
ପ୍ରବାସେ ରହି ବି ଦେଶକୁ ଭୁଲୁନି
କହୁ ମାତୃଭାଷା ଆମର
ଏଠାରେ ଥାଇ ବି ସେଠାର ପରବ
ପାଳୁ ହରଷ ହୋଇଣ l
ରଥଯାତରା ଓ ବୋଇତ ବନ୍ଦାଣ
ଗ୍ରୀଷ୍ମ, ଶୀତଦିନେ ପାଳୁ
ସାଙ୍ଗ ସାଥି ମିଶି ରଥ ଦେଉ ଟାଣି
ଡ଼ଙ୍ଗା ନଈରେ ଭସାଉ l
ଏଠି ରହି ପାଳୁ ବିଭିନ୍ନ ପରବ
କରି ନାନା ଜାତି ପିଠା
କାନିକା, ଡାଲମା, ଖିରୀ ଓ କାକରା
ଓଉ ରାଈ, ଆମ୍ବ ଖଟା l
ଘରେ ପୂଜୁ ରଖି ଶ୍ରୀଜଗନ୍ନାଥଙ୍କ
ମୂର୍ତ୍ତି ଫଟୋ ଭଳି ଭଳି
ପଟ୍ଟଚିତ୍ରାଙ୍କନ କୋଣାର୍କର ଚକ୍ର
ସଜାଏ ଘର ସବୁରି l
ସାଙ୍ଗ ସାଥି ମିଶି ପାଳୁ ରଜପର୍ବ
ଘରେ ଝୁଲାଇଣ ଦୋଳି
ଓଡିଶା ସଂସ୍କୃତି ମନରେ ସାଇତି
ଖେଳୁ କ୍ରିକେଟ କବାଡି l
ନୂଆଖାଇ ପର୍ବ ଅତି ମନୋରମ
ପଶ୍ଚିମ ଓଡିଶା ଗର୍ବ
ନାଚ, ଗୀତ ଗାଇ ଝୁମି ଯାଉ ଆମେ
ପାଳିବାକୁ ଏ ପରବ l
ଅନେକ ରାଜ୍ୟରେ ଜଗନ୍ନାଥଙ୍କର
ମନ୍ଦିର କରି ପ୍ରତିଷ୍ଠା
ପୁଜି କାଳିଆଙ୍କୁ ବିଭିନ୍ନ ବେଶରେ
ବିଛାଉ ଜଗା ଗରିମା l
ପ୍ରବାସରେ ଥାଇ ବିଛାଇ ଚାଲିଛୁ
ଆମ ପରମ୍ପରା କଥା
ଓଡ଼ିଶାର ଦିଅଁ, ଖାଦ୍ୟ ବା ପୋଷାକ
ବିଷୟରେ ଗାଉ ଗାଥା l
ପକ୍ଷୀ ପରି ଆମେ ଉଡ଼ିତ ଆସିଛୁ
ଜୀବିକା ନିର୍ବାହ ପାଇଁ
ମାଟିର ମମତା ଆମେ ଭୁଲି ନାହୁଁ
ପ୍ରିୟ ମୋ ଓଡିଶା ଭୁଇଁ l
ଫିଲାଡେଲ୍ଫିଆ, ଯୁକ୍ତରାଷ୍ଟ୍ର ଆମେରିକା
ଦୂରଭାଷ - +୧୨୬୭୨୪୭୨୪୭୧