Children World

ଓଡିଆ ସାହିତ୍ୟ ଓ ସଂସ୍କୃତିର ନିଆରା ସ୍ଵର... ତିନିଶହରୁ ଉର୍ଦ୍ଧ ଲେଖକ ଲେଖିକା ଏବଂ ଦୁଇଲକ୍ଷରୁ ଉର୍ଦ୍ଧ ପାଠକ ପାଠିକା ମାନଙ୍କର ପ୍ରିୟ ଇ-ସାହିତ୍ୟ ୱେବ ପୋର୍ଟାଲ ବଣମଲ୍ଲୀର ମହକ ଆପଣଙ୍କୁ ସ୍ଵାଗତ ଜଣାଉଛି ।

କ୍ଷୁଦ୍ରଗଳ୍ପ - ଅପ୍ରାୟଶ୍ଚିତ୍ତ ଅପରାଧ - ଶିରିଶ କୁମାର

ଶୀତର କୋହଳା ପାଗ ।ଚଉଦିଗରେ ବହଳ କୁହୁଡ଼ିର ଆସ୍ତରଣ ।ଅଂଶୁମାନ ଶିଶିର ସ୍ନାତା ଅବନୀକୁ ତାଙ୍କ ପ୍ରକାଶରେ ଅବୋରିବାକୁ ଆସ୍ତେ ଉଦୟ ହେଉଥାନ୍ତି ପୂରବୀ କୋଳରୁ ।ଛେଳିଆ ପାହାଡ଼ ବକ୍ଷରୁ ।ଦିବାସନ୍ନର ସୂଚନା ଦେଇ ।ସମୟ ୬:୧୫ ।ଏଚ୍ ପି ପେଟ୍ରୋଲ ପମ୍ପ୍ ପାଖରୁ ଟ୍ୟୁନିଂ ବଜାଇ ବଜାଇ ପହଞ୍ଚିଗଲା ପିଙ୍କି ବସ୍ ବାଦିମାଲ ଷ୍ଟେସନ୍ କୁ ।ପ୍ରବଳ ଭିଡ଼ ।ପ୍ରତ୍ୟହ ଭିଡ଼ ହୁଏ କିନ୍ତୁ ସେଦିନ ଟିକିଏ ଅଧିକ ଥିଲେ । ପାଦ ଥାପିବାକୁ ଜାଗା ନିଅଣ୍ଟ । ତଥାପି ଚଢ଼ିଲି ।ପଛ ପଟକୁ ଯାଇ ହେଣ୍ଡର୍ ଧରି ଠିଆ ହୋଇଗଲି ।ବସ ଚାଲୁଥିଲା । କେହି ଓହ୍ଲାଉ ନଥିଲେ ହେଲେ ସବୁ ଷ୍ଟେସନରୁ ଜଣେ ଦି'ଜଣ ଚଢ଼ୁଥିଲେ ।

