ତମେ ମୁଁ ଆଉ ବର୍ଷା - ସୁଧାକର ସେଠୀ

0

ବର୍ଷା, ତମେ ଆଉ ମୁଁ 
ଖୁବ ନିକଟରେ
ପାହାନ୍ତି ସକାଳରେ
ଓଦା ପଣତରେ 
ଟୁପୁରୁ ଟୁପୁରୁ ଶଦ୍ଦରେ 
ଭିଜାଭିଜା ଦେହ
ଆଉ ଉଷ୍ମ ମନରେ 
ବର୍ଷା, ତମେ ଆଉ ମୁଁ 
ଖୋଲା ଆକାଶରେ ।

ତା ଆକ୍ଷି ଇଶାରାରେ
ଶକ୍ତ ବାହୁବନ୍ଧନରେ
ଅଜବ ଶିହରଣରେ
କିଛି ହଜାଇ ପାଇବାରେ
ବର୍ଷା, ତୁମେ ଓ ମୁଁ 
ଏକ ଅଜଣା ପୁଲକରେ ।

କିଛି ଜାଗରଣରେ କିଛି
ସମ୍ମୋହନରେ 
ଅର୍ଦ୍ଧ ମୁଦ୍ରିତ ଆଖିରେ ଅବା
ଦୁର୍ବଳ ମନରେ 
ବର୍ଷା, ତମେ ଆଉ ମୁଁ 
ଖୁବ ନିକଟରେ ।

ପୋଖରୀ ତୁଠରେ,
ନିଛାଟିଆ ନଇ ପଠାରେ
ଧାନ ଖେତରେ ଅବା
ସହରର ନଙ୍ଗଳା ଫୁଙ୍ଗୁଳା ସଡକରେ
ଦଲକାଏ ପଵନରେ
ଅବା ନୀଳ ସାଗରର 
ଅମାନିଆ ଢେଉ ସଥିରେ
ତୁମେ ମୁଁ ଆଉ ବର୍ଷା 
ଏକ ଅସମାହିତ ଗଣିତ
ସମାଧାନରେ ।

ଝରକା ସେପାଖରେ
ଚା କପରେ,
ଖିଆଲି ମନରେ
ନାଲି ନାଲି ଓଠରେ,
ପୁଷ୍ପିତ କବରୀରେ
ଋଣଝୁଣ ପାଉଁଜି ଶବଦରେ 
ଅବା ଚୁପି ଚୁପି କଥାରେ 
ବର୍ଷା, ତମେ ଆଉ ମୁଁ ଏକ
ଖିଆଲି ମନରେ

ସବୁଜ ଘାସଗାଲିଚାରେ
କଦମ୍ବର ଗୋରା ଗାଲରେ
ଭେକର ରଡିରେ 
ସାଧବ ଵହୁର ଲୁଚକାଳି ଖେଳରେ 
କିଛି ସ୍ଵପ୍ନ ସମ୍ଭାବନାରେ 
ଏକ ଅଜଣା ମୂଲକରେ
ତୁମେ ମୁଁ ଆଉ ଵର୍ଷା 
ନିବିଡ ବନ୍ଧନରେ ।

ଜମ୍ବେଶ୍ଵରପୁର, ବାଲେଶ୍ଵର
ଦୂରଭାଷ - ୯୩୩୭୬୮୧୫୨୪

VOL.IX,  ISSUE.IX,  SEPTEMBER-2025

Published By Banamallira Mahak

Post a Comment

0Comments
Post a Comment (0)