ଗ୍ରେଟାଙ୍କ ମୁହଁ - ଚନ୍ଦ୍ରା ମିଶ୍ର

0

ଆମ ପଥୁରିଆ ସାହିରେ ଅନେକ ଲୋକ ପଥର, ଖଡି  ବା କାଠରେ ମୂର୍ତ୍ତି ତିଆରି କରନ୍ତି l  ସେଇ ମୂର୍ତ୍ତିକୁ ସନ୍ଧ୍ୟାରେ ବିକି ଯାହା ଟଙ୍କା ମିଳେ ସେଥିରେ ତାଙ୍କର ପେଟ ପୋଷନ୍ତି l ଆମ ସାହିର ଅନେକ କାରିଗରଙ୍କର ମୂର୍ତ୍ତି ଭାରତ ଆଉ ବିଦେଶରେ ବି ପ୍ରଶଂସା ପତ୍ର ପାଇଥିଲା l ବିନ ମହାରଣା ବୋଲି  ଜଣେ କାରିଗର ତାଙ୍କ ମୂର୍ତ୍ତିରେ ଲୋକଙ୍କ ମନ ଭିତରର ଭାବକୁ ଫୁଟାଇ ପାରୁଥିଲେ ବୋଲି ତାଙ୍କୁ ଅନେକ ଲୋକ ସମ୍ମାନ ଦେଉଥିଲେ, ବିଶେଷ କରି ଭାରତ ବାହାରେ ଥିବା ଦେଶର ଲୋକ ମାନଙ୍କ ପାଖରେ ସିଏ ପରିଚିତ ହୋଇଥିଲେ l ଦେଶ ବିଦେଶରେ ଜଣାଶୁଣା ମୂର୍ତ୍ତି ତିଆରି କରିବା ଲୋକ ଥିଲେ l ସେ ପଥର ମୂର୍ତ୍ତି ରେ ଜାଦୁ ଭରି ତାକୁ ଜୀବନ ଦେଇ ପାରନ୍ତି ବୋଲି ସମସ୍ତେ କହନ୍ତି l ଲୋକମାନେ କହନ୍ତି ସିଏ ଯେ କୌଣସି ମୂର୍ତ୍ତିଟି ଗଢିଲା ବେଳେ ସେ ମୂର୍ତ୍ତିଟିର ମୁଁହରେ ମଣିଷ ମନ ଭିତରର ଚରିତ୍ର ଫୁଟାଇ ପାରନ୍ତି l  ତାଙ୍କ କାରିଗରୀ କାମର ସଫଳତା ରହିଥିଲା ବିଭିନ୍ନ ମୂର୍ତ୍ତିର ମୁହଁ ଆଉ ଭାବକୁ ପ୍ରତିମାରେ ପ୍ରକାଶ କରିବାରେ । ସେଥିପାଇଁ ସିଏ ବିଦେଶରେ ବହୁତ ସମ୍ମାନ ପାଇଥିଲେ l ସେ ସମୟରେ ଅନେକ ବିଦେଶୀ ଲୋକ ବିନ ମହାରଣାଙ୍କ ମୂର୍ତ୍ତି ନେବା ପାଇଁ ଆମ ସାହିକୁ ଆସନ୍ତି l  ମୁଁ ତାଙ୍କ କଥା ପିଲାଦିନେ ସାହିର ଅନ୍ୟ ଲୋକ ଆଉ ମୋ ବାପାଙ୍କ ଠାରୁ ଶୁଣିଥିଲି l 

