
ଗେଲବସରର ଦିନ ସରିଗଲା
କନ୍ୟାରୁ ହୋଇଲି ବଧୂ
ପରକୁ ଆପଣା ସ୍ନେହେ ପ୍ରେମେ କଲି
ବରଷିଲା ଖାଲି ମଧୁ ।
ପ୍ରଭାତୁ ଉଠିଣ ଗୋମୟ ସିଞ୍ଚିଲି
ଦୁଆର ଅଗଣା ସାରା,
ମୁଖ ପ୍ରକ୍ଷାଳନ ଗୃହ ପରିଷ୍କାର
ଆସିବା ଆଗରୁ ଖରା ।
ଶୌଚାଦି କରମ ନିତ୍ୟ ପୂଜା ପାଠ
ସାରି ମୁଁ ଯତନ ଭରେ
ଶାଶୁ ଓ ଶ୍ଵଶୁର ପିତା ମାତା ମୋର
ଆଶୀର୍ବାଦ ଭିକ୍ଷା କରେ ।
ଧୀରେ ଧୀରେ ଯାଏ ରୋଷେଇ ଘରକୁ
ରାନ୍ଧଣାରେ ଦିଏ ମନ
ଜଳପାନ ଆଉ ମଧ୍ୟାହ୍ନ ଭୋଜନ
କରେ ସର୍ବ ଆୟୋଜନ ।
ଏହି ନିତ୍ୟ କର୍ମ ସବୁ ଦିନ ଥାଏ
ତା'ପରେ ଅନେକ ଅଛି
ବ୍ରତ ଉପବାସ ପିଠା ପଣା ଭୋଗ
ସବୁ କରେ କିଛି କିଛି ।
ପରିବାରଟିକୁ ସ୍ୱର୍ଗ କରିବାକୁ
ସବୁ ଦୁଃଖ ସହି ଯାଏ
କଟୁ କଥା କହି କାହାରି ମନରେ
ଅଶାନ୍ତି କେବେ ନ ଦିଏ ।
ରୋଗରେ ପଡିଲେ ମୋ ଘରେ କେହିବି
ରଖିଥାଏ ମୁଁ ନଜର
ସେବା ଶୁଶ୍ରୁଷାରେ ଉଣା କରେ ନାହିଁ
ଥାଏ ପଛେ ଉଜାଗର ।
ତଥାପି ଏତିକି ଯାହା ମୁଁ କରିଛି
କହିଦେଲି କହୁ କହୁ
ପସନ୍ଦ ଆସିଲେ କହିଦେବ ଥରେ
ମୁଁ ଓଡ଼ିଆ ଘରର ବୋହୁ
ମୁଁ ଓଡ଼ିଆ ଘରର ବୋହୁ ।
କେନ୍ଦୁଝର, ଓଡିଶା
VOL.IX, ISSUE.IV, APRIL-2025
Published By Banamallira Mahak
ଅଞ୍ଜନା ମାଆଙ୍କ କବିତାଟି ସରଳ ସାବଲୀଳ ଭାଷା ମାଧ୍ୟମରେ ଗୋଟିଏ ଆଦର୍ଶ ବୋହୂର ଜୀବନଚର୍ଯ୍ୟା ସମ୍ବନ୍ଧିତ ବର୍ଣ୍ଣନା। ତେବେ ଏ ଭଳି ବୋହୂ ପାଇବା ଆଜିକାର ଦିନରେ ବିରଳ। ଧନ୍ୟବାଦ।
ReplyDeleteଧନ୍ୟବାଦ।
ReplyDelete