ତୋ କବରୀର ରଜନୀଗନ୍ଧାଟା
ହୋଇଥିବ ନିଶ୍ଚେ ବାସି,
କିଏ ନା କିଏ ରସିକ ନାଗର
ଦେଇଥିବ ତାକୁ ଦଂଶି ॥
ତୋରି ଓଠର ଗୋଲାପ ପାଖୁଡା
ରଙ୍ଗହୀନ ଦିଶିଲାଣି,
ରସିକ ନାଗର ପୁରୁଷ ଛୁଆଁରେ
ପାଖୁଡା ବି ଝଡିଗଲାଣି ॥
ତୋ ହୃଦୟ ପଦ୍ମ ଫୁଟିବା ଆଗରୁ
ପୋଖରୀ ତ ଶୁଖିଗଲା,
ରସିକ ନାଗର ପଦୁଅଁ ଫୁଲର
କେଶର ତ ଲୁଟିନେଲା ॥
ମନଟାକୁ ଗୋରୀ କାହାକୁ ଦେବୁଲୋ
ମନଟା ବି ବାସି ହେଲାଣି,
ଅନେକ ମନର ରାଣୀ ସାଜି ସାଜି
ମନ ବି ମଉଳି ଗଲାଣି ॥
ଝିଅଟିଏ ତୁହି ଗୋଲାପ ନୁହେଁକି
ନୁହେଁ ତୁ ରଜନୀଗନ୍ଧା,
ହୃଦୟ ପଦୁଅଁ ଭିତରେ ଥରୁଟେ
ଗୋଟିଏ ମଣିଷ ଖୋଜା ॥
ବିପଦ ଆଗକୁ ଘନେଇ ଆସୁଛି
ଆଜିଠୁ ତୁ ହେଜି ଯାଆ,
ଝିଅ ପରା ତୁହି ଆଗକୁ ହେବୁଲୋ
ଜନନୀ ବା କାହା ଜାୟା ॥
ତୃପ୍ତି ପଣ୍ଡା,
କୃଷ୍ଣକୃପା, ଗୁଣ୍ଡିଚାବିହାର ଲେନ,
ଘର ନଂ. ୨୮୩, ମାଟିଆପଡା, ପୁରୀ