ପାଦେ ନୂତନ ସନ୍ଧାନ ଆଡ଼କୁ - ଶିବରାମ ନାୟକ

0

ପରିବର୍ତ୍ତନ ଏ ଅଚରାଚର ସୃଷ୍ଟିର ନିୟମ । ଏହି ନିୟମ ସମସ୍ତଙ୍କର ମଧ୍ୟରେ ପରିଲକ୍ଷିତ ହୁଏ ଏବଂ ହେବା ବି ଆବଶ୍ୟକ, କାରଣ ଏହି ସୁନ୍ଦର ଧରାପୃଷ୍ଟ ଏହି ସୁନ୍ଦର ବାତାବରଣରେ ବାସ କରୁଥିବା ବା ଗଢ଼ା ହୋଇଥିବା ଏ ମାନବ ଜାତି ସହ ପ୍ରାଣୀ ଓ ଉଦ୍ଭିଦ ଜଗତ, ମାଟିରୁ ଆକାଶ, ଅଣୁ ରୁ ପରମାଣୁ, ପରମାଣୁ ରୁ ପରିସୀମା, ନଦୀରୁ ନକ୍ଷତ୍ର ଯାଏଁ ସମସ୍ତେ ପଞ୍ଚଭୂତରେ ଯଥା - ମାଟି, ପାଣି, ପବନ, ଆକାଶ, ଅଗ୍ନି ସହ ଅକ୍ଷୁର୍ଣ୍ଣ ଭାବରେ ଜଡ଼ିତ । ଆଉ ନୂତନ ସନ୍ଧାନରେ କିଛି ନୂଆଁ ଘଟଣାର ଅନ୍ଵେଷଣରେ ସୃଷ୍ଟିରେ ପରିବର୍ତ୍ତନମାନ ଘଟିତ ହୁଏ । ଉଦାହରଣ - ଯେତେବେଳେ ଆକାଶରେ ବାଦଲ ଫାଟେ ବର୍ଷାର ରୂପ ନେଇ ମାଟିକୁ ଓଦା କରେ ଆଉ ସୃଷ୍ଟିରେ ସତେଜ ଭରେ ଏବଂ ଏ ପ୍ରାଣୀ ଓ ଉଦ୍ଭିଦ ଜଗତରେ ନୂତନତାର ଉର୍ଜା ସଞ୍ଚାରରେ ପ୍ରେରଣା ହୋଇଥାଏ । ଋତୁ ଚକ୍ରର ପରିବର୍ତ୍ତନରେ ଗଛ ପତ୍ରଝଡ଼ା ଦିଏ ସତ, କିନ୍ତୁ ତା'ର ନୂତନତାକୁ ଜାଗ୍ରତ କରାଏ ପୁଣି ଭରିଦିଏ ଅଦମ୍ୟ ଶକ୍ତି ଆଉ ସଜେଇ ହୁଏ ନୂଆ ଫୁଲ, ଫଳ, ଓ ପତ୍ର ସାଙ୍ଗରେ; ଆଉ ଆହୁରି ସୁନ୍ଦର ହୋଇ ଆଗକୁ ସେ ଗଢି ଚାଲେ ।  ସଂଘର୍ଷ ସହ ପରିବର୍ତ୍ତନ ଇତସ୍ତତଃ ଭାବରେ ଜଡ଼ିତ ।  ଯେମିତି ଏଗଲ୍ ବା ବାଜପକ୍ଷୀ କୁ ହିଁ ଦେଖନ୍ତୁ, ପକ୍ଷୀମାନଙ୍କ ମଧ୍ୟରେ ସବୁଠାରୁ ଉଚ୍ଚରେ ଆକାଶର ଛତିଚିରି ଉଡୁଥିବା ଏହି ମୁକ୍ତ ଆକାଶର ବିହଙ୍ଗ ଆକାଶର ଗଭୀରତାକୁ ମାପିବାରେ ଲାଗିପଡ଼ିଥାଏ, କାରଣ ସେ ଜାଣିଛି ତା' ଗଭୀରତାକୁ ପରିଣାମ ଯାହାବି ହେଉନା କାହିଁକି! ସେ ହାର ମାନି ନଥାଏ ବାସ ବହୁତ୍ ଉପରକୁ ଉଡ଼ିଚାଲେ । ଯେତେବେଳ ସମୟର ଅନୁକ୍ରମରେ ତାର ମୁନିଆ ଥଣ୍ଟ ବଢ଼ି ଚାଲିଥାଏ, ଆଉ ତାହା ବଙ୍କା ହେବାର ଆକୃତି ନିଏ ସେଥିରେ ତା'ର ଶିକାର କରିବାର କ୍ଷମତା କମିବାରେ ଲାଗେ, ଖାଦ୍ୟ ଖାଇବାରେ ବି ବାଧାପ୍ରାପ୍ତ ହୁଏ, ସେ ଆଉ ଖାଦ୍ୟକୁ ତା'ର ଥଣ୍ଟ ସାହାଯ୍ୟରେ ଭଲରେ ଖାଇପାରେ ନାହିଁ, ଯେହେତୁ ସେ ଖାଇପାରେ ନାହିଁ ତା'ର ଶରୀର ଦୁର୍ବଳ ହେବା ସାଧାରଣ କଥା । ସେଥିପାଇଁ ସେ ସଂଘର୍ଷ କରେ, ସେ ନିଜ ପାଇଁ ନିଜ ଜୀବନ ପାଇଁ, ନିଜକୁ ରକ୍ଷା କରିବାପାଇଁ, କାହିଁକି ନା ସେ ଜାଣେ ଯଦି ଏ ବଙ୍କା ଥଣ୍ଟକୁ ସେ ନଭାଙ୍ଗେ ସେ ଖାଦ୍ୟ ଖାଇପାରିବ ନାହିଁ । ଯାହାଫଳରେ ତା'ର ମୃତ୍ୟୁ ହେବାଟା ଥୟ; ଆଉ ଉଡ଼ି ଯାଏ କେଉଁ ଏକ ଅପହଞ୍ଚ ଇଲାକାକୁ ଦେଖି ଏକ ଉଚ୍ଚତମ ଶୃଙ୍ଗ, ଯେଉଁଥିରେ ତା'ର ବଙ୍କା ଥଣ୍ଟକୁ ସେ ପଥରରେ ପିଟି-ପିଟି, ଘଷି-ଘଷି ଭାଙ୍ଗି ପାରିବ ଆଉ ତାକୁ ଏକ ନୂତନ ଆକାର ଦେଇପାରିବ, ଆଉ ତାହା ସେ କରେ ଓ ସଫଳ ହୁଏ ।

