
ଓଡ଼ିଶା ନୁହେଁ ଯେ ଖାଲି
ତିନୋଟି ଅକ୍ଷର,
କଳା, ଶିକ୍ଷା, ସଂସ୍କୃତିର
ଏହା ଗନ୍ତାଘର |
ଅନେକ ଗାଥା ରହିଛି
ଆମ ଓଡ଼ିଶାକୁ ନେଇ,
ଆଜି ଗର୍ବରେ ଚାଲୁଛୁ ଆମେ
କେବଳ ସେହି କଥା ପାଇଁ |
କର୍ପୂର ଉଡ଼ିଯାଇଛି
କିନ୍ତୁ, କନା ପଡ଼ିଅଛି,
ଆଜି ବି କୋଣାର୍କର ଚାରୁକଳା
ସାରା ଦୁନିଆ ଦେଖୁଛି।
ଦେଖିଛ କି ଆସି କେବେ
ବାଲିଯାତ୍ରା, ସାହିଯାତ?
ହୋଇଛି କି କେବେ ୟାଙ୍କ
ସାତରଙ୍ଗରେ ରଙ୍ଗିତ?
ପିପିଲି ଚାନ୍ଦୁଆ ଦେଖି
ଆଖି ହୋଇଯାଏ ଖୋସି,
ପାଟ ଶାଢ଼ୀର ଚମକେ
ଦିନ ଭଳି ଲାଗେ ନିଶି |
ମହୁରୀର ତାଳେ ଯେବେ
ବାଜଇ ମାଦଳ,
ଡାଲଖାଇ ନାଚ ଦେଖି
ମନ ହୁଏ ଯେ ପାଗଳ |
ବରଷା ଦିନରେ ମୁଢ଼ି଼
ଗ୍ରୀଷ୍ମରେ ପଖାଳ,
ନାମ ଶୁଣିଲା ମାତ୍ରକେ
ପାଟିରୁ ବହି ଆସେ ଲାଳ |
ଓଡ଼ିଶାର ମିଠା କଥା ପଚାରୁଛ କାହିଁ
ରସଗୋଲା ହେଉ ଅବା ହେଉ ରସାବଳୀ,
ଅମୃତ ସମାନ ସବୁ
ଏକୁ ଆରକକୁ ବଳି |
ସୁନ୍ଦରୀ ନୁହେଁ ସେ ଖାଲି
ସର୍ବଗୁଣରେ ସଂପୂର୍ଣ୍ଣା,
ତ୍ରି - ଦେବୀଙ୍କ ସମାହାର
ଆମ ଓଡ଼ିଆ ଲଳନା |
ଭାଗବତ ଟୁଙ୍ଗୀରୁ
ଯେବେ ଭାସିଆସେ ଭାଗବତ,
ମନ ହୁଏ ପବିତ୍ର ଓ
ଶାନ୍ତ ହୁଏ ଚିତ୍ତ |
ହାତଗୋଡ଼ ନ ଥାଇ ବି
ଜଗତ ଯେ ପାଳେ,
ଏ ଜୀବନ ରୂପକ ରଥ
ତା' ଆଜ୍ଞାରେ ଚଳେ |
ଯାହାର ରହସ୍ୟ ଭେଦି ପାରେନା ଜଗତ
ଯାହାବିନୁ ନାହିଁ ଅନ୍ୟ କୌଣସି ବି ପଥ,
ସର୍ବସୁଖ ଦିଏ ଯିଏ ଟେକିଦେଲେ ହାତ
ଉତ୍କଳର ପ୍ରାଣ ସିଏ "ପ୍ରଭୁ ଜଗନ୍ନାଥ" |
ଭାଗ୍ୟ ବଳେ ହେଲୁ ଆମେ
ଉତ୍କଳ ମାତାର ସନ୍ତାନ,
ଦୁନିଆରେ ନାହିଁ
ଏହା ସମ କେଉଁ ସ୍ଥାନ |
ରେଭେନ୍ସା ବିଶ୍ୱବିଦ୍ୟାଳୟ, କଟକ
VOL.IX, ISSUE.IX, SEPTEMBER-2025
Published By Banamallira Mahak