍ ଇଉ ଠୁ ମାଇ ଡ଼ାର୍ଲିଂ ।” – ଚଟାପଟ କହି ଦେଇ, ଫେରି ଆସିଲା । ଏଥର ଅନେକ ପ୍ରେମାଳାପ । ଅନେକ ରୋମାନ୍ସ । ନନ୍ଦନକାନନ, ଖଣ୍ଡଗିରି, ଧଉଳଗିରି, ଠାରୁ ପୁରୀ, କୋଣାର୍କ ବେଳାଭୂମି ଯାଏଁ – ସବୁଠି ପ୍ରିୟାର ପାଦ ଶଦ୍ଦ- ଶୁଭା ଗଲା । କୌଣସି ପାର୍କ, ଫିଲ୍ମୀ ହଲ୍- ରେଷ୍ଟୁରାଣ୍ଟ ଆଉ ବାକି ରହିଲା ନାହିଁ । ସବୁଠି ଜୀବନକୁ ମନ ଭରି ଉପଭୋଗ କଲା । ପାଖରେ ରାଣୀ ଥିଲେ କ୍ଳାନ୍ତି- ଅବସାଦ ଆଉ ରହେ ନାହିଁ, କେମିତି ଏକ ନବ ଉନ୍ମାଦନାରେ ମନ ଛାଏଁ ସତେଜ ହୋଇ ଉଠୁଥାଏ । କେବେ କେବେ ରାଣୀ ହାତ ଧରି ଭିଡ଼ି ନିଏ- ବିଗ୍ ବଜାର । ସେଠୁ ମନ ଇଛା ଗହଣା ଗାଣ୍ଠି ଆଉ ସବୁ ପ୍ରସାଧାନ ସାମଗ୍ରୀ କିଣି ବସେ । ରାଜା କିଛି କହିପାରେ ନାହିଁ । “ପ୍ରେମୀକା ଆଗେ ନୀଚ ହେବ ନାହିଁ” -ଭାବି; ବିଲ୍ ଭରି ଦିଏ । ରାଣୀ ହସି ଦେଇ- “ଥ୍ୟାଙ୍କ ୟୁ; ସୋ ଆଇ ଲଭ ଇୟୁ” କହି ପକାଏ । ରାଜାର ଆଉ କିଛି ଶୋଚନା ରହେ ନାହିଁ । ସବୁ ଭୂଲି – ସ୍ୱପ୍ନ ସାଗରରେ ହଜି ଯାଏ । ରାଣୀର ହାତ ଧରି ବାହାରକୁ ନେଇ ଆସେ; କହେ – “ରାଣୀ ତୁମେ ବହୁତ ଭଲ; ତା’ ଠାରୁ ଅଧିକ ସୁନ୍ଦର ।” ରାଣୀ ଫିକି ଫିକି ହସିଦିଏ । ଏଇମିତି ଜୀବନ ଗଡ଼ିଯାଏ । ଏବେ ଆହୁରି ଆତ୍ମୀୟତା ଜମି ଜମି ଆସିଲାଣି । କେମିତି ଗୋଟାଏ ନୈକଟ୍ୟ ସଂପର୍କ ଆହୁରି ଗଢି ଉଠିଲାଣି । ସେମାନେ ଏଣିକି ସାଥୀ ହୋଇ କ୍ଲବ୍ ଯାଆନ୍ତି । ବଡ଼ ବଡ଼ ପାର୍ଟି ଆଟେଣ୍ଡ୍ କରନ୍ତି । ବଲ୍ ଡ଼୍ୟାନ୍ସରେ ମାତନ୍ତି । ସାଥୀ ହୋଇ ଧୂମ ନାଚନ୍ତି । ମୃଦୁ ପାନୀୟ ବି ଉଭୟଙ୍କର ଟିକିଏ, ଟିକିଏ ଚଳିଲାଣି । ନିଶାରେ ବେଶ୍ ଝୁମନ୍ତି । ବିଳମ୍ବିତ ରାତ୍ରିରେ ହଷ୍ଟେଲ୍ ଫେରନ୍ତି । ଗେଟ୍ କିପରକୁ ନୋଟଟେ ବଢାଇ ଦେଇ ଭିତରକୁ ଚାଲି ଯାଆନ୍ତି । ଗୁଡ଼ ନାଇଟ୍ ଡ଼ାର୍ଲି କାଲି ପୁଣି ସେଇଠି ଦେଖା ହେବ” – କହି; ବିଦାୟ ନିଅନ୍ତି । ବେଳେ ଅଧେ କେମିତି ବି ଲଜରେ ରହିଯାଆନ୍ତି । ସେଦିନ ରାଜା ବାୟା ବାବା ମଠ ଯାଇଥିଲା । ଆଗରୁ ବହୁବାର ସେ ଏଠାକୁ ଆସିଛି । ମଠ ମହନ୍ତ ତା’କୁ ଚିହ୍ନିଛନ୍ତି । କାହିଁକି କେଜାଣି, ସେ ତା’କୁ ବହୁତ ଭଲ ପାଆନ୍ତି । ତା’ର ଅସ୍ୱାଭାବିକ ଢଙ୍ଗ ଢାଙ୍ଗ ଦେଖି; ମଠ ମହନ୍ତ, କହିଲେ- “ରାଜା! ଆଜି ମୁଁ ତୁମକୁ ଏକ ବହୁତ ବଡ଼ ଅପୂର୍ବ ଚିଜ୍ ଦେବି । ୟା’କୁ ନେଇ ତୁମେ ତୁମ ଜୀବନର ବହୁତ ବଡ଼ ସଫଳତା ପାଇଯିବ । ସଂସାରରେ ପରମ ସତ୍ୟ ବୁଝିଯିବ ।” ରାଜା ତା’ପର ଦିନ ସକାଳୁ ବ୍ୟଗ୍ର ହୋଇ ଲେଡ଼ିଜ୍ ହଷ୍ଟେଲକୁ ଧାଇଁଲା । ଡ଼ାର୍ଲିଂ ଗିଭ୍ ମି ଇୟୋର ସୁଇଟ୍ ହ୍ୟାଣ୍ଡ”- କହି; କଣ ଗୋଟାଏ ପିନ୍ଧାଇ ଦେଲା । କହିଲା- “ଏଇଟିକୁ ସଦା ସର୍ବଦା ପାଖରେ ରଖିଥିବ, କାହାକୁ ଦେବ ନାହିଁ । ଯଦି ବା ଦିଅ, ଯାହାକୁ ତୁମେ ସବୁଠାରୁ ଅଧିକ ଭଲ ପାଅ ତାକୁ ହିଁ କେବଳ ଦେଇପାରିବ – ମଠ ମହନ୍ତ କହିଛନ୍ତି । ତୁମକୁ ଛାଡ଼ି ଦେଲେ ଆଉ କିଏ ବା ମୋର ନିଜର ଅଛି ; ଯାହାକୁ ମୁଁ ଦେବି ?” ରାଣୀ କହିଲା- “ଆଇ ନୋ” ଫୁଲ । ଇୟୁ ଆର୍ ଏଭ୍ରି ଡ଼େ ଗୁଡ଼୍ ।

