
ଆଙ୍କିବାର ଇଛା ହେଲେ
କ୍ୟାନଭାସରେ ତୋଳିନେବ ଅରୁଣିମା..
ନହେଲେ ଅନ୍ଧାର ଆକାଶ ଛାତିରେ ଦ୍ଵିତୀୟାର ଜହ୍ନ
ଛମ ଛମ ଅଭିସାରିକା ପାଦର ଗରିମା..!
ଗାଇବାର ଇଛା ହେଲେ
ସାଙ୍ଗ କରିବ କିଛି କୁନି ପ୍ରଜାପତି
କିଛି ବଣୁଆ ଫୁଲର କଢ଼ ..!
କିଛି ବାସ୍ନା ଫଗୁଣର ସ୍ନେହ ଛଳଛଳ
ନଈଟିର ଅମାନିଆ ଧାର..!
କହିବାର ଇଛା ହେଲେ
ଘୁମନ୍ତ ତାରାମାନେ ଏକାଠି ହେଲାବେଳେ
ସମୁଦ୍ର ପାଖକୁ ଯିବ ଚୁପ ଚାପ
କୋଳେଇ ନବ ଖସି ପଡୁଥିବା
ଲହରୀ ମାନଙ୍କୁ.. କାନରେ କହିବ
ଚୁପଚୁପ ଛାତି ତଳ କଥା .!
ଦେଖିବ ନଶୁଣିବି ବୁଝିବେ ସେ
ଯେତେ ସବୁ ଦୁର୍ବୋଧ୍ୟ କବିତା ..!
ମନଭରି ହସିବାକୁ ଇଚ୍ଛାହେଲେ
ନିଶାର୍ଦ୍ଧରେ ମଶାଣୀକୁ ଯିବ
ଆଖିଭରି ଦେଖିନଵ
ଧୁ ଧୁ ଚିତାରେ ବସି ଥିବା ସମୟ ର ମୁହଁ
ନିଆଁରେ କୁହୁଳୁଥିବା ଯୌବନର ଚିକମିକ ରଙ୍ଗ,
ଦର ସିଝା ସମ୍ପର୍କର ଶାଖା ପ୍ରଶାଖାରେ
ଖଟାମିଠା ସ୍ମୃତିର ତରଙ୍ଗ..
ଓ ପାଉଁଶରେ ଝରିପଡ଼ୁଥିବା
ବିଜୟ ର ଫରଫର ଧ୍ଵଜ ..!
ନିଶ୍ଚୟ ଦେଖିବ ହସିଦବ ଫିକ କରି....
କେତେ ଅଭିମାନ ଥିଲା ଏଇ ବାଲିଘର ,
ଶାମୁକା ପାଇଁକି କେତେ କେତେ
ଅକାରଣ ଲୁହ ଅସୁମାରୀ ?
କେତେ ଥିଲା ଅଳି ! କୁନି ପିଲା ଭଳି..
ପ୍ରେମ କରିବାକୁ ଇଛା ହେଲେ ଚୁମିନବ
ତୁମ ପ୍ରତୀକ୍ଷାରେ ଗଦଗଦ
ପ୍ରସ୍ଫୁଟିତ ଫୁଲର ପାଖୁଡା ତା ଓଠର ମଧୁ ..
ନାଚିବାକୁ ଇଛା ହେଲେ
ପିନ୍ଧିନଵ ଆଉଥରେ ପଦ ଯୁଗଳରେ
ଝୁମା ତାରୁଣ୍ୟକୁ...!
ତୁମେ ତ ନର୍ତ୍ତକ
ତୁମେ ନୃତ୍ୟ ତୁମେ ହିଁ ସଂଗୀତ
ଦର୍ଶକ ବି ତୁମେ ନିଜେ
ନାଚିଯିବ ଆଉଥରେ
ପ୍ରକ୍ଷେପିତ ସ୍ୱପ୍ନ ସାଥେ
ରୂପେଲି ପର୍ଦ୍ଦାରେ...!
ଡ଼ି-୪୨୪, ଡ଼ି ଏଚ ପି ଏଲ ସାହୁ ରେସିଡେନସି
ରଙ୍ଗମାଟିଆ, ମଞ୍ଚେଶ୍ଵର, ଭୁବନେଶ୍ଵର
ମୋ - ୯୮୯୨୦୦୦୨୨୪
VOL.IX, ISSUE.VI, JUNE-2025
Published By Banamallira Mahak
ପ୍ରକାଶିତ ଲେଖାଟି ଯଦି ପଢି ସାରିଛନ୍ତି, ଆପଣଙ୍କ ପ୍ରତିକ୍ରିୟା ଏଠାରେ ନିଶ୍ଚୟ ରଖନ୍ତୁ ।