ଥରେ ଜର୍ମାନୀରୁ ଜଣେ ସ୍ତ୍ରୀ ଲୋକ ଯାହାଙ୍କ ନାଁ  ଗ୍ରେଟା  ଥିଲା । ବିନ ମହାରଣାଙ୍କ ଦ୍ୱାରା ତିଆରି ମୂର୍ତ୍ତିଟିଏ ବିଦେଶରେ ଦେଖି ତାଙ୍କ ଠିକଣା ଯୋଗାଡ଼ କରି  ଜଣେ ଟୁରିଷ୍ଟ ଗାଇଡଙ୍କ ସାଙ୍ଗରେ ସିଧା ବିନ ମହାରଣାଙ୍କ ଘର ସାମ୍ନାରେ ରିକ୍ସାରେ ଆସି ପହଁଚିଲେ l ସାହିର ସବୁ ପିଲା ଆଉ ବଡ଼ମାନେ ଏଇ ତୋଫା ଗୋରା ରଙ୍ଗର ଡ୍ରେସ୍ ପିନ୍ଧା ସ୍ତ୍ରୀ ଲୋକ ଜଣଙ୍କୁ ବାରମ୍ବାର ଆଖି ଖୋଲି ଅନାଉଥିଲେ l ଆମ ସାହିର ଗଳି ଛୋଟ ଥିବା ଯୋଗୁ ସେତେବେଳର ବଡ଼ ମୋଟର  ଗାଡି ସାହି ଭିତରକୁ ଆସି ପାରୁ  ନଥିଲା l ସ୍ତ୍ରୀ ଲୋକ ଜଣଙ୍କ  ହାତରେ ଥିବା କାଗଜଟିରେ ବିନ ମହାରଣାଙ୍କ ନାମ ଆଉ ଠିକଣା ଥିଲା l ପଚାରି ବୁଝି ବିନ ମହାରଣାଙ୍କ ଘର ସାମନାରେ ରିକ୍ସାକୁ ଅଟକେଇଲେ l ବିନ ମହାରଣାଙ୍କ ସାଙ୍ଗେ କିଛି ସମୟ କଥା କହିଲା ବେଳେ କହିଲେ, "ଆପଣଙ୍କ ହାତ ଗଢା ପ୍ରତିମାରେ ଜୀବନ ଥାଏ, ମୋର ମୂର୍ତ୍ତିଟିଏ ତିଆରି କରିବାକୁ ଅନୁରୋଧ ରଖୁଛି । କିନ୍ତୁ ଏକଥା ମନେ ରଖନ୍ତୁ, ମୋର ମୂର୍ତ୍ତିର ମୁହଁରେ ମୋ ମନ ଭିତରେ ଥିବା ଦୟା ଆଉ ଦରଦ ଏଇ  ଦୁଇଟି ଗୁଣକୁ ଦେଖାଇବାକୁ ହେବ ।” 
ଗ୍ରେଟା  ଜଣେ ଜର୍ମାନ ଖୀରସ୍ତାନୀ ଧର୍ମର ଲୋକ ହେଲେବି ସିଏ ଅନେକ ଜୁଇସ୍ ଲୋକଙ୍କୁ ସାହାଯ୍ୟ କରିଥିଲେ ଦ୍ଵିତୀୟ ବିଶ୍ୱଯୁଦ୍ଧ ବେଳେ ଜର୍ମାନର ଏକଛତ୍ରବାଦୀ ଶାସକ ହିଟଲରଙ୍କ କଷଣରୁ ମୁକ୍ତି ପାଇ ଅନ୍ୟ ଦେଶକୁ ଯିବା ପାଇଁ l ତାଙ୍କ ଜୀବନକୁ  ବିପଦରେ ରଖି ସେ ଏଇ କାମ ଅତି ସାଵଧାନର ସହିତ କରିଥିଲେ ଯୀଶୁଖ୍ରୀଷ୍ଟଙ୍କ ଉପରେ ଭରସା  କରି l ସିଏ ନିଜେ ଖୀରସ୍ତାନୀ ଥିଲେ l କିଛି ସମୟ ବିନ ମହାରଣା ଗ୍ରେଟା ଙ୍କ ମୁଁହକୁ ଭଲଭାବେ ଅନେଇ ରହିଲେ l  ଗୋଟିଏ ପେନସିଲ୍ ଆଉ କାଗଜ ଖଣ୍ଡେ ଖାତାରୁ ନେଇ କିଛି ଗାରେଇଲେ କାଗଜ ଉପରେ l  ପରେ କହିଲେ ହୋଇଯିବ l  ଗ୍ରେଟା ହସି ଦେଇ କହିଥିଲେ ଏବେ ତାଙ୍କର କାମ ପୁରା ହେବ l କଳା ଧଳାର ଫୋଟୋଟିଏ ଆଉ କିଛି ଟଙ୍କା ଦେଇ ଜର୍ମାନୀକୁ ଫେରି ଯାଇଥିଲେ l  ପରେ ଜଣା ଗଲା ଗ୍ରେଟାଙ୍କ କାମ ବିଷୟରେ ଜାଣି ଜର୍ମାନୀରେ ନାଜ଼ୀ ମାନେ ତାଙ୍କୁ ବନ୍ଦୀ କରିଥିଲେ l ସିଏ ବନ୍ଦୀ ଘରେ ଶେଷ ନିଶ୍ୱାସ ନେଇଥିଲେ l 

