ପାଣି - ଗଗନ ବିହାରୀ ନାୟକ

0

ନୂଆ ନୂଆ ଭଡାଘର ନେଇ ରହୁଥିଲେ ଶଶାଙ୍କ ବାବୁ । ସ୍ୱଳ୍ପ ବେତନରେ ସଂପୂର୍ଣ୍ଣ ପରିବାରର ପାଞ୍ଚପ୍ରାଣୀ ନିର୍ଭରଶୀଳ । ତେଣୁ ମାସକର ବେତନରେ ପରିବାର ଚଳିବା କଷ୍ଟକର । ଧାର କରଜ କରି ବଡ କଷ୍ଟେ ମଷ୍ଟେ ଚଳନ୍ତି । ସହରରେ ଅହେତୁକ ଘରଭଡା ବୃଦ୍ଧି ତାଙ୍କ ସ୍ୱଳ୍ପ ବେତନ ପାଇଁ ବଡ କଷ୍ଟଦାୟକ ହେଇ ପଡିଛି । ତଥାପି ରହିବାକୁ ତ ହେବ । ବଢନ୍ତି ଗ୍ୟାସ ବିଲ ଟି ପଇଠ କରି ଗୋଟେ ଦୀର୍ଘଶ୍ଵାସ ମାରିଲେ ଶଶାଙ୍କ ବାବୁ । ପତ୍ନୀ ଙ୍କ ହାତରୁ ପଣି ଗ୍ଲାସଟିଏ ପିଉ ପିଉ ମନେ ପଡିଗଲା ଇଲେକଟ୍ରିକ ବିଲ ପଇଠ କରିବା କଥା । ତିନି ତିନିଟା ପଙ୍ଖାର ଇଉନିଟ ଖରଚ ମାସିକ ହଜାରେ ପାଖାପାଖି । ଡେଙ୍ଗୁର ପ୍ରପୀଡିତ ସ୍ଥାନ ଭିତରେ ତାଙ୍କ ରହଣି ଯେତେବେଳେ ମଶାର ପାଦୁର୍ଭାବ ଅଧିକ । ତେଣୁ ଅନବରତ ପଙ୍ଖା ନଚଳାଇଲେ ଚିକୁନିଗୁନିଆ ବା ଡେଙ୍ଗୁ ହେଇ ଯାଇପାରେ । ନିଜ କାର୍ଯ୍ୟାଳୟର ଘର ଖାଲି ଥିଲେ ହେଁ ଅଧିକାରୀଙ୍କ ଖାମ ଖିଆଲି ମନୋବୃତ୍ତି ଯୋଗୁଁ ଏମିତି କୋଟି କୋଟି ରାଜସ୍ୱ କ୍ଷତି ଘଟୁଛି । ଲୋକଙ୍କ ମୁଣ୍ଡପିଛା ଜାତୀୟ କରଜ ଭାର କେତେ ସାଧାରଣ ଲୋକଟି କଣ ଜାଣି ପାରୁଛି ।
 
ରୌଦ୍ର ସ୍ନାତା ଧରଣୀ ଉପରେ ବର୍ଷାର କଳା ବଉଦ ଦେଖି ଝିଅ ମିନୁ ଆସି କହିଲା- "ବାପା !!! ଆଜି ବର୍ଷା ହେବ ।" ବାପା ପଚାରିଲେ, "ତୁ ଆଜି ଏଯାଏଁ  ସ୍କୁଲ ଯାଇନୁ ?" ମିନୁ କହିଲା- "ବାପା ଆଜି ପରା ସପ୍ଲାଇ ପାଣି ଆସିନି । ଆଉ ଯାହା ଟାଙ୍କିରେ ଥିଲା ପଡିଶା ଘର ଆଣ୍ଟି ସବୁ ସଞ୍ଚୟ କରି ରଖି ଦେଉଛନ୍ତି । ମୁଁ ଗାଧୋଇ ନାହିଁ ତ ସ୍କୁଲ ଯିବି କେମିତି ?"

ଦୁଇଟି ପରିବାରର ଗୋଟିଏ ପାଣି ଟାଙ୍କି । ସେଥିରେ ଯଦି ପାଣିର ସୁବ୍ୟବସ୍ଥା ଉପରେ ପଡୋଶୀ ଘର ଏଭଳି ହଇରାଣ କରନ୍ତି ତେବେ ଜଳକ୍ଳିଷ୍ଟ ନିଶ୍ଚିତ ହେବ । ଯେତେ ବୁଝେଇଲେ ପଡୋଶୀ କହନ୍ତି- "ମୁଁ ଟଙ୍କା ଦେଉଛି ମୋର ଅସୁବିଧା କାହିଁକି ହେବ ? ଆପଣ ସେମିତି ଜଳ ସଞ୍ଚୟ କରି ରଖନ୍ତୁ ।" ଦୁଇ ହଜାର ଲିଟର ପାଣି ଟାଙ୍କି ଛାତରେ ଥାଉ ଥାଉ ଯଦି ପାଣି ଘରେ ଲୁଚେଇ ରଖିଦେଇ ପଡୋଶୀଙ୍କୁ ହଇରାଣ କରିବା ଇଚ୍ଛା ମୁଣ୍ଡରେ ଥାଏ, ତାକୁ କେମିତି କିଏ ବୁଝେଇବ ?

