ଦୟଣା - ଅଭୟ କୁଣ୍ଡ

0

ବହୁ ବର୍ଷ ତଳର କଥା । ଲକ୍ଷ୍ମୀକାନ୍ତ ପ୍ରଭୁ ଜଗନ୍ନାଥଙ୍କର ପ୍ରଥମ ସେବକ ପରମ ଭକ୍ତ ଗଜପତି ମହାରାଜା ପ୍ରଭୁଙ୍କର ଚଳନ୍ତି ପ୍ରତିମା ସେ । ଲକ୍ଷେ ରାଜାଙ୍କ ମଉଡମଣୀ । ଧନ ରତ୍ନ ମଣି ମାଣିକ୍ୟ ସାଙ୍ଗକୁ ବିଶାଳ ଗଜାରୋହୀ ଅଶ୍ୱାରୋହୀ ପଦାତିକ ବାହିନୀ ଗଜପତିଙ୍କ ଗୁରୁତ୍ଵ ସାରା ଭାରତରେ ସୁବିଦିତ । ଯେମିତି ବୀର ସେମିତି ଭକ୍ତ ମଧ୍ୟ । ଏକଦା ଅବସର ବିନୋଦନ ପାଇଁ ପାତ୍ରମନ୍ତ୍ରୀଙ୍କ ସହ ରାଜନଅରରେ ବସି ପଶା ଖେଳୁଥିଲେ । ଖେଳରେ ମଜି ଯାଇଥାନ୍ତି ମହାରାଜ । ବଡ ଦେଉଳର ବଡ଼ପଣ୍ଡା ପ୍ରଭୁଙ୍କ ମସ୍ତକରୁ ଖସିପଡ଼ିଥିବା ଚନ୍ଦ୍ରିକା ଆଣି ମହାରାଜାଙ୍କୁ ପ୍ରଦାନ କରିବାକୁ ନିବେଦନ କଲେ । ମହାରାଜା ଦକ୍ଷିଣ ହସ୍ତରେ ପଶାକାଠି ଗଡାଉଥାନ୍ତି । ଅଜ୍ଞତା ବଶତ ବାମ ହସ୍ତ ବଢ଼ାଇଦେଲେ ଆଉ ବଡ଼ପଣ୍ଡା ଚନ୍ଦ୍ରିକା ବଢାଇ ଦିଅନ୍ତେ ରାଜା ବାମ ହସ୍ତରେ ଗ୍ରହଣ କଲେ । ଦୃଷ୍ଟି ପଡ଼ନ୍ତେ ମହାରାଜ ନିଜକୁ ଧିକ୍କାର କଲେ । ନିଜକୁ ଅପରାଧୀ ମନେ କରି ନିର୍ବାକ ହୋଇଗଲେ । ଏହା ମହାପ୍ରଭୁଙ୍କ ପାଇଁ ଘୋର ଅପମାନ । 

ପ୍ରାୟଶ୍ଚିତ କରିବାକୁ ସ୍ଥିର କଲେ ଯେ, ସେହି ବାମ ହସ୍ତକୁ ଛେଦନ କରିବେ । ତତକ୍ଷଣାତ୍ ମହାରାଜ ନିଜ ପ୍ରମୋଦ ଉଦ୍ୟାନକୁ ଗଲେ ଓ ନିଜ ବାମ ହସ୍ତକୁ ନିଜ ତରବାରୀରେ କାଟି ସେଇଠାରେ ସମାଧି ଦେଇଦେଲେ  ଓ ସବୁଦିନ ପାଇଁ ଭିନ୍ନକ୍ଷମ ହୋଇଗଲେ ।
    