ସେଦିନ ସାବିତ୍ରୀ ଅମାବାସ୍ୟାର ରାତ୍ରୀ ହୋଇଥାଏ । ସହରର ସବୁ ସତୀଙ୍କର କ୍ଲବରେ ଭିଡ଼ ଜମିଥାଏ । ଚିକ୍ ମିକ୍ ଅସ୍ପଷ୍ଟ ଲେଜର ଆଲୁଅରେ, ବଲ୍ ଡ଼୍ୟାନ୍ସ୍ ବେଶ୍ ଜମି ଯାଇଥାଏ । ବୋଧହୁଏ ନାଚି- ନାଚି ଥକ୍କା ହୋଇ ରାଜା ଗୋଟାଏ କୋଣରେ ଘୁମେଇ ପଡ଼ିଥାଏ । ନିଶାଟା ଜୋହର ହୋଇ ଯାଇଥାଏ । ରାତି ବି ଅନେକ ହୋଇ ଯାଇଥାଏ । କ୍ଲବ ବାର୍ ଏତେବେଳକୁ ପୁରା ପୁରି ଶୂନ୍ ଶାନ୍ । ରାଜା ଏକାକୀ ପଡ଼ି ରହିଥାଏ । ରାଣୀ କିନ୍ତୁ କେତେବେଳୁ ତା’କୁ ଛାଡ଼ି କାହା ସାଥିରେ ଚାଲି ଯାଇଥାଏ । ନର୍ତ୍ତକୀ ଅପରୂପା ନିଜ କାନ୍ଧ ଉପରେ ଭାରା ବହନ କରି ରାଜାକୁ ଉଠାଇ ନେଇ ନିଜ ପ୍ରକୋଷ୍ଠ ମଧ୍ୟକୁ ଚାଲି ଯାଇଥାଏ । ଅନେକ ସେବା ଯତ୍ନ କରି ରାଜାକୁ ଖଟ ଉପରେ ଶୁଆଇ ଦେଇଥାଏ । ନିଜ କାନିରେ ଝାଳ ପୋଛି ଦେଉଥାଏ । ହୋସ୍ ଆସିବା ପର୍ଯ୍ୟନ୍ତ ରାତି ସାରା ପାଦ ପାଖରେ ଜଗି ବସିଥାଏ । ନିଶା ଛାଡ଼ି ଗଲା ପରେ ସକାଳୁ ରାଜା ଧଡ଼୍ପଡ଼ ହୋଇ ଉଠି ପଡ଼ିଲା । ସବୁଥର ପରି ଏଥର ଅପରୂପାକୁ ଗାଳି ଗୁଲଜ କଲା- “ତୋତେ କିଏ ସେ କହିଥିଲା; ମୋତେ ଏଠିକି ଆଣିବାକୁ ।” ଅପରୂପା ଛଳ ଛଳ ହୋଇ ଉଠୁଥାଏ । ହଠାତ୍ ହାତରେ ନାଲି ଗୋମେଦ ପଥର ବସା ମୁଦିଟିଏ ଦେଖି ଚମକି ପଡ଼ିଲା – ରାଜା । “ଏ ମୁଦ୍ରିକା କେଉଁଠୁ ଆସିଲା” ବୋଲି ସେ ଚିତ୍କାର କରି ଉଠିଲା । ଅପରୂପା ଡ଼ରି ଡ଼ରି କହିଲା ।