ଯଦି ବାଜପକ୍ଷୀର ଜୀବନକୁ ଆମେ ଥରେ ଦେଖିବା ତାର ବଙ୍କା ଥଣ୍ଟକୁ ଭାଙ୍ଗିବାରେ ତା'ର ନିଜ ସହ ସଂଗ୍ରାମ ଆଉ ସେ ସଂଗ୍ରାମରେ ତାର କଷ୍ଟ, ଯନ୍ତ୍ରଣା ତାକୁ ଆହୁରି ମଜବୁତ୍ କରି ଗଢ଼ିବା, ଏହା ଏକ ନୂଆ ସନ୍ଧାନ ବା ନୂତନ ଊର୍ଜାର ନମୁନା ।  ସେଥିପାଇଁ ତ କୁହାଯାଏ " ଯେଉଁ ପକ୍ଷୀ ଉଡ଼େ ଯେତେଦୂର, ସେ ଜାଣେ ତାହାର ବିଚାର" ।  ଆଉ ବାଜପକ୍ଷୀ ବା ଇଗଲ ଠୁ ଭଲ ଉଦାହରଣ କିଛି ହେଇ ନ ପାରେ ।  ଯାହା ଦର୍ଶାଏ ଆମ ଜୀବନକୁ, କିଛି ପାଇବାର ନୂଆଁ ଆଶାକୁ, କିଛି କଷ୍ଟ, ଯନ୍ତ୍ରଣାର ଆବେଗକୁ, ଆଉ ବହୁତ୍ କିଛି ଜାଣିବାର କିଛି ନୂଆଁ ଶିଖିବାର ପ୍ରେରଣା ଦିଏ ଏ ଜୀବନକୁ ଆଉ ଚେତାଇ ଦିଏ କିଛି ନୁତନ ସନ୍ଧାନର ଅନ୍ୱେଷଣରେ ବାଧା, ବିଘ୍ନ, ଦୁଃଖ, ଯନ୍ତ୍ରଣା, ଅପମାନ, ନିନ୍ଦା, ଲୋକହସା, ଅପପ୍ରଚାର ଏ ସବୁ ଜିନିଷର ସାମ୍ନା କରିବାକୁ ହିଁ ପଡ଼ିବ ।  କିନ୍ତୁ ସେ ସବୁ ଜିନିଷ ହିଁ ତ ଆମକୁ ଆଗକୁ ଜୀଇଁବାର, ଆଗବୁ ବଢ଼ିବାର ମାର୍ଗ ସୂଚିତ କରିବା । ସେ ସବୁ ଆମ ନିଜ ଜୀବନକୁ ଆବିଷ୍କାର କରିବାର ଗୋଟିଏ ଗୋଟିଏ ସ୍ତର ବା ପାହାଚ ହେବ । ସେମାନଙ୍କ ଦ୍ଵାରା ହିଁ ଆମେ ଉଡ଼ିପାରିବା ମୁକ୍ତ ବିହଙ୍ଗ ହୋଇ ମୁକ୍ତ ଆକାଶର ଦିଗବଳୟରେ! ନା ଥିବ ଛୋଟ ଛୋଟ ପକ୍ଷୀ ମାଙ୍କର କିଚିରୀ ମିଚିରୀ ଶବ୍ଦ, ନା ଥିବ କୋଳାହଳର କକର୍ଷତା ଥିବ ତ' କେବଳ ସ୍ଵାଧୀନତାର ମହକ ଆଉ ନୂତନତାର ଆନନ୍ଦମୟ ତୃପ୍ତି...! ସେଥିପାଇଁ ବୋଧେ କୁହାଯାଏ ଯେ "ପ୍ରତ୍ୟେକ ଯନ୍ତ୍ରଣା ଗୋଟିଏ ଗୋଟିଏ ଶିକ୍ଷା ଓ କିଛି ସନ୍ଧାନ ନୂଆଁ ଉର୍ଜାର ଆବିଷ୍କାର" । 

