ପାଞ୍ଚଟି ଏକପଦୀ - ସପ୍ତମ ଭାଗ - ରମେଶ ମଙ୍ଗରାଜ

0

ଅତି ଆପଣାର ଲାଗିଲ ବୋଲି ତ
ଅନୁଭବ କରିଥିଲି
ଅନ୍ଧ ଭଳି ବୋଧେ ସେଇତି ପାଇଁକି
ଅନ୍ତରଙ୍ଗ କରିନେଲି ॥୧॥

ଅନ୍ଧ ରାଇଜରେ ଦର୍ପଣ ବିକିଲି
ଅତି ଅଲାଜୁକ ହୋଇ
ଅନ୍ଧକୁ ଗୋହିରୀ ବାଟ ଦେଖାଇଲି
ଅକାଳ କୁଷ୍ମାଣ୍ଡ ମୁହିଁ ॥୨॥

ଅତି ପରିଚୟେ ଗଉରବ ନଷ୍ଟ
ଅତି ଲୋଭେ ହୁଏ ମୃତ୍ୟୁ
ଅତି ଗରବରେ ହତ ହେଲା ଲଙ୍କା
ଅତି ହିଁ ପରମ ଶତ୍ରୁ ॥୩॥

ଅଖା ଧୋଇ ଧୋଇ ଗୁଣ ଗାଇ ଗାଇ
ଅକଲ ଗୁଡୁମ ହେଲା
ଅବୁଝା ରାଜାକୁ ପାଳବିଣ୍ଡା ମନ୍ତ୍ରୀ
ଅଳପେ ଇଜ୍ୱତ ଗଲା ॥୪॥

ଅଲାଜୁକ ମୁହଁ ଦେଖାଇ ହୁଏନି
ଅପବାଦ ବୋଝ ବୋହି
ଅନ୍ତଃର ମଣିଷ ସମ୍ପର୍କ କାଟିଲା
ଅଧା ବାଟ ସାଥେ ନେଇ ॥୫॥

କବି ଓ କବିତା ଭବନ
ମହୁଲ, ଅଙ୍ଗାରପଡା, ଖୋର୍ଦ୍ଧା
ଦୂରଭାଷ - ୮୧୧୪୬୦୯୨୮୦

VOL.IX,  ISSUE.VI,  JUNE-2025

Published By Banamallira Mahak

Post a Comment

0Comments

ପ୍ରକାଶିତ ଲେଖାଟି ଯଦି ପଢି ସାରିଛନ୍ତି, ଆପଣଙ୍କ ପ୍ରତିକ୍ରିୟା ଏଠାରେ ନିଶ୍ଚୟ ରଖନ୍ତୁ ।

Post a Comment (0)