"ସାର୍ ଗୁଡ଼୍ ମଡିଂ!" ସୁଖା ସୁଖା ଗୁଡ଼ ମଡିଂ ଶବ୍ଦଟିଏ ମୋ'ମୁହଁରୁ ବି ବାହାରି ଆସିଲା ପ୍ରତ୍ୟୁତ୍ତର ପାଇଁ ।କିଏ ବୋଲି ମୋଡ଼ିକି ଦେଖନ୍ତେ ନଜରକୁ ଆସିଲା ମତେ ଚାହିଁ ପ୍ଲାଷ୍ଟିକ୍ ହସ ପ୍ରସ୍ତୁତି କରୁଛି କୋମଳ କଣ୍ଠି ତନୁ ପାତଳୀ ସୁନ୍ଦରୀ ତରୁଣୀଟିଏ ।ମୁଁ ତାକୁ ଦେଖିଲା କ୍ଷଣି ମୁଣ୍ଡ ଲୁଇଁ ଜିଭ କାମୁଡ଼ି ଲାଜେଇ ଗଲା । ନିଶ୍ଚିତ ଭଦ୍ରାମିର ଲକ୍ଷଣ ।ଯାହା ଯେତେ ବିରକ୍ତି ଭାବ ଉଭିଗଲା ତାକୁ ଦେଖିଲା ମାତ୍ରେ ହିଁ ।ଭିତରେ ସଞ୍ଜାତ ହେଲା ଅହେତୁକ ଆକର୍ଷଣଟିଏ ।ଏମିତି ଅନେକ ଥର ଗୋଟେ ଚେହେରା ଗୋଟେ ଚେହେରାକୁ ମନେ ପକେଇଦିଏ ।ମତେ ଏକ ପ୍ରକାର ଟାଣି ଧରୁଥିଲା । ୟୁନିଫର୍ମ୍ ରୁ ଜାଣିଲି ସେ ମୁଁ ଅଧ୍ୟାପନା କରୁଥିବା ସମ୍ୱରଗଡ଼ କଲେଜ ର ଛାତ୍ରୀ । ବୋଧେ କମର୍ସ୍ ହେଇଥିବ.. ମୁଁ ଆର୍ଟସ୍ କୁ ପଢ଼ାଏ ବୋଲି ଜାଣି ନଥିଲି ।ସିଏ ମତେ କଲେଜରେ ଦେଖିଥିବ ବୋଧେ...!ସାମାନ୍ୟ କଥୋପକଥନ ପରେ ନିଶ୍ଚିତ ହେଲି ।କିଛି ବେଳ ଗଲା ପରେ ସେ ମୋ ସହ କଥା ହେବାକୁ ଅନକମ୍ପର୍ଟ୍ ଫିଲ କରୁଥିବା ପରି କାନରେ ହିଅର୍ଫୋନ୍ ଲଗେଇ ଗୀତ ଶୁଣିବାକୁ ଲାଗିଲା ।ଠିକ ସେତିକିବେଳେ ମୋ ମନ ହଜିଗଲା ଅନ୍ୟ ଏକ ଦିଗରେ । ମୁଁ ଭାବି ପାରୁନଥିଲି ଜଣକର ଆଉ ଜଣକ ସହ ଏତେ ସାମଞ୍ଜସ୍ୟ... ଏ କ'ଣ ସମ୍ଭବ! ବିଚାର ଉର୍ଦ୍ଧ୍ବମୁଖୀ ହେବାକୁ ଲାଗିଲେ ।ତା'ର ନାଁ ,ଚେହେରାର ଚମକ, ଗହମ ରଙ୍ଗୀ ଦେହ, ଗୋଲ ମୁହଁ, ଖଇରି ଆଖି ,ଆଜାନୁ ଲମ୍ବିତ କେଶ ଆଦିରେ ଥିଲା ଅନେକ ସାମଞ୍ଜସ୍ୟ ଆଉ ଜଣକର ।ଯିଏ ମୋର ନିକଟରେ ନଥିଲେ ବି ଖୁବ୍ ଅନ୍ତରଙ୍ଗ । ନିବିଡ଼ ଅନ୍ତରଙ୍ଗ । ଆଉ ମୁଁ ବୁଡ଼ି ବୁଡ଼ି ଗଲି ତା'ଭାବନାରେ ।

