Children World

ଓଡିଆ ସାହିତ୍ୟ ଓ ସଂସ୍କୃତିର ନିଆରା ସ୍ଵର... ତିନିଶହରୁ ଉର୍ଦ୍ଧ ଲେଖକ ଲେଖିକା ଏବଂ ଦୁଇଲକ୍ଷରୁ ଉର୍ଦ୍ଧ ପାଠକ ପାଠିକା ମାନଙ୍କର ପ୍ରିୟ ଇ-ସାହିତ୍ୟ ୱେବ ପୋର୍ଟାଲ ବଣମଲ୍ଲୀର ମହକ ଆପଣଙ୍କୁ ସ୍ଵାଗତ ଜଣାଉଛି ।

ଅଣୁଗଳ୍ପ - ଶବଯାତ୍ରା - ଦିବ୍ୟଜ୍ୟୋତି ମହାନ୍ତି

ଦିବ୍ୟଜ୍ୟୋତି ମହାନ୍ତି
ଆଣିଆଙ୍କ, ଓଷକଣା
ବାଲିକୁଦା, ଜଗତସିଂହପୁର

ପ୍ରତ୍ୟେକ ମାସ ଶେଷରେ ସୁନ୍ଦରୀ ଦେବୀଙ୍କ ଶବ ଯାତ୍ରା ହୁଏ । ତାଙ୍କ ଶବକୁ କାନ୍ଧରେ ବୁହାଇ ନିଅନ୍ତି ତାଙ୍କ ପୁଅ ମାନେ, କେବେ ବଡ କେବେ ମଝିଆ ତ ପୁଣି କେବେ ସାନ । କିନ୍ତୁ କେବେ ଏ ଶବ ଯାତ୍ରାର ଅନ୍ତ ଘଟେ ନାହିଁ । ପକ୍ଷାଘାତରେ ପୀଡିତ ହେବା ଦିନଠୁ ରିତିମତ ତାଙ୍କର ଏମିତି ଶବଯାତ୍ରା ଚାଲିଥିଲା । କାରଣ ତିନି ପୁଅ ଭିନ୍ନେ ହେଲାବେଳେ ତାଙ୍କର ବି ଭାଗ ବାଂଟ କରିଥିଲେ ସେ କାହା ପାଖରେ କେତେ ଦିନ ରହିବେ । ବଡ ପୁଅ ପାଖରେ ମାସେ, ମଝିଆ ପୁଅ ପାଖରେ ମାସେ ଏବଂ ସାନ ପୁଅ ପାଖରେ ମାସେ । ଯାହା ପରଠୁ ଚାଲିଛି ତାଙ୍କର ଶବଯାତ୍ରା । ଖଟରେ ମୁର୍ଦ୍ଦାରଟେ ପରି ଶୋଇ ଆଖିରୁ କେବେ ଲିଭୁନଥିବା ଲୁହ ଗଡାଇ ସେ ଭାବୁଥିଲେ ତିନି ପୁଅଙ୍କୁ ଜନ୍ମ କଲା ବେଳେ ଭାଗ ବାଂଟ କରିଥିଲେ ବୋଲି କ’ଣ ପୁଅ ମାନେ ଆଜି ତାଙ୍କ ପରି ଗୋଟେ ପକ୍ଷାଘାତ ରୋଗୀର ଭାଗବାଂଟ କରିଛନ୍ତି କି ଆଉ ? ପୁଣି ଭାବୁଥିଲେ ପୁଅମାନଙ୍କ ଜନ୍ମ ମଧ୍ୟରେ ଦୁଇ ତିନି ବର୍ଷର ଅନ୍ତର କରିଥିଲେ ବି ସେମାନଙ୍କୁ ସେ ତ ଗୋଟିଏ ପେଟରୁ ଜନ୍ମ ଦେଇଥିଲେ, ଗୋଟିଏ ଛାତିରୁ କ୍ଷୀର ପିଆଇଥିଲେ, ତାଙ୍କରି ଗୋଟିଏ କୋଳରେ ହିଁ ବଢାଇ ବଡ କରିଥିଲେ ମାତ୍ର ପୁଅ ମାନେ ତାଙ୍କୁ ଏପରି ଶେଷ ସମୟରେ ଭାଗବାଂଟ କରିଦେଇଛନ୍ତି କାହିଁକି ? କାହିଁକି ପ୍ରତ୍ୟେକ ମାସ ଶେଷରେ ପୁଅ ମାନେ ତାଙ୍କର ଶବ ଶୋଭାଯାତ୍ରା କରନ୍ତି ଏ ଘରରୁ ସେ ଘରକୁ । ଏଥର ସେ ଚାହୁଁନଥିଲେ ମୁର୍ଦ୍ଦାରଟେ ହୋଇ ପୁଅ କାନ୍ଧରେ ଏପରି ରିତିମତ ଶବଯାତ୍ରା କରିବାକୁ । ଚାହୁଁଥିଲେ ସବୁଦିନ ପାଇଁ ଚାଲିଯିବାକୁ ମାତ୍ର ସେ ନିଆଁଲଗା ମରଣଟା ବି ଆସୁନଥିଲା ।


Post a Comment

0 Comments