ଖୁସିର ଜୀବନ - ଶ୍ରୀବତ୍ସ ମେହେର

0

ଖୁସିର ଜୀବନ ବଞ୍ଚିବାକୁ ହେଲେ
ଦୁଃଖକୁ କର ସହନ,
ଦୁଃଖକୁ ସୁଖରେ ବଦଳାଇ ଶିଖ
ସୁଖରେ କଟିବ ଦିନ ।

ଦୁଃଖ ସହଚର ଭାବର ଝଙ୍କାର
ଆପେ ଆପେ ଆସେ ମାଡ଼ି,
ପୂତ ପ୍ରେମ ସୂର୍ଯ୍ୟ ଉଦୁଥାଉ ପ୍ରାଣେ
ଦୁଃଖ ଭାବ ମନେ ଛାଡ଼ି ।

ମନ ଇଚ୍ଛା ପର ବିକ୍ଷିପ୍ତ ନ କରି
କର୍ମେ ଧ୍ୟାନ ଦେଲେ ହର୍ଷେ,
ଜୀବନର କାଳ ସୁଖେ ବିତିଯାଏ
ସୂର୍ଯ୍ୟାସ୍ତ ପରି ଆକାଶେ । 

ହିଂସା ଅହଙ୍କାର ବିଷର ଭଣ୍ଡାର 
ଶରୀରେ ବେଦନା ଭରେ,
ସୁଖର ଆକାଶେ ଦୁଃଖର ବଉଦ
ଅକାଳ ବିଜୁଳି ମାରେ ।

ଲୋଭ ମୋହ ମାୟା ଅଦୃଶ୍ୟର ସଜା
କାୟାର ବିଶାଳ ଛାୟା,
ପ୍ରାଣର ଉହାଡେ ରହିଥାଏ ଲୁଚି 
ମାନବକୁ କରେ ବାୟା ।

କ୍ରୋଧ ପ୍ରତିରୋଧ ହରେ ଶକ୍ତି ବୋଧ
କାମନା ବାସନା ରହି,
କରମ ଗତିରେ ବାଧା ସୃଷ୍ଟି କରେ
ଦୁଃଖର ବିଡାକୁ ସହି ।

ଦୟା କ୍ଷମା ଗୁଣ ଧୈର୍ଯ୍ୟ ଓ ସହନ
ଯା ମନେ ରହିଛି ଭରି,
ସେ ଜନ ମହାନ ଦେବତା ସମାନ
ଯିବା ତାଙ୍କ ଅନୁସରି ।

ମାନେଶ୍ଵର, ସମ୍ବଲପୁର, ଓଡିଶା

VOL.IX,  ISSUE.VII,  JULY-2025

Published By Banamallira Mahak

Post a Comment

0Comments

ପ୍ରକାଶିତ ଲେଖାଟି ଯଦି ପଢି ସାରିଛନ୍ତି, ଆପଣଙ୍କ ପ୍ରତିକ୍ରିୟା ଏଠାରେ ନିଶ୍ଚୟ ରଖନ୍ତୁ ।

Post a Comment (0)