ମାନସୀ ଆଉ ଆମ ଘର ଲଗାଲଗି । ମଝିରେ ଗୋଟିଏ କାନ୍ଥର ଦୂରତା ଯାହା ।ଆମେ ବ୍ରାହ୍ମଣ ସେମାନେ କୁଳିତା ।କିନ୍ତୁ ଚଲୁ ପୁରା ଏକାଠି ।ଉଭୟ ପରିବାରର ମଧୁର ସମ୍ପର୍କ ଯୋଗୁଁ ଆମେ ଛୋଟ ବେଳୁ ଚିହ୍ନା ଜଣା ।ଛ'ମାସର ସାନ ବଡ଼ । ମୁଁ ବଡ଼ ସିଏ ସାନ ।ଜ୍ଞାତସାରରେ ଆମେ ନିମିଷେ ପାଖ ଛାଡ଼ୁନଥିଲୁ ।ସବୁ ସାଙ୍ଗରେ କରୁ ।ପିଲା ଦିନର ସେଇ ଚଗଲାମି, ଦୁଷ୍ଟାମି,ଧୂଳିଖେଳରୁ କଲେଜ୍ ପର୍ଯ୍ୟନ୍ତର ଯାତ୍ରା ଭିତରେ କେତେବେଳେ ପ୍ରେମ ରୂପୀ ଶାଶ୍ବତ ଅନୁଭବର ଜନ୍ମ ଆମ ହୃଦୟରେ ଆମେ ପ୍ରଥମେ ଜାଣି ପାରୁନଥିଲୁ । ତା'ପରେ କିନ୍ତୁ ଆମର ଚାଳି ଚଳନ ଗୁଡ଼ାଏ ପରିବର୍ତ୍ତନ ଜଣାଗଲା ।ଆଗ ଆମେ ସବୁ କଥା ସେୟାର୍ କରୁଥିଲୁ ଖୋଲାଖୋଲି ଭାବରେ ।ଟିକିଏ ଟିକିଏରେ ଝଗଡ଼ା କରିବୁ...ରାଗିବୁ...ରୁଷିବୁ..କଟ୍ଟି ହେବୁ..!କିନ୍ତୂ ଆଉ ସେମିତି କିଛି ନଥିଲା ଯୌବନର ସ୍ପର୍ଶ ପାଇଲା ପରେ ସଙ୍କୋଚିବା,ଲାଜେଇବା,ମପଚୁପା କଥାବାର୍ତ୍ତା ଆଦି ଅନେକ ପ୍ରତିକ୍ରିୟା ସ୍ୱତଃ ସୃଷ୍ଟି ହେଲା ।କେଜାଣି କେମିତି ଉଭୟଙ୍କ ହୃଦୟରେ ଉଭୟଙ୍କ ପାଇଁ ଆପେ ଉଦ୍ଭବି ଯାଉଥାଏ ଅଜସ୍ର ସମ୍ମାନ ।ଯାହା ବି ହେଉ ବହୁତ ଭଲ ଲାଗୁଥିଲା ।ଦୁହେଁ ଭିଜି ଯାଉଥିଲୁ ନିଆରା ଏକ ପୁଲକରେ ।ସମୟର ଗତି କ୍ରମେ ସବୁ ଦୁହିଁଙ୍କୁ ଜଣା ପଡ଼ିଗଲା । ହେଲେ କେହି କାହାକୁ ମନକଥା କହି ପାରୁନଥିଲୁ ।

ସେ +୨ ପରେ ଆଉ ପଢ଼ିଲାନି ।କାରଣ ତା'ଦ୍ବାରା ପାଠ ସେତେ ଭଲ ହେଉନଥିଲ।ମୁଁ +୩ କରିବାକୁ ବାଣୀ ବିହାର ଗଲି ।ହେଲେ ସେଠାରେ ବି ମନ କଉ ମାନେ ।ନିତ୍ୟ ପ୍ରତ୍ୟହ ଫୋନ୍ ରେ ଗପୁ ।ଦୁହିଙ୍କର ଭଲମନ୍ଦ ପରେ ଗାଁ ଘରର , ସାଙ୍ଗସାଥୀ ମାନଙ୍କ କଥା,ଆଦି ଆମର ବିଷୟବସ୍ତୁ ଭିତରେ ପ୍ରମୁଖ ଥିଲେ । କିନ୍ତୁ ସେ ସମ୍ପର୍କରେ କାହାରି ମୁହଁରୁ ପଦୁଟିଏ ଉତୁରେନି । କିନ୍ତୁ କଥା ହେଇ ବହୁତ ଭଲ ଲାଗେ ।ଦିନଟିଏ କଥା ନହେଲେ ଭଲ ଲାଗୁନଥିଲା  ।କାରଣ ଆମ ହୃଦୟ ନକହି ନକହି ଅନେକ କିଛି କହିପକାନ୍ତି ନୀରବରେ ।ସବୁ ବୁଝେଇ ଦିଅନ୍ତି ବିସ୍ତାର ଭାବରେ ।

ହେଲେ ମୋ ମନ ସ୍ଥିତିକୁ ସମ୍ପୂର୍ଣ୍ଣ ଦୋହଲାଇ ଦେଲା ମୋ ଦୁଇ କ୍ଲାସମେଟ୍ ପ୍ରେମୀ ଯୁଗଳର ଆକସ୍ମିକ ଆତ୍ମହତ୍ୟା ।କାରଣ ସମାଜର ନିତି ନିୟମ,ଫମ୍ପା ଦେଖାଣିଆ ଆଦର୍ଶ,ଜାତି ଗତ ବୈଶିଷ୍ଟ୍ୟ । ଯେଉଁଥିପାଇଁ ତାଙ୍କ ନିଜ ଲୋକ ଶତ୍ରୁ ହୋଇଗଲେ । ବିଦ୍ରୋହ କଲେ ।ଆଉ ଶେଷରେ......!

