
ଦୀର୍ଘ ଏକ ପ୍ରତୀକ୍ଷାର ଅନ୍ତ ଘଟାଇ
ନିଦାଘ ଗ୍ରୀଷ୍ମର ଉଦାସ ଛାତିରେ
ଝିପିଝିପି, ଝରଝର, ଛମଛମ ହୋଇ
ଆସିଥିଲି ପ୍ରେୟସୀର ଘୁଙ୍ଗୁର ବଜାଇ
ମୋ’ ମନରେ ଗଭୀର ଉଷ୍ମତା ଓ
ଶରୀରର ଅଲିଭା ଜ୍ଵଳନ
ନିର୍ବାପିତ ହୋଇଥିଲା ତୁମ
ଅଙ୍ଗ ସଙ୍ଗ ଲଭି,
ପ୍ରତିକ୍ଷଣେ ଅନୁକ୍ଷଣେ
ତୁମ ଆଶ୍ଳେଷ ଲାଭରେ ।
ପ୍ରତିବର୍ଷ ପରି ବର୍ଷା କଥା ରକ୍ଷାକରି
ତୁମେ ଆସିଥିଲ ମୌସୁମୀର ରୂପ ନେଇ
ଘନ ଘୋର ନିବିଡ ଅନ୍ଧାରେ
ଆସିଥିଲ ବାଦଲ ଫଟାଇ ତାଣ୍ଡବ ରଚାଇ
ଦର୍ଦ୍ଦୁରର ଦୁନ୍ଦୁଭି ବଜାଇ
ଦାମିନୀରେ ମେଦିନୀ କମ୍ପାଇ
ନୀରବରେ ଛୁଇଁ ଯାଉଥିଲ
ମୋ ଶରୀରର ଅଙ୍ଗ ପ୍ରତ୍ୟଙ୍ଗକୁ ।
ମନ ମୋର ଶାନ୍ତ ହୋଇ ଯାଉଥିଲା
ତୁମ ପ୍ରଥମ ଛୁଆଁରେ
ମନ ଆଉ ହୃଦୟ ତନ୍ତ୍ରୀରେ
ନୂଆ ଏକ ଉପଲବ୍ଧି ଢେଉ ଭାଙ୍ଗୁଥିଲା,
ରୋମାଞ୍ଚିତ, ପଲ୍ଲବିତ, ଉନ୍ମାଦିତ ହେଉଥିଲା
ସାରା ଶରୀରଟା କଦମ୍ବ ରୋମାଞ୍ଚେ
ତୁମ ଅଙ୍ଗ ସଙ୍ଗ ଲାଭ କରି
ପ୍ରତିଟି ଚୁମ୍ବନେ, ପ୍ରତି ଆଲିଙ୍ଗନେ
ଧୀରେ ଧୀରେ ଆଘ୍ରାଣ କରୁଥିଲି
ଆର୍ଦ୍ର ମାଟିର ପ୍ରଥମ ଗନ୍ଧକୁ
ଆଘ୍ରାଣ କରୁଥିଲି ଫୁଲର ବାସ୍ନାକୁ
ବାକଶୂନ୍ୟ ଗଛଲତା, ଫୁଲ ଆଉ ପଶୁପକ୍ଷୀ
ପାନକରି ଯାଉଥିଲେ ଅମୃତର ଧାରା
ସଦ୍ୟସ୍ନାତା ପୃଥିବୀକୁ, ଆକାଶକୁ
ଦେଖୁଥିଲି ବାରମ୍ବାର
ଆକାଶଟା ଚାହିଁଥିଲା ଡବଡବ
ନୀଳ ଆଉ ଉଦାସ ଆଖିରେ
ନୟନୁ ତା’ ଝରିପଡୁଥିଲା ଢଳଢଳ ବର୍ଷାଜଳ
ପୃଥିବୀର ଶସ୍ୟ ଶ୍ୟାମଳ ବକ୍ଷରେ
ଟିକି ଟିକି ଚାତକର ଟୁକୁ ଟୁକୁ ଓଠେ
ଖସି ପଡୁଥିଲା ମୁକ୍ତାସମ ଜଳବିନ୍ଦୁ
ଆଦ୍ୟ ଆଷାଢର ବାରିଧାରା ସଲ୍ଲଜ ଚାହାଣୀରେ
ଚାହୁଁଥିଲା ମେଘର ଓଢଣା ତଳୁ ଧୀରେ
ଆଦ୍ୟ ଯୌବନା ଅନୁଢା କିଶୋରୀ ପରି ।
ଠିକଣା - ୧୪୭/ଏ, ଜୋନ-ବି, ମଞ୍ଚେଶ୍ଵର, ଭୁବନେଶ୍ଵର
ଦୂରଭାଷ - ୯୪୩୭୦୪୦୭୩୭
VOL.IX, ISSUE.VII, JULY-2025
Published By Banamallira Mahak
ପ୍ରକାଶିତ ଲେଖାଟି ଯଦି ପଢି ସାରିଛନ୍ତି, ଆପଣଙ୍କ ପ୍ରତିକ୍ରିୟା ଏଠାରେ ନିଶ୍ଚୟ ରଖନ୍ତୁ ।