
ସୃଷ୍ଟି ବଡ ବିଚିତ୍ର । ଅନେକ ଅଦ୍ଭୁତ ଜୀବଜନ୍ତୁ ଦେଖାଯାଆନ୍ତି । ପୁରାଣରେ ଦଶମୁଣ୍ଡ, ପାଞ୍ଚ ମୁଖ, ଦଶ ହାତ, ଚତୁର୍ଭୁଜ, ବିଂଶ ବାହୁ ଓ ତ୍ରି ନେତ୍ର କଥା ଲେଖା ଅଛି । ସେହିପରି ଗୋଟିଏ ପକ୍ଷୀ ଥିଲା ତାହାର ଦୁଇଟି ମୁଣ୍ଡ ଶରୀର ଗୋଟିଏ । ଉଡ଼ିବା, ଆହାର କରିବା ଓ ବିଶ୍ରାମ କରିବା ସବୁଥିରେ ଭିନ୍ନ ମତ । ଜଣଙ୍କର ଚିନ୍ତାଧାରା ଅନ୍ୟର ବିପରୀତ । ସେଥିପାଇଁ ଦ୍ୱନ୍ଦ ସୃଷ୍ଟି ହୁଏ । ଆକ୍ରମଣ ଓ ପ୍ରତି ଆକ୍ରମଣ ବି ହୁଏ ।
ଆହାର ଖାଇବା ସମୟରେ ଥରେ ଦ୍ଵିତୀୟ ମୁଣ୍ଡଟି ଗୋଟିଏ ଲାଲ୍ ଟକଟକ ଫଳ ଦେଖି ତାକୁ ଥଣ୍ଟରେ ଧରିଲା । ଏହା ଦେଖି ପ୍ରଥମ ମୁଣ୍ଡଟି କହିଲା, ଏହା ଏକ ବିଷାକ୍ତ ଫଳ ତାକୁ ଖାଅନି । ଦ୍ଵିତୀୟ ମୁଣ୍ଡଟି କହିଲା, ତୁ ଯେଉଁ ହଳଦିଆ ଫଳଟି ଖାଇଲୁ ତାହା କଣ ଅମୃତ ଫଳ ? କାହିଁ ମୁଁ ତ ବାରଣ କଲି ନାହିଁ । ତୁ ମତେ ସେଥିରୁ ଭାଗ ଦେଇଥିଲୁ କି ? ପ୍ରଥମ ମୁଣ୍ଡଟି କହିଲା, ଆରେ ଆମର ତ ପେଟ ଗୋଟିଏ ମୁଁ ଖାଇଲେ କଣ ତୋର କ୍ଷୁଧା ମେଣ୍ଟିଲା ନାହିଁ କି ? ଦ୍ଵିତୀୟ ମୁଣ୍ଡ କହିଲା ତା ହେଲେ ତୁ କେବଳ ଖାଇବୁ ଆଉ ମୁଁ ଚାହିଁ ରହିବି ? ଏହା ବଡ଼ ଅନ୍ୟାୟ କଥା । ବିଷ ଫଳ କହି ମତେ ଭୁଆଁ ବୁଲାଉଛୁ । ପ୍ରଥମ ମୁଣ୍ଡ କହିଲା ଆରେ ବିଷ ଫଳ ଖାଇଲେ ଆମ ଦୁହିଁଙ୍କର ମୃତ୍ୟୁ ହେବ ବୁଝୁନୁ କାହିଁକି ? ଦ୍ଵିତୀୟ ମୁଣ୍ଡ କହିଲା, ଏହା ଏକ ବିଷ ଫଳ ବୋଲି ଜାଣିଲୁ କିପରି ? ତାହେଲେ ତୁ କଣ ଏହା ଚାଖିଛୁ କି ? ଯଦି ଚାଖିଲୁ କାହିଁ ଆମର ତ ମୃତ୍ୟୁ ହେଲା ନି ? ମୁଁ ଏ ଫଳ ଖାଇବି କାହା କଥା ଶୁଣିବି ନାହିଁ । ପ୍ରଥମ ମୁଣ୍ଡ କହିଲା, ଆରେ ଜୀବନ କଥା ଭାବି ଦେଖ୍ । ଏହା ପରେ ଦୁଇ ଜଣଙ୍କ ଭିତରେ କଳି ବଢ଼ି ଚାଲିଲା । ଆକ୍ରମଣ ପ୍ରତି ଆକ୍ରମଣ ବି ।
ଠିକ୍ ଏତିକି ବେଳେ ଏକ ବାଜ ପକ୍ଷୀ ୟାଙ୍କ ଆଡ଼କୁ ଝପଟି ଆସିଲା । ତା'ର ଭୟଙ୍କର ରୂପ ଦେଖି ଗଛ କୋରଡକୁ ଦୁଇ ମୁଣ୍ଡ ପକ୍ଷୀ ଉଡିଗଲା । ଭୟରେ ତା ଲାଲ୍ ଫଳଟି ତଳେ ପଡି ଫାଟିଗଲା । ବାଜ ପକ୍ଷୀ ଭୟରେ ଏମାନେ ତଳକୁ ଗଲେ ନାହିଁ । ପକ୍ଷୀଟି ବଞ୍ଚିଗଲା । ବେଳେବେଳେ ଭୟ ମଧ୍ୟ ବିପଦରୁ ରକ୍ଷା କରେ । ପ୍ରତ୍ୟେକ ମଣିଷର ମୁଣ୍ଡ ଗୋଟିଏ ମାତ୍ର ଭାବନା ଅନେକ । କ୍ଷଣକେ ଭଲ ତ ପୁଣି କ୍ଷଣକେ ବିପରୀତ । ବିବେକବନ୍ତ ମଣିଷ ନିଜ ମନ ଉପରେ ନିୟନ୍ତ୍ରଣ ରଖେ । ଛୋଟ ବିପଦରୁ ଶିକ୍ଷା ଲାଭ କରେ ବଡ ବିପଦରୁ ରକ୍ଷା ପାଏ । ତେଣୁ ଆମ ଚିନ୍ତାଧାରା ସକାରାତ୍ମକ ହେବା ଉଚିତ୍ ।
ପଞ୍ଚାୟତ ସରକାରୀ ଉଚ୍ଚ ବିଦ୍ୟାଳୟ
ପଡ଼ିଆଭଙ୍ଗା, ତାଳଚେର, ଅନୁଗୋଳ
ଦୂରଭାଷ - ୯୫୫୬୯୮୯୭୨୩