ବର୍ଷା - ସ୍ଵର୍ଣ୍ଣଲତା ପତି

0

ବିଷମ ଗ୍ରୀଷମ ତାଡନା ଅସୀମ
ଅତିଷ୍ଠ ହୋଇଲା ଧରା,
କୋମଳ ତନୁରେ ଶୀତଳତା ଲାଗି
ମଉସୁମୀ ଆସେ ପରା ॥

ବରଷା ପରଶେ ତରୁଲତା ହସେ
କଅଁଳେ ନବ ପଲ୍ଲବ,
ମାଟି ପୁଷ୍ପବତୀ ପୂର୍ଣ୍ଣଗର୍ଭା ନଦୀ
ପୁଷ୍ପ ବିତରେ ସୌରଭ ॥

ବନେ ଉପବନେ ମୟୂର ନାଚଇ
ଭେକ ଡାହୁକଙ୍କ ରଡି,
କେଦାରେ କେଦାରେ ସବୁଜିମା
ଭରେ ରଥଚକ ଯାଏ ଗଡି ॥

ଘାସ ଗାଲିଚାରେ ସାଧବବୋହୁଯେ
ନାଲି ଟୁକୁଟୁକୁ ଦେହେ,
ଥିରିଥିରି ପାଦେ ବରଷାଋତୁର
ଶୋଭାକୁ ବଢ଼ାଉଥାଏ ॥

ରଜ ନୂଆଖାଇ ଯେ ଗହ୍ମା ପୁନେଇଁ
ଘରେ ଘରେ ପୂଜା ମଜା,
ଗୁଣ୍ଡିଚା ରଥରେ କାଳିଆ ରଜା ଲୋ
ବାଜୁଥାଏ କେତେ ବାଜା ॥

ବରଷା ଆସିଲେ ଚଷା ଭାଇ ଗାଏ
ମନମତାଣିଆ ଗୀତ,
ସାରୁ ଗଛ ମୂଳେ ବେଙ୍ଗୁଲିରାଣୀତ
ପତର ଟି ତା'ର ଛାତ ॥

ତୁମେ ଯେ ବରଷା ସକଳ ଭରସା
ବନ୍ଧୁ ଜୀବଜଗତର,
କରୁଣା ପ୍ରକାଶି ସଭିଙ୍କୁ ଉଶ୍ୱାସି
ବାରି ଦିଅ ନିରନ୍ତର ॥

ଉତ୍ତରା ଶାସନ, କୌଶଲ୍ୟାଗଙ୍ଗ, ପିପିଲି, ପୁରୀ

VOL.IX,  ISSUE.VII,  JULY-2025

Published By Banamallira Mahak

Post a Comment

0Comments

ପ୍ରକାଶିତ ଲେଖାଟି ଯଦି ପଢି ସାରିଛନ୍ତି, ଆପଣଙ୍କ ପ୍ରତିକ୍ରିୟା ଏଠାରେ ନିଶ୍ଚୟ ରଖନ୍ତୁ ।

Post a Comment (0)