
ଜୀବନ ଗାଆଁର ଅଙ୍କାବଙ୍କା ଗଳିର ଶେଷ ମୁଣ୍ଡରେ ମୋ ଭାବନା କେବେଠୁ ତୁମ ଅପେକ୍ଷାରେ ଧୈର୍ଯ୍ୟହରା ହେଇ ସାରିଲାଣି । ସେ ନିତିଦିନ ଖୁସିର ଶୃଙ୍ଗାର ମାଖି ହୋଇ, ମନେ ମନେ ଦାନ୍ତ ନିକୁଟାଇ, ହସରେ ଜର୍ଜରିତ ହୋଇ ଶବରୀ ଭଳି ମିଠା ଶବ୍ଦ ସବୁ ଗୁନ୍ଥି ରଖିଥାଏ । ତୁମେ ଆସିବ ବୋଲି ସେ ହୃଦୟ ଦ୍ୱାରକୁ ନିତି ଗଙ୍ଗା ଜଳରେ ବିଶୁଦ୍ଧ କରେ । ସରଗର ପାରିଜାତ ଆଣିବାକୁ ସାଧ୍ୟ ନାହିଁ ତା'ର ନହେଲେ ସେ ନେଇଆସନ୍ତା । ବାଛି ବାଛି ସବୁ ସୁଗନ୍ଧଯୁକ୍ତ ସୁମନ ଆଣି ବିଛେଇ ଦିଏ ତୁମ ଆସିବା ପଥରେ । ଗୋଧୂଳି ବେଳକୁ ଯାଇ ଗଳି ମଝିରେ ଉହୁଙ୍କି ପଡି ଅନେଇ ଦେଇ ଆସେ ନିତି, ଗାଆଁର ସେଇ ଶେଷ ମୁଣ୍ଡକୁ । କାଳେ ତୁମେ ଆସୁଥିବ କି ?
ହେଲେ... ତୁମେ ଆସନି କେବେ । ଖାଲି ସ୍ଵପ୍ନ ଦେଖାଅ । ସତରେ ତୁମେ ସ୍ଵପ୍ନର ସୈାଦାଗର । ଅନାମିକା ଭଲପାଇବାର ଅବାସ୍ତବ ଦରିଆରେ ବୁଡ଼େଇ ଦେଇ ଚାଲିଯାଅ ତୁମେ । ପାଗଳ ଭଅଁର ପରି ମୁଁ ବୁଡିଯାଏ, ତୁମ ସେ କଥାର ମାଧୁରିମାରେ, ହେଲେ ତୁମେ ସେଇ ମିଠା ମିଠା କଥା କହି ନେଇଯାଅ ମୋତେ ସାତତାଳ ପଙ୍କକୁ । ଛଳନା ପ୍ରଦେଶର କଳଙ୍କିତ ନବ ଅଭିଷିକ୍ତ ନାୟକ ତୁମେ, ଏକଥା ବୁଝିସାରିବା ପରେ ବି, ମୋ ପୀୟୂଷ ଭାବନା ନିତି ତୁମ ଆଗରେ ଆତ୍ମାହୁତି ଦିଏ ଓ ପୁଣିଥରେ ହଜାଇଦିଏ ନିଜକୁ ତୁମ ଭିତରେ । ହେଲେ ତୁମେ ପଦାଘାତ କରି ତାକୁ ଆଡେଇ ଦିଅ ଓ ଚାଲିଯାଅ ପୁଣି କାହାର ହୃଦୟ ଗୋଟେଇ, କାହା ଭାବନା ସହ ଖେଳିବାକୁ ।
ପ୍ରେମରେ ଖେଳେ ସେ, ପ୍ରେମରେ ପହଁରେ
ନକରି ତିଳେ ସଙ୍କୋଚ, ସଶଂୟ
ମୁଁ ନିତି ତା' ପାଇଁ ଜଳି ମରୁଥାଏ
ସେ ଭାବେ ମୋତେ ପାଗଳ ପ୍ରାୟ ।
ସତରେ କ'ଣ ତୁମେ କେବେ ଅନୁଭବ କରିପାରିବ ମୋ ନିଃସ୍ୱାର୍ଥପର ଭଲପାଇବାକୁ ? ନାଁ ତୁମ ହୃଦୟର କୋଉ ଗୋଟେ ନିବୁଜ କୋଣରେ ପଡ଼ିରହି ଦିନେ ସେ ନିଜକୁ ହରେଇ ଦେବ। ଜାଣେନା ମୁଁ, ଏହାର ଅନ୍ତ କେଉଁଠି । ବାସ୍ ତୁମ ପ୍ରୀତିର ପାଗଳିନୀ ଜଣେ ।
ବାଲିଚନ୍ଦ୍ରପୁର, ଯାଜପୁର, ଓଡିଶା
VOL.IX, ISSUE.VI, JUNE-2025
Published By Banamallira Mahak
ପ୍ରକାଶିତ ଲେଖାଟି ଯଦି ପଢି ସାରିଛନ୍ତି, ଆପଣଙ୍କ ପ୍ରତିକ୍ରିୟା ଏଠାରେ ନିଶ୍ଚୟ ରଖନ୍ତୁ ।