ଦ୍ଵିତୀୟ ବିଶ୍ୱଯୁଦ୍ଧ ପରେ ବିନ ମହାରଣା କାରୀଗରଙ୍କ ଦ୍ୱାରା ଗଢ଼ା ଗ୍ରେଟା ଙ୍କ  ମୁହଁ ର ମୂର୍ତ୍ତି ହଲୋକାଷ୍ଟ ସଂଗ୍ରହାଳୟରେ ସ୍ଥାନ ପାଇଛି l ମୂର୍ତ୍ତିଟିର   ତଳେ ଲେଖାହୋଇଛି 'ମୁଁହ ଅନେକ ପ୍ରସଙ୍ଗ ଓ ଗଳ୍ପ କହି ପାରେ, କେବଳ ଏହାକୁ ଦେଖିବାର ଦୃଷ୍ଟି ଆବଶ୍ୟକ ।‘ କଳାକାର : ବିନ ମହାରଣା, ପଥୁରିଆ ସାହି, ପୁରୀ । ଲୋକମାନେ ସେ ମୂର୍ତ୍ତିର ମୁହଁ ଦେଖି କହନ୍ତି,  ମୂର୍ତ୍ତିର ଆଖିରେ ଅପରିମିତ ଦୟା ରହିଛି, କିନ୍ତୁ ତା ସହିତ ଗଭୀର ଦରଦର ଛାୟା ମଧ୍ୟ ଲୁଚି ରହିଥିବାର ଅନୁଭବ ହୁଏ l ସବୁଦିନ ପାଇଁ ଗ୍ରେଟା  ଏକୁଟିଆ ରହିଥିଲେ ବିବାହ ନ କରି l  ତାଙ୍କ କାମ ଯୀଶୁଖ୍ରୀଷ୍ଟଙ୍କର କାମ ଭାବେ ସେ ଭାବି ନେଇଥିଲେ l କିଛି ବର୍ଷ ପୂର୍ବେ ଆମେ ଭାରତକୁ ଯିବା ବାଟରେ ଜର୍ମାନୀରେ ରହି ସେ ଦେଶକୁ ଦେଖିଥିଲୁ l ହଲୋକାଷ୍ଟ ସଂଗ୍ରହାଳୟକୁ ଯାଇ ଦ୍ଵିତୀୟ ବିଶ୍ଵଯୁଦ୍ଧରେ ମରିଥିବା ଅନେକ ଇହୁଦୀ ଲୋକଙ୍କର ଦୁଃଖଭରା ଜୀବନର ଇତିହାସ ବିଷୟରେ ଜାଣିବାକୁ ସୁଯୋଗ ମିଳିଥିଲା l  ମୋ ଝିଅ ସେତେବେଳେ ନବମ କ୍ଲାସରେ ପଢୁଥିଲା l  ତା'ର ଇତିହାସକୁ ଜାଣିବା ପାଇଁ ବହୁତ ମନ ଥାଏ l  ତେଣୁ ସିଏ ସବୁ ମୂର୍ତ୍ତି ଙ୍କ ପାଖରେ ରହି ତାଙ୍କ ବିଷୟରେ ପଢୁଥାଏ l  ହଠାତ୍ ସିଏ ଗୋଟିଏ କଣରେ ଥିବା ଗ୍ରେଟା ଙ୍କ  ମୂର୍ତ୍ତିଟି ଦେଖି ମତେ ଜୋରରେ ଡାକିଲା, ଆଉ କହିଲା ମମି ଅଜାଙ୍କ ସାହିର ନାଁ  ଲେଖା ହୋଇଛି ଦେଖ l  ମୁଁ ଶୁଣି ନ ଶୁଣିଲା ପରି କହିଲି ଜଲ୍ଦି ଦେଖିବା ଶେଷ କର, ଆମର ଅନ୍ୟ ଜାଗାକୁ ଯିବାର ଅଛି l  ଏଇଠି କଣ  ପୁରା ଦିନ ସରିଯିବ l  ତାପରେ ଯାଇ ଦେଖିଲି, ସତରେ ଆମ ସାହିର ନାଁ  ଆଉ କାରୀଗର ବିନ ମହାରଣା ବୋଲି ମୂର୍ତ୍ତିର ତଳେ ଲେଖାଥିଲା l  ମୂର୍ତ୍ତିରୁ ଗ୍ରେଟା ଙ୍କର ମୁହଁରେ ଦୟା ଆଉ ଦରଦର ଝଲକ ଦିଶୁଥିଲା l ମୁଁ  ଦୁଇ ହାତରେ ଗ୍ରେଟାଙ୍କୁ ନମସ୍କାର କଲି ଆଉ ମୋ ପିଲା ଦୁହିଁଙ୍କୁ ବାପାଙ୍କ ଠାରୁ ବିନ ମହାରଣାଙ୍କ ବିଷୟରେ ଶୁଣିଥିବା କଥା କହିଲି l  ମନେ ମନେ ଭାବିଲି କଳାକାର ସବୁବେଳେ ଅମର ହୋଇ ରହନ୍ତି ତାଙ୍କ‘ କଳା ପାଇଁ ଦେଶ ଆଉ ବିଦେଶରେ ଲୋକଙ୍କ ହୃଦୟରେ l 

ଫିଲାଡେଲ୍ଫିଆ, ଯୁକ୍ତରାଷ୍ଟ୍ର ଆମେରିକା
ଦୂରଭାଷ - +୧୨୬୭୨୪୭୨୪୭୧

Post a Comment

0Comments
Post a Comment (0)