ସେ ଘଟଣାଟା ମତେ ଦେଖେଇ ଦେଲା ପ୍ରେମର ଅସଲ ରୂପ ।ମୋ ଭିତରର ପ୍ରେମଟା ଯେମିତି ଲୋଟି ଯାଉଥିଲା ମରଣ ଶେଯରେ । ଅମିମାଂସିତ,ଅଭାବିତ ଭାବରେ ।ଅତି ସଂକ୍ଷିପ୍ତରେ । ମୁଁ ସ୍ଵପ୍ନ ଦେଖିଥିଲି ଗୋଟିଏ ସୁଖି ପରିବାରର, ଚାହୁଁଥିଲି ଦୈତ ପରିବାରର ଆଶୀର୍ବାଦରେ ମୁଁ ଓ ମାନସୀ ସଂସାର ତରୀ ବାହି ନେବୁ ସମୟ ନଦୀର ଉଜାଣି ସୁଅରେ ।ହେଲେ ଭୁଲି ଯାଇଥିଲି ସମାଜକୁ...ତାର ବୈଶିଷ୍ଟ୍ୟକୁ ।ସପ୍ନୋଦ୍ୟାନରେ ନୀଳ କଙ୍କି ସାଜି ଭୁଲି ଯାଇଥିଲି ବାସ୍ତବତାର ପ୍ରଳୟକୁ ।

ନା..ନା ଜମା ନୁହେଁ । ମୁଁ ଧିକ୍କାରେ ସେଇ ପ୍ରେମକୁ ଯିଏ ଅଲଗା କରିଦେବ ଦୁଇଟି ପରିବାରକୁ । ପୁଣି ଆମକୁ ଦୂରେଇ ଦେବା ଆମକୁ ଆଜନମ ଭଲ ପାଉଥିବା ପ୍ରେମୀ ମାନଙ୍କର ପଣତ ତଳରୁ...ବେତ ବାଡି ପାଖରୁ...ରାଗ ରୋଷ,ଥଟ୍ଟା ମଜା ପାଖରୁ..! ଏମିତି ଭାବି ନିଷ୍ପତ୍ତି ନେଲି, ପାଇବା ହିଁ କ'ଣ ପ୍ରେମ ...!ଆମେ ପରସ୍ପରକୁ ହରେଇ ଆମ ପ୍ରେମକୁ ପାଇବୁ ।ତ୍ୟାଗରେ । ଅଜାଣତରେ ।ଦୂରତାରେ ।

ତା'ପରଠୁ ମୁଁ ତା'ପାଖରୁ ଦୂରେଇ ଯିବାର ଚେଷ୍ଟା କଲି । ଅନିଚ୍ଛାରେ,ବାଧ୍ୟତାରେ ।ଆଉ ସେ ଓ ବଢୁଥାଏ ଠିକ୍ ମୋର ବିପରୀତ ଦିଗରେ ।ତାକୁ ଯାହା ଥରେ ଖୋଲି କହୁଥିଲି,ସେ ମୋର ଅସ୍ବିକାରିତା ଓ ରୁକ୍ଷତା ଭାବରୁ ଜମାରୁ ଭାଙ୍ଗି ନପଡ଼ି ଜୁଟିଥାଏ ମତେ ମନେଇବାର ଚେଷ୍ଟାରେ ।ଯାହା ମତେ ବେଳେ ବେଳେ ଖୁବ୍ ପୀଡିତ ଓ ଅସହାୟ କରି ଦେଉଥିଲା । କିନ୍ତୁ ମୁଁ ଛାତିରେ ପଥର ଲଦି ସବୁ ସହି ଯାଉଥିଲି ।ଜଣକୁ ଭଲପାଇ ଘୃଣା କରିବାରେ ଅଭିନୟ ମୋ ପାଇଁ କାଠିକର ପାଠ ଥିଲା‌ । କିନ୍ତୁ କରୁଥିଲି । ସତର୍କତାରେ....ସଂଯମତାରେ ।ତା' କଲ୍ ମେସେଜ୍ ସବୁ ଆଭଏଡ୍ କରୁଥିଲି ।ତାକୁ ଯେତେ କଷ୍ଟ ଦେଉଥିଲି ଏସବୁ କରି,ବେଶି କଷ୍ଟ ପାଉଥିଲି ମୁଁ ନିଜେ । ଗାଁ କୁ ଯିବା ଆସିବା ବନ୍ଦ କରିଦେଲି ।ଗଲେ କମ୍ ରହି ଫେରିବେ ଆସୁଥିଲି । ଭାବୁଥିଲି ସେ ମୋ ପାଖରୁ ମୋର ଏହି ବ୍ୟବହାରରେ ଅତିଷ୍ଠ ହୋଇ ଦୂରେଇ ଯିବ! କିନ୍ତୁ ମୋ ଧାରଣା ଭୁଲ୍ ସାବ୍ୟସ୍ତ କରିଦେଲା । ଓଳଟା ବିଚଳିତ ହେଉଥାଏ ମୋ ପରିବର୍ତ୍ତନ ଯୋଗୁଁ ।ମୋ ପାଖରୁ କାରଣ ଜାଣିବାକୁ ବହୁବାର ଉଦ୍ୟମ କରି ବିଫଳ ହେଉଥିଲା ।

