ବର୍ତ୍ତମାନର ରଜପର୍ବ - ଡ଼ଃ ଅନୁପମା ବିଶ୍ୱାଳ

0

ଆମରି ଉତ୍କଳ ଅଟେ ସମୁଜ୍ଜ୍ୱଳ
ସୁସ୍ଥ ସଂସ୍କାର ସଂସ୍କୃତି
ନୀତି ପରମ୍ପରା ଦିଏ ସୁଖଧାରା
ଚେତାଏ ଅତୀତ ସ୍ମୃତି ।
ଅଟେ ସୁସମ୍ପନ୍ନ ପୂଜା ପାରବଣ
ମନକୁ କରେ ସୁରସ
ସୁରଭିତ ପ୍ରାଣେ ଶୀତଳ ଚନ୍ଦନେ
ଦୂର ହୁଅଇ କଳୁଷ ।
କୃଷିଭିତ୍ତି ପର୍ବ ମନେ ଭରେ ଗର୍ବ
ପାଳନେ ରଜ ଉତ୍ସବ
ରଜଦୋଳି ଖେଳ ସାଙ୍ଗସାଥୀ ମେଳ
ମନରେ ଆନନ୍ଦ ଭାଵ ।
ଗଛେ ତୋଳି ଦୋଳି ଖାଇ ପାନ ଖିଲି
ହରିଦିଏ ସବୁ ଖେଦ ।
ପାଦରେ ଅଳତା କପାଳରେ ଚିତା
ବେଣୀରେ ମଲ୍ଲୀ-ମୁକୁତା
ପିନ୍ଧି ନୂଆ ବାସ ହୁଅଇ ହରଷ
ମନେ ମନେ ଉଲ୍ଲସିତା ।
ସମୟ ଯାଉଛି ରୂପ ବଦଳୁଛି
ବଦଳୁଛି ପରିଭାଷା
ଵଣ ଜଙ୍ଗଲ ତ ହେଲା ପରିଷ୍କୃତ
ତୁଟି ଯାଉଛି ଭରସା ।
ଗଛ ଅଭାବରୁ ମେଘ ହୁଏ ଭୀରୁ
କରେ ନାହିଁ ବାରିପାତ
ବସୁମତୀ ମାଆ ଟେକୁଅଛି ରାହା
ଅଶ୍ରୁ ଵହେ ଅବିରତ।
ଝିଅ ବୋହୂ କଥା ଶୁଣି ଘୂରେ ମଥା
ନାଇବେ ନାହିଁ ଅଳତା
ମଲ୍ଲୀ ଫୁଲ ଖୋସା ହୁଏ ଲୋକହସା
ବେଣୀରେ ନାହିଁ ରମ୍ୟତା ।
ମିଠା ପୋଡ଼ପିଠା ଲାଗେ ନାହିଁ ମିଠା
ପାଟି ଖୋଜେ ଅନ୍ୟକିଛି
ବଜାରକୁ ଗଲେ ସବୁ ପ୍ରାୟ ମିଳେ
କିଣନ୍ତି ଯେ ବାଛି ବାଛି ।
ହିନ୍ଦି ଗୀତେ ଆଜି ମନ ଯାଏ ହଜି
ଦୂରେ ଥାଏ ରଜଗୀତ
ମୁଚୁକୁନ୍ଦ ହସ ହୁଅଇ ବିରସ
ମୁଣ୍ଡେ ବୋହି ପରବତ ।
ସମୟାନୁସାରେ ଆଧୁନିତାରେ
ଏହା ହେଉଛି ପାଳିତ
ରହିଛି ମହକ ବଢୁଛି ସଉକ
ଭିନ୍ନ ରଙ୍ଗେ ରଙ୍ଗାୟିତ ।

ସମ୍ବଲପୁର, ଓଡିଶା
ମୋ - ୭୯୭୮୫୬୮୩୨୨

VOL.IX,  ISSUE.VII,  JULY-2025

Published By Banamallira Mahak

Post a Comment

0Comments

ପ୍ରକାଶିତ ଲେଖାଟି ଯଦି ପଢି ସାରିଛନ୍ତି, ଆପଣଙ୍କ ପ୍ରତିକ୍ରିୟା ଏଠାରେ ନିଶ୍ଚୟ ରଖନ୍ତୁ ।

Post a Comment (0)