ଶୁଣିଛି କାଳେ "ପୋଡ଼ା ମକାର ଚାହିଦା ବେଶୀ" ହଁ ସେଥିପାଇଁ ତ' ବଜାରରେ ମିଳୁଥିବା ତିରିଶି ଟଙ୍କାରେ ଚାରିଟା ମକା, ନିଆଁରେ ପୋଡ଼ିଲା ପରେ ସେ ଗୋଟିଏ ମକାକୁ ଲୋକ କୋଡ଼ିଏ ଟଙ୍କାରେ ବି କିଣି ନିଅନ୍ତି । କହିବାର ତାତ୍ପର୍ଯ୍ୟ ଯେ - "ସଂସାର ଭିତରେ ଘର କରିଥିଲେ, ପଥର ପଡ଼ିଲେ ସହି" ବଞ୍ଚିବା ପାଇଁ ତ ସଂଘର୍ଷ କରିବାକୁ ହିଁ ପଡ଼ିବ । ଆଉ ପରିବର୍ତ୍ତନ ମାନେ ସଂଘର୍ଷ ଆଉ ସଂଘର୍ଷ ମାନେ ବାଧା, ବିଘ୍ନ, ଦୁଃଖ, ଯନ୍ତ୍ରଣା.. ଏ ସବୁ ଜୀବନର ସତ୍ୟ' ଏହାକୁ ଯେତେ ଶୀଘ୍ର ମାନି ନେବା, ସେତେ କମ୍ କଷ୍ଟ ହବ ଯେମିତି "ମୃତ୍ୟୁ" ଜୀବନରେ ଆସିବ ହିଁ ଆସିବ କାଳର ହାତରୁ ରକ୍ଷା ନାହିଁ କିଏ ବି! ଏଥିରେ ଭାଙ୍ଗି ପଡ଼ିବାର କିଛି ନାହିଁ । ଉତ୍କଳ ମଣି ଗୋପବନ୍ଧୁ ଦାସ କୁହନ୍ତି - "କେହି ରହିନାହିଁ ରହିବେ ନାହିଁ ଟି; ଭବ ରଙ୍ଗ ଭୂମି ତଳେ, ସର୍ବେ ନିଜ ନିଜ ଅଭିନୟ ସାରି, ଵାହୁଡ଼ିବେ କାଳ ବଳେ" ।

ଏ ସବୁ ଅସହ୍ୟ ଦୁଃଖ ଯନ୍ତ୍ରଣା ଆମ ଚାହିଦାକୁ ବଢାଏ, ଆମର ମୂଲ୍ୟକୁ ଦ୍ଵିଗୁଣିତ କରେ, ଆମକୁ ନୂତନତ୍ୱରେ ପରିଣତ କରି ଗୋଟେ ଭଲ ମଣିଷଟିଏ କରି ଗଢ଼ି ତୋଳ, ଆମ ଭିତରେ କିଛି ନୂଆଁ ଆବିଷ୍କାର କରାଏ, ବଞ୍ଚିବାର କଳା ଶିଖାଏ, ଏକ ସ୍ଵତନ୍ତ୍ର ପଥ ନିରୂପଣ କରାଏ, ଗୋଟିଏ ମାନବର; ମାନବିକତାକୁ ସମାଜ ଆଗରେ ପରିମାର୍ଜିତ କରି ଦେଖାଏ, ଆଉ ସବୁଠୁ ବଡ଼କଥା - ତା' ନିଜ ସହ ନିଜର ପରିଚୟ କରାଏ, ଆଉ ଶେଷରେ ତାକୁ ସ୍ଥିତପ୍ରଜ୍ଞରେ ପରିଣତ କରିଥାଏ । ଆଉ ଏ "ସ୍ଥିତପ୍ରଜ୍ଞ" ଶବ୍ଦର ସଂଜ୍ଞା ଶ୍ରୀମଦ୍ ଭାଗବଦ୍ ଗୀତାର ଦ୍ଵିତୀୟ ଅଧ୍ୟାୟର ୫୪-୬୮ ନମ୍ବର ଶ୍ଲୋକରେ ଅତି ସୁନ୍ଦର ଓ ନିଖୁଣ ଭାବରେ ବର୍ଣ୍ଣିତ ।            

ବାଇଶିପଳ, ଗଞ୍ଜାମ, ଓଡ଼ିଶା - ୭୬୧୧୪୪
ଫୋନ ନମ୍ବର - ୭୩୭୭୫୫୪୭୧୯

VOL.IX,  ISSUE.IX,  SEPTEMBER-2025

Published By Banamallira Mahak

Post a Comment

0Comments
Post a Comment (0)