ଖରା ଛୁଟି ତକ ମତେ ଗାଁଆରେ ହିଁ କାଟିବାକୁ ପଡୁଥିଲା । ବାପା ମାଆ ଅନୁରୋଧ କରୁଥିଲେ । ଏ ଛୁଟି ତକ ମୁଁ ବହୁତ କଷ୍ଟରେ ବିତଉଥିଲି ।ଥରେ ସେମିତି ଛୁଟିରେ ଆସିଥାଏ ।ତାକୁ ଦେଖା ଦେବିନି ବୋଲି ଲୁଚୁଥାଏ । ତାଙ୍କ ଘର ଆଡକୁ ସେ ନଥିବା ବେଳେ ଯାଏ ।କାରଣ ମଉସା ମାଉସୀ ମୋତେ ଖୁବ୍ ସ୍ନେହ କରନ୍ତି ।ନଗଲେ ଠିକ୍ ହେବନି ।ଡର ତାକୁ ଭେଟିଲେ ପୁଣି ସେ ସବୁ..! ପୁଣି ଡର ପଥର କରିଥିବା ମନ ତାକୁ ଦେଖି ତରଳିଗଲା ଯଦି.. ମନ ପାଖରୁ ବିବେକ ହାରିଗଲା ଯଦି..!

ଯେତେ ସତର୍କତା ଅବଲମ୍ବନ କଲେ ମଧ୍ୟ ଗୋଟେ ଫୁଲୁରି ସଞ୍ଜରେ ମୁହେଇଁଗଲୁ ।ବାଟ କାଟି ଯିବାର ଚେଷ୍ଟା ବୃଥା ଗଲା । ସେ ମତେ ସିଧା ଜାବୁଡ଼ି ଧରିଲା । ଢ଼େର କାନ୍ଦିଲା । ମୁଁ ବି ଆଉ ଥୟ ଧରି ପାରିଲିନି । ଦୁହେଁ ଜୋର ଜୋର କାନ୍ଦିଲୁ । ଲାଗୁଥିଲା ଅଶ୍ରୁଳ ମୁହୂର୍ତ୍ତରେ କବଳିତ ହୋଇଯାଇଛି ମାଟି,ପାଣି,ପବନ ଓ ଆକାଶ ।ସ୍ତବ୍ଧ ପରିବେଶ ।ଥରୁଛି ପତ୍ର ପତ୍ର । ପ୍ରତିଟି ଶାଖା ପ୍ରଶାଖାରେ ମର୍ମରିତ ବେଦନାରେ ପରିଭାଷା । ଉଶ୍ଵାସ ଲାଗିଲା । ଅନ୍ତର୍ ବେଦନା ସମୂହର ଭାଗବଣ୍ଟା ହୋଇ । ମୁଁ କହିଲି-ମତେ କ୍ଷମା କରିବ ମାନସୀ । ମୋ ବ୍ୟବହାର ପାଇଁ । ସବୁ ସ୍ଵପ୍ନ ପୂରଣ ହୁଏନି ମାନସୀ ।ବୋଧେ ଆମର ସ୍ଵପ୍ନଟା ବି..!