ପ୍ରଭୁଙ୍କ ଦର୍ଶନ ପାଇଁ ଆଉ ବଡ଼ ଦେଉଳକୁ ନ ଯାଇ ସେହି ଉଦ୍ୟାନରେ ପ୍ରଭୁଙ୍କୁ ଧ୍ୟାନ ପୂର୍ବକ ମନସ୍ତାପ କରନ୍ତି । କିଛିଦିନ ପରେ ଦେଖାଗଲା, ମହାରାଜାଙ୍କ କଟା ହାତ ପୋତାହୋଇଥିବା ସ୍ଥାନରେ ଏକ ଗଛ ଉଠିଲା । ସେ ଗଛର ପତ୍ରର ସୁବାସରେ ସାରା ଉଦ୍ୟାନ ମହକୁଥାଏ । ମାଳିମାନେ ରାଜାଙ୍କୁ କହିଲେ ଏହି ସୁବାସିତ ପତ୍ରରେ ମାଳ କରି ପ୍ରଭୁଙ୍କ ଅଙ୍ଗଲାଗି କରିବେ । ରାଜା ମନାକଲେ କାରଣ ସେଠାରେ ତାଙ୍କ କଟା ହାତ ପୋତା ହୋଇଥିଲା । ତାହା ଅପବିତ୍ର ସ୍ଥାନ । ହଠାତ୍ ଦିନେ ଦେଖାଗଲା ଗଛରୁ ପତ୍ରସବୁ କିଏ ତୋଳି ନେଇଛି । ପତା ଲଗାଇ ଜାଣିଲେ ସେ ପତ୍ର ପ୍ରଭୁଙ୍କ ରତ୍ନସିଂହାସନ ତଳେ ପଡ଼ିଛି । ରାଜାଙ୍କ ହୃଦବୋଧ ହେଲା ଯେ ମାଳି ତାଙ୍କ ଅଜ୍ଞତାରେ ତାହା ତୋଳି ନେଇଛି । ଆଦେଶ ଅମାନ୍ୟ କରିଥିବାରୁ ରାଜା ମାଳିକୁ ବନ୍ଦୀ କଲେ । ବିନା ଅପରାଧରେ ମାଳି କାରାଗାରରେ ବନ୍ଦୀ ହୋଇ ପ୍ରଭୁଙ୍କୁ କାନ୍ଦି କାନ୍ଦି ପ୍ରାର୍ଥନା କଲା କାରା ମୁକ୍ତି ପାଇଁ ।

ପ୍ରଭୁ ତ ଭକ୍ତ ବତ୍ସଳ, ସମସ୍ତଙ୍କ ନିଦ ହଜାଇ ଦେଉଥିବା ପ୍ରଭୁଙ୍କ ନିଦ ଭାଙ୍ଗିଗଲା । ରାଜାଙ୍କୁ ସ୍ୱପ୍ନାଦେଶ ଦେଲେ ମାଳିକୁ କାରାଗାରରୁ ମୁକ୍ତି ପାଇଁ । କାରଣ ପ୍ରଭୁ ନିଜେ ସେ ପତ୍ର ତୋଳି ନେଇଥିଲେ । ଆଉ ଆଦେଶ ଦେଲେ ଯେଉଁ ସୁବାସିତ ପତ୍ର ସେ ଗଛରେ କଅଁଳିବ ତାକୁ ପ୍ରଭୁଙ୍କ ଗଳାରେ ମାଳ ହୋଇ ପଡ଼ିବ । ସେହି ଗୁଳ୍ମଟି ରାଜାଙ୍କର ନିର୍ମଳ ଭକ୍ତି ଓ ତ୍ୟାଗରୁ ଜନ୍ମ ନେଇଛି । ତାର ନାମ ଦୟଣା  ।

ରାଜାଙ୍କ ନିଦ୍ରା ଭାଙ୍ଗିଗଲା । ଦେଖିଲା ବେଳକୁ ତାଙ୍କର ବାମ ହସ୍ତ ପୂର୍ବାବସ୍ଥାରେ ଅଛି । ସଙ୍ଗେ ସଙ୍ଗେ ମାଳିକୁ କାରାମୁକ୍ତ କଲେ । ପ୍ରଭୁଙ୍କ ଶରଣ ନେଲେ । ସେହି ଦିନ ଠାରୁ ଦୟଣା ମାଳ ତିନି ଠାକୁରଙ୍କ ପୂଜାରେ ବ୍ୟବହାର ହେଲା । ଧନ୍ୟ ପ୍ରଭୁ ଧନ୍ୟ ତୁମ ଲୀଳା ।                                   

ପଞ୍ଚାୟତ ସରକାରୀ ଉଚ୍ଚ ବିଦ୍ୟାଳୟ 
ପଡ଼ିଆଭଙ୍ଗା, ତାଳଚେର, ଅନୁଗୋଳ 
ଦୂରଭାଷ - ୯୫୫୬୯୮୯୭୨୩

Post a Comment

0Comments
Post a Comment (0)