
ସରୋବର ଜଳେ ଝାଉଁଳି ପଡିଛି
କଇଁର ସତେଜ୍ ମୁହଁ
ଅପେକ୍ଷା କରିଛି ପୁର୍ଣ୍ଣମୀ ଜହ୍ନକୁ
ବହିଯାଏ ଧାରେ ଲୁହ ।।
ବିରହିଣୀ ପ୍ରାୟେ ପ୍ରୀତିର ପାଖୁଡା
ଗୁଣୁ ଗୁଣୁ ତୋଳେ ସ୍ଵର
ଜ୍ୟୋତ୍ସ୍ନା ପଣତେ ଭିଜିବା ପାଇଁକି
ଇଛା ହୁଏ ବାର ବାର ।।
ଅମାବାସ୍ୟାର ଅନ୍ଧକାରଟା
ହୃଦୟହୀନ ଯେ ସାଜେ
ଲୁଚାଇଦିଏ ତା ପ୍ରିୟର ମୁହଁକୁ
ମନେ ମନେ କେତେ ଖୋଜେ ।।
ଚାନ୍ଦ ବି ବୁଝେ କୁମୁଦ ହୃଦୟ
ଭରିଯାଏ ମନେ କୋହ
ତାବିନା କିଏସେ ବୁଝେ ତା ପ୍ରେମକୁ
ସେଥିପାଇଁ ସିନା ମୋହ ।।
ଅପେକ୍ଷାର ଫଳ ମିଠା ବୋଲି ଜାଣେ
ପବନ ତାକାନେ କହେ
ଦୂରେ ଥାଏ ବୋଲି ଚାନ୍ଦକୁ କୁମୁଦ
ଝୁରିବାକୁ ଭଲ ପାଏ ।।
ଅମାବାସ୍ୟାଟା ଅଛି ବୋଲି ସିନା
କଇଁ ଜ୍ୟୋସ୍ନା ଖୋଜୁଥାଏ
ଦେହ ଯେତେ ଦୂର ମନ ସେତେ ପାଖ
ଜହ୍ନ ବି ବୁଝିଯାଏ ।।
ଓରାଳି, ହାଟଡିହି, କେନ୍ଦୁଝର
ମୋ - ୯୪୩୮୧୯୧୮୫୦
VOL.IX, ISSUE.VII, JULY-2025
Published By Banamallira Mahak
ପ୍ରକାଶିତ ଲେଖାଟି ଯଦି ପଢି ସାରିଛନ୍ତି, ଆପଣଙ୍କ ପ୍ରତିକ୍ରିୟା ଏଠାରେ ନିଶ୍ଚୟ ରଖନ୍ତୁ ।