ଗଣେଶଙ୍କ ବନ୍ଦନା

0
ଜୟ ଜୟ ଗଣନାଥ ଲମ୍ବୋଦର ଅଗ୍ରପୂଜ୍ୟ ଗଜାନନ
ପାଶାଙ୍କୁଶଧାରୀ ହେ ଜ୍ଞାନଦାତା ଜୟ ଇନ୍ଦୁର ବାହନ ।
ମାତାର ଆଦେଶ ପାଳନ ନିମନ୍ତେ ମସ୍ତକ ହରାଇଲ
ଗଜମୁଖ ହୋଇ ଜ୍ଞାନର ପ୍ରଦୀପ ଜଗତରେ ଜଳାଇଲ ।
ସବୁ ଦେବତାଙ୍କ ଉର୍ଦ୍ଧ୍ବରେ ପିତା, ପିତା ଜଗତର ମୂଳ
ପ୍ରଦକ୍ଷିଣ କରି ପିତା ଚତୁର୍ପାର୍ଶ୍ବେ ଏକଥା ସିଦ୍ଧ କରିଲ ।
ବୁଦ୍ଧି ବଳେ ତୁମେ ମୃତ୍ୟୁପତିଙ୍କୁ ଅନୁଗତ ଦେଲ କରି
ମୂଷିକ ସଜାଇ ବାହନେ ବରିଲ ନିଜ ଇଚ୍ଛା ଅନୁସରି ।
ରିଦ୍ଧି, ସିଦ୍ଧିଙ୍କ ମନକୁ ହରଣ କରି କଲ ଆପଣାର
ସବୁ ଦେବତାଙ୍କୁ ପଛରେ ପକାଇ ଅଗ୍ରପୂଜ୍ୟ ହୋଇଗଲ ।
ବନ୍ଦେ ତୁମର ଚରଣ କମଳ ଆହେ ବିଘ୍ନ ବିନାଶନ
ବିଦ୍ୟା ବୁଦ୍ଧିର ଆଶିଷ ଲୋଡଇ ଢାଳ ହେ କୃପାର କଣ ।
ବିଦ୍ୟା, ବିନୟ, ଜ୍ଞାନାଲୋକ ଦିଅ ସାଧିବି ଜଗତ ହିତ
ତୁମ ପାଦେ ଆଜି ପୁଣ୍ୟ ତିଥିରେ କରେ କୋଟି ଦଣ୍ଡବତ ।
ସମ୍ପାଦକ, ତ୍ରିଧାରା ସାହିତ୍ୟ ସଂସଦ, ବଇଣ୍ଡା, ଅନୁଗୋଳ ।

Post a Comment

0Comments
Post a Comment (0)