– “ମୁଁ …..ପିନ୍ଧାଇ …..ଦେଇଛି ।”

– “କାହିଁକି?”

– “ମୁଁ ତୁମକୁ ସବୁଠୁ ବେଶୀ ଭ….ପା….. ।”

– “କେଉଁଠୁ ଆଣିଲୁ ସତ କହ ?”

– “ମୋତେ ପାର୍ଥ ଦେଇଥିଲା ତାକୁ କୁଆଡ଼େ ରାଣୀ ଦେଇଥିଲା ।”

ଏଥର ରାଜାର ବୁଝିବାକୁ ଆଉ ବାକି ରହିଲା ନାହିଁ ଯେ;- “ଏ ହେଉଛି ମଠ ମହନ୍ତଙ୍କର ସେଇ ଅପୂର୍ବ ଚିଜ । ଦିନେ ତାକୁ ସେ ବେଶି ଭଲ ପାଏ ବୋଲି ରାଣୀକୁ ଦେଇଥିଲା, ହେଲେ ଆଶ୍ଚର୍ଯ୍ୟ…. । ଏ ମୁଦ୍ରିକାଟି ଚକ୍ରବତ୍ କେମିତି ଫେରିଲା? ତା’ହେଲେ ରାଣୀର ଭଲ ପାଇବା କ’ଣ ମିଛ ? ସେ କ’ଣ ତା’କୁ ଭଲ ନପାଇ ପାର୍ଥକୁ ଭଲପାଏ…..?? ଭଲ ପାଇବାର ମାନେ କ’ଣ ଖାଲି ପ୍ରବଞ୍ଚନା ଆଉ ସ୍ୱାର୍ଥ ସିଦ୍ଧିର ପ୍ରଚ୍ଛନ୍ନ ମତଲବ …..??? ତେବେ ମଣିଷ କାହାକୁ ଭଲ ପାଏ ? ମଣିଷକୁ ନା…ଅର୍ଥକୁ ? ରୂପକୁ ନା ….ଗୁଣକୁ ?? କାହାକୁ ……??? କାହିଁକି ? କାହିଁକି ଭଲା ଏଠି ଏତେ ନାଟ, ଏତେ ପ୍ରହସନ ??”

ରାଣୀ ଦେଖା ହୁଅନ୍ତେ ରାଜା କହିଲା-

– “ମୁଦ୍ରିକାଟି ମୋତେ ଫେରାଇ ଦିଅ, ରାଣୀ ।”

– “ମୁଁ ଫେରାଇ ପାରିବି ନାହିଁ ।”

– “ମାନେ ?”

– “ସେ ମୁଦ୍ରିକାଟି ଆଉ କାହାର ହୋଇ ଯାଇଛି ।”

– “ତେବେ ତୁମର ଭଲ ପାଇବା ? ସେ ଦିନର ପ୍ରତିଶ୍ରୁତି ??”

– “ମୁଁ ଭଲ ପାଏ ବୋଲି ତ ବିବାହ କରିବାକୁ ବାଧ୍ୟ ନୁହେଁ ।” ରାଜାର ଉତ୍ତରକୁ ଅପେକ୍ଷା ନକରି ରାଣୀ ସେଠୁ ଚାଲିଯାଇଥାଏ । ଚାଲିଗଲା ବେଳେ ତାଚ୍ଛଲ୍ୟ ହସଟିଏ ହସି ଦେଇଗଲା । ରାଜାର ମୁଣ୍ଡଟା ଘୂରାଇ ଦେଲା । ସେଇଠି ବସି ପଡ଼ିଲା । ହଠାତ୍ ତା’ର ମନେ ପଡ଼ି ଗଲା- ରାଜ ଭତ୍ତୃହରିଙ୍କ କଥା । ତେବେ କ’ଣ ଏହି ହିଁ ସଂସାରର ପରମ ସତ୍ୟ; ଯେଉଁଥି ପାଇଁ ଅତିଶୟ ସଂସାରାସକ୍ତ ରାଜା ଭତ୍ତୃହରି ସେଦିନ ନାରୀ ମୋହ ମାୟା ଆଉ ସବୁ ରାଜକୀୟ ପ୍ରାଚୁର୍ଯ୍ୟ ପରିତ୍ୟାଗ କରି, ବନସ୍ତର ନିଭୃତରେ ନୀତି ଶତକ ରଚନା କରିଥିଲେ-

“ଭୋଗା ନ ଭୁକ୍ତା ବୟମେ ଭୁକ୍ତାଃ
ତପୋ ନ ତପ୍ତଂ ବୟମେବ ତପ୍ତାଃ
କାଲୋ ନ ୟାତୋ ବୟମେବ ୟାତାଃ
ତୃଷ୍ଣା ନ ଜୀର୍ଣ୍ଣା ବୟମେବ ଜୀର୍ଣ୍ଣାଃ ।"




ସତ୍ୟ ପ୍ରକାଶ ସେଠୀ,
ସା - ରାଣୀପଡ଼ା, ପୋ-ତାରାଗୋ, ଜି - ଭଦ୍ରକ, ଓଡିଶା ପିନ୍ - 756114

Post a Comment

0 Comments