
ଅଳତା ନାଇଛୁ ପାଦରେ ସଖୀଲୋ
ଅଳଙ୍କାର ଦେହେ ଭରି
ଅନୁଢା ମନ ତୋ ଛଟପଟ ହୁଏ
ଅଜସ୍ର କାମନା ଧରି ॥୧॥
ଅପରାଧ ସିନା କରିନାହିଁ ମୁହିଁ
ଅପରାଧୀ ଗଲି ହୋଇ
ଅଧରପାନରେ ଅଧରାତି ଗଲା
ଅଧ୍ୟାୟ ସରିଲା ନାହିଁ ॥୨॥
ଅଥଳ ଜଳରେ ଭାସିଗଲା ବେଳେ
ଅଣଦେଖା କରିଦେଲୁ
ଅଥୟ ମନରେ ନିଆଁ ଲଗାଇକି
ଅନାମିକା ଚାଲିଗଲୁ ॥୩॥
ଅଜାଣତେ ଶଙ୍ଖା ସିନ୍ଦୁର ପିନ୍ଧିଲୁ
ଅଜଣା କାହାରି ପାଇଁ
ଅଭାବି ମନ ମୋ ଛଟପଟ ହୁଏ
ତୋଅ ବିନା ପ୍ରାଣ ସହି ॥୪॥
ଅଭେଦ୍ୟ ପାଚେରୀ ଡେଇଁଲି ତୋ'ପାଇଁ
ଅଭଦ୍ର କହିଲୁ ମୋତେ
ଅଭିଳାଷୀ ମନ ହାରି ଯାଇନାହିଁ
ଅନେଇ ରହିଛି ତୋତେ ॥୫॥
କବି ଓ କବିତା ଭବନ
ମହୁଲ, ଅଙ୍ଗାରପଡା, ଖୋର୍ଦ୍ଧା
ଦୂରଭାଷ - ୮୧୧୪୬୦୯୨୮୦
VOL.IX, ISSUE.III, MARCH-2025
Published By Banamallira Mahak
ପ୍ରକାଶିତ ଲେଖାଟି ଯଦି ପଢି ସାରିଛନ୍ତି, ଆପଣଙ୍କ ପ୍ରତିକ୍ରିୟା ଏଠାରେ ନିଶ୍ଚୟ ରଖନ୍ତୁ ।