ଉତ୍କଳୀୟ କଳା ସଂସ୍କୃତି ଐତିହ୍ୟ,
ହେଉଛି ବିଲୀନ ହୋଇଯାଏ କ୍ଷୟ;
ଆଜି ମଲେ କାଲି ବାସି, ହେ,
ମହାପ୍ରଭୁ, ଓଡିଶା ଯାଉଛି ଭାସି ।।
ବଢି ମରୁଡିର କରାଳ ଯନ୍ତ୍ରଣା,
ପ୍ରାକୃତିକ ବିପର୍ଯ୍ୟୟ ବୁଦ୍ଧି ବଣା;
କରିଦେଲା ପରା ଆସି, ହେ,
ମହାପ୍ରଭୁ, ଓଡିଶା ଯାଉଛି ଭାସି ।।
ସୁରକ୍ଷା ବଳୟ ଜାଳେ ନାଗରିକ,
ଅସହାୟ ଆଇନ୍’ର ପରାଜୟ;
ଧର୍ଷିତା କାନ୍ଦୁଛି ଆସି, ହେ,
ମହାପ୍ରଭୁ, ଓଡିଶା ଯାଉଛି ଭାସି ।।
ଆଇନ୍ ବିଭାଗ ସେ ଉତ୍ଫଣୀ ତମ୍ପ,
ଅଣ୍ଟାଭଙ୍ଗା ନୀତି ବୁଡାଇଛି ଦମ୍ଭ;
ଅପରାଧ ଗଲା ପଶି, ହେ,
ମହାପ୍ରଭୁ, ଓଡିଶା ଯାଉଛି ଭାସି ।।
ବଳ ଦେଉଳର ବଡ ଦିଅଁ ତୁମେ,
ଖଟନ୍ତି ସେବକ ପ୍ରାପ୍ୟ ତୁମ ଧନେ;
ବଡେଇ କରନ୍ତି ବସି, ହେ,
ମହାପ୍ରଭୁ, ଓଡିଶା ଯାଉଛି ଭାସି ।।
ଶ୍ରୀମୁଖ ସୁନ୍ଦର ଦିଶୁଛି ମଳିନ,
ଶ୍ରୀମୁଖ ମଣ୍ଡଳ ଶୃଙ୍ଗାର ବିହୀନ;
ଦୁଇ ମାସ ହେଲା ଆସି, ହେ,
ମହାପ୍ରଭୁ, ଓଡିଶା ଯାଉଛି ଭାସି ।।
ତା'ର ପରାଭବ ଭୋଗଇ,“ସୌରଭ-
ଉତ୍କଳର ଶୀରି” ହଜଇ ବୈଭବ;
ଡୁବେ ଉତ୍କଳର ଶଶି, ହେ,
ମହାପ୍ରଭୁ, ଓଡିଶା ଯାଉଛି ଭାସି ।।
ତୁମେ ସିନା ପ୍ରଭୁ ଆନନ୍ଦେ ରହିଲେ,
ଆମ କଥା ଭାବି ପାରନ୍ତ ବା ଥରେ;
ମଉନେ ରହିଛ ବସି, ହେ,
ମହାପ୍ରଭୁ, ଓଡିଶା ଯାଉଛି ଭାସି ।।
ଇତିହାସ ସହ ସାହିତ୍ୟ ”ରହିବ-
ସାକ୍ଷୀ” ଭବିଷ୍ୟତ ନିଶ୍ଚୟ କହିବ;
ଯେତେ ବିତ୍ପାତ ଘଟିଛି, ହେ,
ମହାପ୍ରଭୁ, ଓଡିଶା ଯାଉଛି ଭାସି ।।
ସ୍ନାନ ମଣ୍ଡପରୁ ରତ୍ନ ସିଂହାସନ,
କରିବା ଯାଏଁ ହେ ତୁମେ ଆରୋହଣ;
ବିଭ୍ରଟ ତ ରାଶି ରାଶି, ହେ,
ମହାପ୍ରଭୁ ଓଡିଶା ଯାଉଛି ଭାସି ।।
ଏଥକୁ ବିଚାର କର ମହାବାହୁ,
ତୁମ ଦୁଃଖ ଦେଖି ଘୋଟି ଆସେ ରାହୁ;
ଦୁର୍ବଳକୁ ଦେବ ଗ୍ରାସି, ହେ,
ମହାପ୍ରଭୁ, ଓଡିଶା ଯାଉଛି ଭାସି ।।
ମହା ମଲ୍ଲ ବୀର ଭକତ ଯାହାର,
ତା' ମୁଖ ମିଳିନ ଦେଶ ନାରଖାର;
ବୁଝ ତୁମେ ବ୍ରହ୍ମରାଶି, ହେ,
ମହାପ୍ରଭୁ, ଓଡିଶା ଯାଉଛି ଭାସି ।।
ତେଣୁ ଏ ବିତ୍ପାତ ହେଲେଣି ଉତ୍ପାତ,
ନିସ୍ତାରିବ ଆସି କେବେ ଲକ୍ଷ୍ମୀକାନ୍ତ;
ବେଳ ବୁଡିଯାଏ ଆସି,ହେ,
ମହାପ୍ରଭୁ, ଓଡିଶା ଯାଉଛି ଭାସି ।।
ମଙ୍ଗଳାଯୋଡି, ଖୋର୍ଦ୍ଧା