ତାକୁ ମୋ କଥା ରଖିବାକୁ ବାଧ୍ୟ କଲି ।ସେ ଚୁପଚାପ୍ ଅବିବାଦରେ ମାନିଗଲା ।ମୋତେ ବାଟ ଛାଡ଼ି ନିଜେ ଚାଲିଗଲା ନିଜ ବାଟରେ ‌ ।

ମାନସୀ ବାହା ସାହା ହେଲା । ଖୁସିରେ ବଞ୍ଚିବାର ଅଭିନୟ କରୁ କରୁ ତାହା ହିଁ ତା'ର ଖୁସି ପାଲଟିଗଲା । ମୁଁ ପଢ଼ାପଢ଼ି ସାରି ଅଧ୍ୟାପକ ହେଲି ।

ସମୟ ଗଡ଼ି ଚାଲିଲା ସ୍ବ-ବେଗରେ । ମୁଁ ମାନସୀକୁ ଭୁଲି ପାରୁନି ଜମାରୁ । ତାକୁ ରାଣ ଖୁଆଇ ବାହା ହେବାକୁ ବାଧ୍ୟ କଲି ସିନା ନିଜେ ବାହା ହୋଇପାରୁନାହିଁ ।ମତେ ଏବେ ବେଳେବେଳେ ଲାଗେ ମୁଁ ସମାଜକୁ ନ ଡରି ତାକୁ ଆପଣେଇ ନେଇଥିଲେ...!ମନ ମୋର ଶିହରିଯାଏ ।ପୁଣି ଟପ୍ କରି ଛିଣ୍ଡି ପଡେ ଆକାଶରୁ ଭୂଇଁକୁ‌‌ ।

ମୁଁ ତାକୁ ବାହା ହେବାକୁ ବାଧ୍ୟ କଲି ରାଣ ଦେଇ । ସେତେବେଳେ ସେ ମତେ କହିଥିଲା-'ମୋ ପ୍ରତି ଏତେ ବଡ଼ ଅପରାଧ କରନି ପ୍ଲିଜ୍..!'ମାନସୀର ଏ କଥା ପଦକ ସବୁବେଳେ ଗୁଞ୍ଜୁଥାଏ ମୋ କାନରେ ।ସତରେ କେତେ ବଡ଼ ଅପରାଧ ନକରିଛି ।ସତରେ ତା ଭଲପାଇବାର ପରିଚୟ ଦେଇଦେଲା କଥା ରଖିକି...! ଏସବୁ ଭାବୁ ଭାବୁ ମୁଁ ଉପଲବ୍ଧି କରେ କେବଳ ମାନସୀ ପ୍ରତି ନୁହଁ,ତାକୁ ମୋ ପାଖରୁ ଦୂରେଇ ନିଜ ପ୍ରତି ବହୁତ ବଡ଼ ଅପରାଧ କରିଛି ।ଯାହା ଅପ୍ରାୟଶ୍ଚିତ୍ତ ଚିରକାଳ ।ପଶ୍ଚାତାପର ଦହନରେ ତିଳ ତିଳ ଦହି ହେବା ହିଁ ସାର ।

ସାର୍ ସାର୍ ଷ୍ଟେସନ୍ ଆସିଗଲା ।

ଏତିକି କହି ଝିଅଟି ମତେ ଟିକିଏ ହଲେଇ ଦେଲା । ମୁଁ ଭାବନା ରୁ ଓହରିଲି ।

ସେ କହିଲା,"ସାର୍ ଆପଣ କୁଆଡେ ହଜି ଯାଇଥିଲେ?"

ମୋ ପାଟିରୁ ଆପେ ଉତୁରି ଆସିଲା,"ତମକୁ ଦେଖି ତୁମପରି ଆଉ ଜଣେ ମନେ ପଡ଼ିଗଲା ।

ସେ'ଅଳ୍ପ ଲାଜେଇ ପୁଣି ପୋତି ପକାଇଲା ତା'ହସର ବର୍ଷାରେ ।ଯାହା ମତେ ମୋହାଚ୍ଛନ୍ନ କରିବାକୁ କାଫି ଥିଲା ।ଅବିକଲ ତା'ରି ପରି ।


କୁଶମେଲ, ଝାରସୁଗୁଡ଼ା
ମୋ-୯୭୭୭୨୮୦୫୯୪

Post a Comment

0 Comments