
ନାରୀ, ତୁ ସହି ଯାଉ ବୋଲି ସର୍ବଂସହା
ହେଲେ ଯେବେ ପ୍ରତିବାଦ କରୁ
ତୁ ହେଇଯାଉ ଦୁଷ୍ଟ ଚରିତ୍ର,
ତୁ ଭୁଲିଗଲେ ନିଜକୁ ତୁ ଗୃହଲକ୍ଷ୍ମୀ
ହେଲେ ଯେବେ ଭାବୁ ନିଜପାଇଁ
ତୁ କାଳେ ଭାଙ୍ଗିଦଉ ସବୁ ସମ୍ପର୍କ ।।
କଣ ଅଛି ବା ତୋର ଅସ୍ତିତ୍ଵ ଜୀବନରେ
ତୁ ପରା କଣ୍ଢେଇ ଗୋଟେ କାଚର,
ସୁଖ ଦୁଃଖ ନାହିଁ କିଛି ତୋ ଜୀବନେ
ତୁ ତ ଗୋଟେ ଖେଳନା ସମୟର ।।
ସମ୍ପର୍କକୁ ଡରି ସମାଜକୁ ଡରି ଚୁପ୍
କାହିଁକି ଆଜି ଏ ତୋର ନୀରବତା,
ତୁ ଅବଳା ନୁହେଁ ଜାଗିଉଠ ଆଜି
ଭିଜାନା ଲୁହରେ ଆଖିପତା ।।
ତୁ ଆଜି ବନ୍ଧା ଯେଉଁ ବନ୍ଧନରେ
ପବିତ୍ର ଅଗ୍ନି ଆଉ ଦଶଦିଗପାଳ ସାକ୍ଷୀ,
କାହିଁକି ସହୁଛୁ ତୁ ଅତ୍ୟାଚାର
ଖୋଲିଦେ ତୋର ମାୟା କବଳିତ ଆଖି ।।
ନହେଲେ ବାରମ୍ବାର ହଜୁଥିବୁ ଏଠି
ସବୁବେଳେ ପାଇବୁନି ଖୋଜି ନିଜକୁ,
ନ ଥିବ ସମୟ ତୋ ହାତେ କାଲି
ସାଉଁଟିବାକୁ ତୋ ସପନକୁ ।।
ଠିଆ ହଉଥିବୁ ସତମିଛ କାଠଗଡ଼ାରେ
ଏମିତି ପ୍ରତିଥର ଅସହାୟ ହୋଇ,
ସବୁବେଳେ ନ ଥିବେ ନିଜର ତୋର
ଛିଡା ହେବାକୁ ସାଥେ ତୋ ପାଇଁ ।।
କିଏ ବା ବୁଝିବ ତତେ ତୁ ନୁହେଁ ନିଜର
ଛାଡ଼ିଯାଇଛୁ ତୁ ତୋ ଏନ୍ତୁଡ଼ିଘର,
ସଭିଏଁ କହିବେ ତୁ ପରା ଏଠି
ସମ୍ପତି ଆପଣାଠୁ ହୋଇଥିବା ପରର ।।
ସହିଗଲେ ରହିଯିବ ସବୁ ସମ୍ପର୍କ
କଣ ତୁ ଖାଲି ଗୋଟେ ପଥର,
ନାହିଁ କଣ ତୋର କିଛି ଅନୁଭବ
କଣ୍ଢେଇଟେ ତୁ ସମୟର ।।
ଜଗତସିଂହପୁର, ଓଡିଶା
VOL.IX, ISSUE.VI, JUNE-2025
Published By Banamallira Mahak
ପ୍ରକାଶିତ ଲେଖାଟି ଯଦି ପଢି ସାରିଛନ୍ତି, ଆପଣଙ୍କ ପ୍ରତିକ୍ରିୟା ଏଠାରେ ନିଶ୍ଚୟ ରଖନ୍ତୁ ।