ଏତେ ପାଣି କୁଆଡେ ଯାଉଛି କହିଲେ, କଥା କଥାକେ କହନ୍ତି- "ଆଜି ପରା ପାଣି ନଥିଲା ବୋଲି ଠାକୁର ପୂଜା କରି ପାରି ନାହିଁ ।" ଏକଥା ଯେ, ଡ଼ାହା ମିଛ, ଏ କଥା ବୁଝିବାରେ ଶଶାଙ୍କ ବାବୁଙ୍କୁ ଅଛପା ରହେ ନାହିଁ ।

ହଠାତ ଦିନେ ଶଶାଙ୍କ ବାବୁ ଶୁଣିଲେ, ପଡୋଶୀ ଘର ପବିତ୍ର ବାବୁଙ୍କ ସ୍ତ୍ରୀ ଓ ପୁଅ ସମସ୍ତେ ଡେଙ୍ଗୁ ଜରରେ ଆକ୍ରାନ୍ତ ହେଇଛନ୍ତି । ସଙ୍ଗେ ସଙ୍ଗେ ଶଶାଙ୍କ ବାବୁ ଅନଲାଇନରେ ସ୍ୱାସ୍ଥ୍ୟ ବିଭାଗକୁ ଜଣେଇଲେ । ସେମାନେ ଆସି ପ୍ରତିକାର ପଦକ୍ଷେପ ସ୍ୱରୂପ ଜମା ହୋଇ ଥିବା ସ୍ଵଚ୍ଛ ପାଣିରୁ ମଶାର ଉତ୍ପତ୍ତି ହୋଇଛି ଓ ଘରେ ବୁଲି ଦେଖୁ ଦେଖୁ ସେ ଲୁଚେଇ ରଖୁଥିବା ତିନି ଶହ ଲିଟର ପାଣିର ଏକ ବଡ ପ୍ଲାଷ୍ଟିକ ପାତ୍ର ଦେଖି କହିଲେ- "ଏଇ ଟାଙ୍କିରୁ ମଶା ବୃଦ୍ଧି ହୋଇ ତୁମ ପରିବାରକୁ ଡେଙ୍ଗୁ ଭଳି ମାରାତ୍ମକ ଜ୍ଵର ହୋଇଛି । ତାକୁ ପ୍ରଥମେ ବାହାରେ ଫିଙ୍ଗି ଦିଅ । ତୁମେ ବଞ୍ଚିବା ସହିତ ତୁମ ପଡୋଶୀ, ଯିଏ ଆମକୁ ପ୍ରଥମେ ତୁମ ବିଷୟରେ ଜଣେଇଲେ ତାଙ୍କୁ ବି ବଞ୍ଚିବାକୁ ଦିଅ । ମଶାରୀ ଓ ମଶା ପାଇଁ କେତେକ ଜିନିଷ ମିଳୁଛି । ତାକୁ କିଣି ଆଣି ନିରାପଦ ଜୀବନ ଯାପନ କର । ଘର ସଫା ରଖି ମଶାରୀ ଟାଣି ଶୋଇବା ଜାରି ରଖ ।"
     
ଶଶାଙ୍କ ବାବୁ ଠାକୁରଙ୍କ ପାଖରେ ମନେ ମନେ ପ୍ରଣାମ କରି କହୁଥିଲେ, "ମୋ ପଡୋଶୀଙ୍କୁ ଭଲ କରିଦିଅ ଠାକୁରେ । ମୁଁ ସିନା ପାଣି ଅଭାବରୁ ପୂଜା କରିପାରେ ନାହିଁ । ମୋ ପଡୋଶୀ ତ ପାଣି ଲୁଚେଇ ରଖି ତୁମ ପୂଜା କରେ । ମୋ ଭାଗ ପାଣିରେ ସେ ଯଦି କରି ପାରିଲେ ମୋ ବିନତୀ ରକ୍ଷାକରି ତାଙ୍କୁ କ୍ଷମା ଦେଇ ଏ ବିପଦରୁ ରକ୍ଷା କର ।

ଶଶାଙ୍କ ବାବୁଙ୍କ ହାତରେ ଗୋଟିଏ ଡେଙ୍ଗୁ ନିର୍ଦ୍ଦେଶନାମା କାଗଜ ସ୍ୱାସ୍ଥ୍ୟ ବିଭାଗ ଧରେଇ ଦେଇ କହୁଥିଲେ- "ଆପଣ ସଚେତନ ରହିବେ.... ପ୍ଳିଜ ।"  

ନୀଳାଦ୍ରି ବିହାର, ଭୁବନେଶ୍ଵର
ଦୂରଭାଷ -  ୭୨୦୫୨୯୩୮୫୭

Post a Comment

0Comments
Post a Comment (0)

ସୋସିଆଲ ନେଟୱାର୍କରେ ସେୟାର କରନ୍ତୁ